ମୁମ୍ବାଇ: ସୁନା ଦରରେ ନିଆଁ ଲାଗିଛି। ଏକ ମାସ ଭିତରେ ସୁନା ମୂଲ୍ୟରେ ୧୦%ର ବୃଦ୍ଧି ହୋଇଛି। ବୁଧବାର ସୁଦ୍ଧା ୧୦ ଗ୍ରାମ ପିଛା ସୁନା ଦର ଜାତୀୟ ବଜାରରେ ୩୪ ହଜାର ଟଙ୍କାରୁ ଅଧିକ ହୋଇଯାଇଛି। ଭୁବନେଶ୍ବରରେ ଏହି ଦର ୩୪,୦୩୦ ଟଙ୍କା ରହିଛି। ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍ସ ପିଛା ଦର ୧୪୦୮ ଡଲାର ରହିଛି ଯାହା ବିଗତ ଛଅ ବର୍ଷରେ ସର୍ବାଧିକ। ଭାରତରେ ଫ୍ୟୁଚର୍ ଟ୍ରେଡିଂ ବଜାରରେ ଅଗଷ୍ଟ ମାସ ପାଇଁ ଆଗୁଆ ବରାଦ ଦିଆଯାଇଥିବା ସୁନାର ୧୦ ଗ୍ରାମ ପିଛା ଦର ୩୫ ହଜାର ଟଙ୍କାରୁ ଅଧିକ ରହିଛି। ସ୍ଥାନୀୟ ବଜାରରେ ସୁନାର ଖୁଚୁରା ମୂଲ୍ୟ ୩୪,୧୭୦ ଟଙ୍କା ରହିଥିବା ବେଳେ ରୁପାର କିଲୋ ପିଛା ଦର ୩୮,୭୦୦ ଟଙ୍କା ରହିଛି।
ଦର ବହୁତ ବଢ଼ିଯାଇଥିବାରୁ ଖୁଚୁରା ବଜାରରେ ସୁନା ଗହଣା ବିକ୍ରି ପ୍ରଭାବିତ ହୋଇପାରେ ବୋଲି ସର୍ବଭାରତୀୟ ରତ୍ନପଥର ଓ ଗହଣା ପରିଦେର ଅଧ୍ୟକ୍ଷ ଅନନ୍ତ ପଦ୍ମନାଭନ କହିଛନ୍ତି। ସେ କହିଲେ, ଏଭଳି ଉଚ୍ଚ ଦରରେ ଗହଣା କିଣିବାରେ ଲୋକମାନେ ଅଭ୍ୟସ୍ତ ନୁହନ୍ତି। ସେମାନେ ସୁନା କିଣିବା ନିଷ୍ପତ୍ତିକୁ କିଛି ଦିନ ଟାଳିଦେଇପାରନ୍ତି କିମ୍ବା ସେହି ଟଙ୍କାକୁ ଅନ୍ୟତ୍ର ବିନିଯୋଗ କରିବାକୁ ଅଧିକ ଉଚିତ ମଣିବେ ବୋଲି ସେ କହିଛନ୍ତି। ଉଚ୍ଚ ସ୍ତରରେ ସୁନା ଦର ରହିଲେ ଚାହିଦାରେ ୧୦% ଭଳି ହ୍ରାସ ହୋଇପାରେ ବୋଲି ସେ ଆକଳନ କରିଛନ୍ତି।
ସୁନା ଦର ବୃଦ୍ଧିର ଦୁଇଟି ପ୍ରମୁଖ କାରଣ ରହିଛି। ତାହା ହେଉଛି ଆନ୍ତର୍ଜାତିକ ବଜାରରେ ସୁନା ଦର ବଢ଼ୁଥିବାରୁ ସ୍ଥାନୀୟ ବଜାରରେ ଦର ମହଙ୍ଗା ହେଉଛି। ଦ୍ବିତୀୟ କାରଣଟି ହେଉଛି ମଧ୍ୟ ପ୍ରାଚ୍ୟରେ ଦେଖାଦେଇଥିବା ସଙ୍କଟ। ସୁନାର ଏଭଳି ଉଚ୍ଚ ଦରକୁ ନେଇ ଜାତୀୟ ସ୍ତରରେ କାରବାର କରୁଥିବା ଗହଣା ବିକ୍ରେତାମାନେ ଚିନ୍ତିତ ହୋଇପଡ଼ିଛନ୍ତି। କିଛି ଗହଣା ବ୍ୟବସାୟୀ କହିଛନ୍ତି ଯେ ବିଗତ ୧୦ ଦିନ ଭିତରେ ସେମାନଙ୍କ କାରବାରରେ ୫୦% ଭଳି ହ୍ରାସ ହୋଇଛି।
ଭାରତରେ ସାଧାରଣତଃ ବର୍ଷର ଶେଷ ଛଅ ମାସରେ ସୁନାର ଚାହିଦା ଅଧିକ ରହିଥାଏ। ବିବାହ ଉତ୍ସବ ଓ ଦଶହରା ଓ ଦୀପାବଳି ପାଇଁ ଅଧିକ ସୁନା ବିକ୍ରି ହୁଏ। ଯଦି ସୁନାର ଦର ଏଭଳି ଉଚ୍ଚ ସ୍ତରରେ ରହିବ ତେବେ ବର୍ଷର ଦ୍ବିତୀୟ ଭାଗରେ ମଧ୍ୟ ଚାହିଦା କମ୍ ରହିପାରେ ବୋଲି ବ୍ୟବସାୟୀମାନେ କହୁଛନ୍ତି। କେବଳ ସହରାଞ୍ଚଳ ନୁହେଁ, ଗ୍ରାମାଞ୍ଚଳରେ ମଧ୍ୟ ସୁନାର ଚାହିଦା ହ୍ରାସ ପାଇଛି। କେତେକ ସ୍ଥାନରେ ମରୁଡ଼ି ଯୋଗୁ ଗ୍ରାମାଞ୍ଚଳରେ କମ୍ ସୁନା ବିକ୍ରି ହେଉଥିବା ବେଳେ ଚଳିତ ବର୍ଷ ଯଦି ମୌସୁମୀ ବର୍ଷା ନିଅଣ୍ଟିଆ ହେବ ତେବେ ସ୍ଥିତି ଆହୁରି ଖରାପ ହେଇପାରେ ବୋଲି ସୁନା ବଜାର ଉପରେ ନଜର ରଖିଥିବା ବିଶେଷଜ୍ଞମାନେ କହିଛନ୍ତି। ଭାରତରେ ପ୍ରତିବର୍ଷ ବିକ୍ରି ହେଉଥିବା ମୋଟ ସୁନାର ଦୁଇ ତୃତୀୟାଂଶ ଗ୍ରାମାଞ୍ଚଳରେ ଥିବା ଗ୍ରାହକମାନେ କିଣିଥାନ୍ତି। ସୁନାକୁ ସେମାନେ ସମ୍ପତ୍ତି ହିସାବରେ ଦେଖୁଥିବାରୁ ଅଧିକ ସୁନା କିଣିଥାନ୍ତି।
ସୁନା ଦରରେ ନିଆଁ
ଦାମ ୩୪ ହଜାରରୁ ଅଧିକ
/sambad/media/post_attachments/wp-content/uploads/2019/06/gold-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)