ନୂଆଦିଲ୍ଲୀ: ଗତ କିଛି ଦିନ ଭିତରେ ସାରା ଦେଶରେ ପିଆଜ ମହଙ୍ଗା ହେବାରେ ଲାଗିଛି। ଇଦ୍-ଉଲ୍-ଆଧା ପାଇଁ ପିଆଜ ଚାହିଦା ବଢ଼ିଥିବା କୁହାଯାଉଥିବା ବେଳେ ବ୍ୟବସାୟୀମାନଙ୍କ ମତରେ ନୂଆ ଫସଲ ଆସିବା ବିଳମ୍ବ ହୋଇଥିବାରୁ ଦାମ୍ ବଢ଼ୁଛି। ପିଆଜ ଉପରେ କେନ୍ଦ୍ର ସରକାର ଜାରି କରିଥିବା କଟକଣା କୋହଳ ହେବା ଆଶାରେ କିଛି ବ୍ୟବସାୟୀ ପିଆଜକୁ ମହଦୁଜ ରଖି କୃତ୍ରିମ ଅଭାବ ସୃଷ୍ଟି କରିବାକୁ ପ୍ରୟାସ କରୁଥିବା ମଧ୍ୟ ଅଭିଯୋଗ ରହିଛି। ଭାରତର ସବୁଠୁ ବଡ଼ ପିଆଜ ପାଇକାରୀ ବଜାର ମହାରାଷ୍ଟ୍ରର ଲାସାଲଗାଓଁ ମଣ୍ଡିରେ ପିଆଜର ପାଇକାରୀ ଦାମ୍ କେଜି ପିଛା ୨୬ ଟଙ୍କାକୁ ବୃଦ୍ଧି ପାଇଛି। ମେ’ ୨୫ରେ ଏହି ଦାମ୍ ୧୭ ଟଙ୍କା ଥିଲା। ଗତ ୧୪ ଦିନ ଭିତରେ ପିଆଜ ଦାମ୍ରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ଉନ୍ନତ ମାନର ପିଆଜ କେଜି ଦାମ୍ କେଜି ପିଛା ୩୦ ଟଙ୍କା ରହିଛି।
ଚାହିଦା ପୂରଣ କରିବା ଲାଗି ପିଆଜ ଯୋଗାଇ ହେଉନଥିବାରୁ ତାହାର ଦାମ୍ ବଢ଼ୁଛି। ଜୁନ୍ ମାସ ପରଠାରୁ ଚାଷୀ ଓ ବ୍ୟବସାୟୀମାନଙ୍କ ପାଖରେ ଥିବା ପିଆଜ ବଜାରକୁ ଆସିଯିବା କଥା। ରବି ଋତୁରେ ଉତ୍ପାଦନ କମ୍ ହୋଇଥିବାରୁ ପିଆଜ ଦାମ୍ ବଢ଼ିବ ବୋଲି ଭାବି ଚାଷୀମାନେ ତାହା ବଜାରକୁ ଛାଡ଼ୁନାହାନ୍ତି। ଅଳ୍ପ ଦାମ୍ରେ ପିଆଜ ବିକିବାକୁ ସେମାନେ କୁଣ୍ଠା ପ୍ରକାଶ କରୁଛନ୍ତି। ନିଜ ଉତ୍ପାଦିତ ସାମଗ୍ରୀ ଲାଗି ସେମାନେ ଅଧିକ ଦାମ୍ ଆଶା କରୁଛନ୍ତି। ଅନ୍ୟପକ୍ଷରେ ପିଆଜ ରପ୍ତାନି ଉପରେ ଲଗାଯାଇଥିବା କଟକଣା କୋହଳ କରାଯିବା ପରେ ଶ୍ରୀଲଙ୍କା, ବାଂଲାଦେଶ, ମାଲେସିଆ ଓ ଅନ୍ୟାନ୍ୟ ଦେଶକୁ ପିଆଜ ରପ୍ତାନି ବୃଦ୍ଧି ପାଇଛି। ଏହାର ପ୍ରଭାବରେ ଦେଶ ଭିତରେ ପିଆଜ ଅଭାବ ଦେଖାଦେଇଛି। ଜଣେ ବ୍ୟବସାୟୀଙ୍କ ସୂଚନା ଅନୁସାରେ ମହାରାଷ୍ଟ୍ରର ନାସିକରୁ ପ୍ରତିଦିନ ୩୦ ଟନ୍ ଲେଖାଏଁ ପିଆଜ ଭର୍ତ୍ତି ହୋଇଥିବା ୧୦୦ କଣ୍ଟେନର ରପ୍ତାନି ହେଉଛି। ଗତମାସରୁ କଟକଣା କୋହଳ ହେବା ପରେ ଅଧିକ ପରିମାଣର ପିଆଜ ଦେଶ ବାହାରକୁ ଯାଉଛି।
ଦେଶ ଭିତରେ ପିଆଜ ଅଭାବ ଦେଖାଦେବା ପରେ କେନ୍ଦ୍ର ସରକାର ତାହାର ରପ୍ତାନି ଉପରେ ୪୦ ପ୍ରତିଶତ ଟିକସ ଲଗାଇଥିଲେ। ସେଥିପାଇଁ ପିଆଜ ରପ୍ତାନି କମ୍ ରହିଛି। ଅନ୍ୟପକ୍ଷରେ ନିକଟରେ ସାରା ଦେଶରେ ପିଆଜର ଚାହିଦା ବଢ଼ିଛି। ବିଶେଷ କରି ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ମହାରାଷ୍ଟ୍ର ପିଆଜକୁ ନେଇ ଚାହିଦା ବୃଦ୍ଧି ପାଇଛି। ଉଦ୍ୟାନ କୃଷି ଉତ୍ପାଦ ରପ୍ତାନି ସଂଘର ସଭାପତି ଅଜିତ ଶାହ କହିଛନ୍ତି ଯେ ପିଆଜ ଦର ବଢ଼ିବାର ଏକ ପ୍ରମୁଖ କାରଣ ହେଉଛି ଚାଷୀ ଓ ବ୍ୟବସାୟୀମାନେ ଷ୍ଟକ୍ ମହଜୁଦ ରଖିଛନ୍ତି। କେନ୍ଦ୍ର ସରକାର ରପ୍ତାନି କଟକଣା କୋହଳ କରିବେ ବୋଲି ସେମାନେ ଆଶା କରୁଛନ୍ତି। ପ୍ରବଳ ଗରମ, ଅଦିନିଆ ବର୍ଷା ଯୋଗୁ ଯୋଗାଣ ପ୍ରଭାବିତ ହୋଇଥିବାରୁ ଗତ ସପ୍ତାହରେ ଟମାଟୋ, ପିଆଜ ଓ ଆଳୁ ଦାମ୍ରେ ବୃଦ୍ଧି ଘଟିଥିବା ଜଣାପଡ଼ିଛି।