ଭୁବନେଶ୍ୱର: ଭାରତର ଅର୍ଥନୀତି ଦ୍ରୁତଗତିରେ ଆଗକୁ ବଢ଼ୁଛି। ଓଡ଼ିଶା ମଧ୍ୟ ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧି ହାସଲ କରି ଅନେକ କ୍ଷେତ୍ରରେ ଜାତୀୟ ସ୍ତରଠାରୁ ଆଗରେ ରହିଛି। ଏଭଳି ସ୍ଥିତିରେ ଓଡ଼ିଶାର ବିକାଶ ପ୍ରକ୍ରିୟାକୁ ଆହୁରି ଆଗକୁ ନେବା ପାଇଁ ବ୍ୟାଙ୍କିଂ ଓ ଅନ୍ୟାନ୍ୟ ଆର୍ଥିକ କ୍ଷେତ୍ରକୁ ଗୋଟିଏ ମଞ୍ଚରେ ଏକାଠି କରିବାର ଉଦ୍ୟମ ପ୍ରଶଂସନୀୟ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତ ପୋଷଣ କରିଛନ୍ତି। ଗଣମାଧ୍ୟମ ଅନୁଷ୍ଠାନ ‘ମାରୁତି ମିଡିଆ’ ପକ୍ଷରୁ ଆଜିଠାରୁ ଏଠାରେ ଆରମ୍ଭ ହୋଇଥିବା ଦୁଇଦିନିଆ ବ୍ୟାଙ୍କ ଓ ଆର୍ଥିକ ସେବା ସମ୍ପର୍କିତ ଜାତୀୟ ସମ୍ମିଳନୀ ‘ଫିନଭିଜନ୍ ଓଡ଼ିଶା’ ରେ ଏହି ମତ ପ୍ରକାଶ ପାଇଛି।
ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ (ୟୁସିସିଆଇଏଲ୍)ର ସହଯୋଗରେ ଆୟୋଜିତ ଏହି ସମ୍ମିଳନୀର ଉଦ୍ଘାଟନୀ ଉତ୍ସବରେ ଭାରତୀୟ ବୀମା ନିୟନ୍ତ୍ରକ ଏବଂ ବିକାଶ କର୍ତ୍ତୃପକ୍ଷ ( ଆଇଆରଡିଏଆଇ)ର ପୂର୍ବତନ ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଦେବାଶିଷ ପଣ୍ଡା ମୁଖ୍ୟ ଅତିଥି ଏବଂ ଆୟକର ବିଭାଗର ପ୍ରଧାନ ଆୟୁକ୍ତ ସରୋଜ ମହାପାତ୍ର ଉଦ୍ଘାଟକ ଭାବେ ଯୋଗ ଦେଇଥିଲେ। ୟୁସିସିଆଇଏଲ୍ ସଭାପତି ଡ. ପ୍ରବୋଧ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମାରୁତି ମିଡିଆର ନିର୍ଦ୍ଦେଶକ ମନୋଜ ପୃଷ୍ଟି ସ୍ବାଗତ ଭାଷଣ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିବା ବେଳେ ୟୁସିସିଆଇଏଲ୍ ଉପସଭାପତି ମୁରଲୀ ଜାମୁଲା ଧନ୍ୟବାଦ ଅର୍ପଣ କରିଥିଲେ।
ପ୍ରଥମ ଦିନରେ ଓଡ଼ିଶା ପରିପ୍ରେକ୍ଷୀରେ ବ୍ୟାଙ୍କିଂ ବ୍ୟବସ୍ଥା, ଆର୍ଥିକ କ୍ଷେତ୍ରରେ ସୁଯୋଗ ଏବଂ ମ୍ୟୁଚୁଆଲ୍ ଫଣ୍ଡ ଓ ଷ୍ଟକ୍ ବଜାର ସମ୍ପର୍କରେ ତିନୋଟି ଅଧିବେଶନରେ ବିଶିଷ୍ଟ ବ୍ୟକ୍ତିମାନେ ଆଲୋଚନା କରିଥିଲେ। ରବିବାର ଦୁଇଟି ଅଧିବେଶନରେ କର୍ପୋରେଟ ଫାଇନାନ୍ସ, ଏକ୍ସପୋର୍ଟ ବ୍ୟାଙ୍କିଂ, ସାଇବର ସିକ୍ୟୁରିଟି ଏବଂ ବୀମାସେବା ପ୍ରସଙ୍ଗରେ ଆଲୋଚନା କରାଯିବ।