ଭୁବନେଶ୍ବର: କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା କୋଲ୍ ଏଣ୍ଡ ପାୱାର୍ ଲିମିଟେଡ୍(ଓସିପିଏଲ୍)କୁ ବାଣିଜ୍ୟ ଭିତ୍ତିକ ଟାଙ୍ଗିରିଡିହି ନର୍ଥ କୋଲ୍ ବ୍ଲକ୍ ପ୍ରଦାନ କରାଯାଇଛି। କୋଇଲା ମନ୍ତ୍ରଣାଳୟର ଦ୍ବାଦଶ ପର୍ଯ୍ୟାୟ ନିଲାମ ପ୍ରକ୍ରିୟାରେ ଓସିପିଏଲ୍ ଏହି ଖଣି ହାସଲ କରିଛି। ରାଜ୍ୟରେ କେବଳ ଏମ୍ସିଏଲ୍ କୋଇଲା କାରବାର କରୁଥିଲା। ଏଣୁ ଏହା ରାଜ୍ୟ ସରକାରଙ୍କର ପ୍ରଥମ ବାଣିଜ୍ୟଭିତ୍ତିକ କୋଇଲା ଖଣି।
ସୂଚନାଯୋଗ୍ୟ ଓସିପିଏଲ୍ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲାର ମନୋହରପୁର ଏବଂ ଡିପ୍-ସାଇଡ୍ ଅଫ୍ ମନୋହରପୁର କୋଲ୍ ବ୍ଲକ୍ ପାଇଥିଲା। କିନ୍ତୁ ଏହି ଦୁଇଟି ଖଣି ଓପିଜିସି ପାଇଁ ସୁଲଭ ମୂଲ୍ୟରେ କୋଇଲା ଯୋଗାଣ ପାଇଁ ଉଦ୍ଦିଷ୍ଟ। ଓସିପିଏଲ୍ର ସିଓଓ ଅୟସକାନ୍ତ କାନୁନଗୋ କହିଛନ୍ତି ଟାଙ୍ଗିରିଡିହି ନର୍ଥ ବ୍ଲକ୍ରୁ ଭବିଷ୍ୟତରେ ବହୁ ପରିମାଣର କୋଇଲା ଉତ୍ପାଦନ ହେବ, ଯାହା ରାଜ୍ୟର ତାପଜ ବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକୁ ଇନ୍ଧନ ଯୋଗାଇବ। ଟାଙ୍ଗିରିଡିହି କୋଇଲା ଖଣିରେ ଗ୍ରେଡ୍-୧୩ ମାନର ପ୍ରାୟ ୧୧୦୦ ନିୟୁତ ଟନ୍ କୋଇଲା ଅଛି। ମାଟିର ପ୍ରାୟ ୪୧୦ ମିଟର ଗଭୀର ମଧ୍ୟରେ ୪୦୦ନିୟୁତ ଟନ୍ ଉଚ୍ଚମାନର କୋଇଲା ଗଚ୍ଛିତ ଅଛି। ବିଶେଷଜ୍ଞମାନେ କହିଛନ୍ତି ଯେ, ଓସିପିଏଲ୍ ପାଇଁ ଏହା ଏକ ବଡ଼ ସଫଳତା।
ଏହି ବାଣିଜ୍ୟିକ କୋଇଲା ଖଣି ବର୍ଷକୁ ପ୍ରାୟ ୩୦୦୦କୋଟି ଟଙ୍କାର ବ୍ୟବସାୟ କରିବ ଏବଂ ପ୍ରାୟ ୨୫୦୦ ବ୍ୟକ୍ତିଙ୍କୁ ପ୍ରତ୍ୟକ୍ଷ କର୍ମ ନିଯୁକ୍ତି ଯୋଗାଇ ଦେଇପାରିବ। ପରୋକ୍ଷ ଭାବରେ ପ୍ରାୟ ୩୦୦୦ ଲୋକଙ୍କୁ ଜୀବିକା ମିଳିପାରିବ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ଶକ୍ତି ସଚିବ ବିଶାଲ ଦେବଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କୋଇଲା ମନ୍ତ୍ରଣାଳୟର ନିଲାମ ପ୍ରକ୍ରିୟାରେ ଓସିପିଏଲ୍ ଭାଗ ନେଇଥିଲା। ଏହା ରାଜ୍ୟ ପାଇଁ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଓସିପିଏଲ୍ର କୋଇଲା ଉତ୍ପାଦନ ରାଜ୍ୟ ତଥା ଦେଶର ଅର୍ଥନୀତିକୁ ସମୃଦ୍ଧ କରିବା ସହିତ ତାପଜ ବିଦ୍ୟୁତ ଶକ୍ତି ଉତ୍ପାଦନରେ ବ୍ୟାପକ ପରିବର୍ତ୍ତନ ହେବ ବୋଲି ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର କହିଛନ୍ତି।