ଗୋପାଳପୁର ବନ୍ଦରରେ ଲାଗିଲା ପ୍ରଥମ ବୃହତ ଜାହାଜ

ଛତ୍ରପୁର: ଗୋପାଳପୁର ବନ୍ଦରରେ ଗତ ୧୨ ତାରିଖରେ ୧ଲକ୍ଷ ୫ହଜାର ଟନ୍‌ର ଚୁନପଥର ବୋଝେଇ ପ୍ରଥମ ବୃହତ୍ (କେପ୍‌ସାଇଜ୍) ଜାହାଜ ପହଞ୍ଚିଛି। ଏହି ଜାହାଜ ପାଇଁ ସୁବିଧା ଥିବା ଭାରତର ଅଳ୍ପ କେତେକ ବନ୍ଦର ମଧ୍ୟରେ ଗୋପାଳପୁର ସ୍ଥାନ ପାଇ ଗୌରବ ଆଣିଛି। ଗୋପାଳପୁର ବନ୍ଦରର ଏକ ପ୍ରମୁଖ ଉପ ଭୋକ୍ତା ଜେଏସ୍‌ପିଏଲ୍ ମଧ୍ୟପ୍ରାଚ୍ୟରୁ ଏୟାରସିପିଙ୍ଗ୍ ମାଲିକାନାରେ ଏହି ଜାହାଜରେ ଆସିଥିବା ୧ଲକ୍ଷ ୫ହଜାର ଟନ୍ ଷ୍ଟିଲ୍ ଗ୍ରେଡ୍ ଚୁନପଥର ଆମଦାନି କରିଛି। ଗୋପାଳପୁର ବନ୍ଦର ବର୍ତ୍ତମାନ ଅନ୍ୟାନ୍ୟ ଆବଶ୍ୟକତା ସମେତ ବୃହତ୍ ଜାହାଜ ଧାରଣ କ୍ଷମତା ଉପଯୋଗୀ ହେବା ଲାଗି ଏହାର ସଂପ୍ରସାରଣ କାର୍ଯ୍ୟ ହାତକୁ ନିଆଯାଇ ଡ୍ରେଜିଂ କାମ ଚାଲୁ ରହିଛି। ଏହା ସଂପୂର୍ଣ୍ଣ ହେଲେ ବନ୍ଦର ଆଧୁନିକ ତଥା ବୃହତ୍ ଜାହାଜ ଧାରଣ କରିପାରିବ। ଯାହାକି ଉପଭୋକ୍ତାଙ୍କ ଆବଶ୍ୟକତା ପୂରଣ କରିବ। ସାପ୍ରୋଜି ପାଲୋନଜି ପୋର୍ଟ ମେଣ୍ଟେନାନ୍ସ ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଅମିତ ସାହୁ କହିଛନ୍ତି, ବୃହତ୍ କେପ୍‌ସାଇଜ୍ ଜାହାଜ ଆସି ସଫଳତାର ସହ ଏଠାରେ ରହିବା ଆମ ପାଇଁ ଗୌରବର ବିଷୟ। ଖୁବ୍ କମ୍ ସମୟରେ ସାପ୍ରୋଜି ପାଲୋନଜି ଗ୍ରୁପ୍ ଗୋପାଳପୁର ବନ୍ଦରକୁ ଏକ ବିଶ୍ବସ୍ତରୀୟ ବନ୍ଦର କରାଇବାରେ ଉଲ୍ଲେଖନୀୟ କାର୍ଯ୍ୟ କରିପାରିଛି।

ସମ୍ବନ୍ଧିତ ଖବର