ପ୍ରଥମ ଓଡ଼ିଶା ସିଏଫ୍‌ପି ସାର୍ଟିଫିକାଣ୍ଟ୍ ସମ୍ମିଳନୀ

ଭୁବନେଶ୍ବର: ଓଡ଼ିଶାର ସମସ୍ତ ସାର୍ଟିଫାଏଡ୍ ଫାଇନାନ୍ସିଆଲ ପ୍ଲାନର (ସିଏଫ୍‌ପି) ସମୂହଙ୍କର ପ୍ରଥମ ଓଡ଼ିଶା ସିଏଫ୍‌ପି ସାର୍ଟିଫିକାଣ୍ଟ ସମ୍ମିଳନୀ ଶନିବାର ଦିନ ସ୍ଥାନୀୟ ହୋଟେଲ ନ୍ୟୁ ମାରିଅନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ସମସ୍ତ ସିଏଫ୍‌ପି ସାର୍ଟିଫିକାଣ୍ଟ୍ ଯୋଗ ଦେଇ ଓଡ଼ିଶାବାସୀଙ୍କୁ ଆର୍ଥିକ ସାକ୍ଷର କରିବା ଏବଂ ସର୍ବୋତ୍କୃଷ୍ଟ ଆର୍ଥିକ ଯୋଜନା ସେବା ପ୍ରଦାନ କରିବାକୁ ସଂକଳ୍ପବଦ୍ଧ ହୋଇଛନ୍ତି। ସମ୍ମିଳନୀରେ ରାଉରକେଲାର ସିଏଫ୍‌ପି ନଳିନୀକାନ୍ତ ଧର ଯୋଗଦେଇ କହିଥିଲେ, ସମସ୍ତ ଆର୍ଥିକ ଯୋଜନାକାରୀଙ୍କୁ ଗ୍ରାହକଙ୍କ ସ୍ବାର୍ଥକୁ ପ୍ରାଥମିକତା ଦେବାକୁ ହେବ। ଏଥିସହିତ ନିବେଶକାରୀମାନେ ଯେଭଳି ଆର୍ଥିକ ସ୍ବାଧୀନତା ହାସଲ କରିବେ ସେ କ୍ଷେତ୍ରରେ ସେମାନଙ୍କୁ ସାହାଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଆର୍ଥିକ ଯୋଜନାକାରୀଙ୍କ ଆର୍ଥିକ ସେବା ‌ପ୍ରଦାନ କ୍ଷେତ୍ରରେ ଆସୁଥିବା ସମସ୍ତ ପ୍ରକାର ଅସୁବିଧା ଓ ଆହ୍ବାନ ଗୁଡ଼ିକ ଉପରେ ସେ ଆଲୋକପାତ କରି ଗ୍ରାହକ ସଂପର୍କକୁ ମଜଭୁତ କରିବା ପାଇଁ ପରାମର୍ଶ ଦେଇଥିଲେ।

ଏସଏମ ଫାଇନାନ୍ସିଆଲ ସର୍ଭିସେସ୍ ଭୁବନେଶ୍ବରର ସିଏଫ୍‌ପି ମୌସୁମୀ ମିତ୍ର ଯୋଗଦେଇ ସିଏଫ୍‌ପିମାନଙ୍କୁ ବିଭିନ୍ନ ପ୍ରକାର ଆହ୍ବାନର ସାମ୍ନା କରି ଆନ୍ତର୍ଜାତିକ ମାନଦଣ୍ଡର ଆର୍ଥିକ ସେବାସବୁକୁ ରାଜ୍ୟର ନିବେଶକମାନଙ୍କୁ ପ୍ରଦାନ କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ତାଲିମ ଦ୍ବାରା ନିଜର ଦକ୍ଷତା ବଢ଼ାଇ ଓଡ଼ିଶାବାସୀଙ୍କୁ ସର୍ବଶ୍ରେଷ୍ଠ ଆର୍ଥିକ ପରାମର୍ଶ ଦେବା ଉପରେ ସୁନ୍ଦରମ ଆସେଟ୍ ମ୍ୟାନେଜମେଣ୍ଟ୍ କମ୍ପାନିର ଜୋନାଲ ହେଡ୍ (ଓଡ଼ିଶା, ପଶ୍ଚିମବଙ୍ଗ) ସଲିଳ କୁମାର ପଲାଇ ମତ ଦେଇଥିଲେ। ଅନ୍ୟ ସିଏଫ୍‌ପି ମାନଙ୍କ ସହଯୋଗରେ ରୂପକୁମାର ପ୍ରଧାନ, ସିଏଫ୍‌ପି, ସିଡବ୍ଲ୍ୟୁଏମ ଓ ଧନଞ୍ଜୟ ବାଣ୍ଟିଆ, ସିଏଫ୍‌ପି, ସିଏଆଇଏମ୍ ଉକ୍ତ ସମ୍ମିଳନୀର ସଂଯୋଜନା ଓ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର