ମୁମ୍ବାଇ: ଡିସେମ୍ବର ପହିଲା, ଅର୍ଥାତ ଗତକାଲି ଠାରୁ ଆରମ୍ଭ ହୋଇଯାଇଛି ‘ଡିଜିଟାଲ୍ ରୁପି’। ସାଇବର୍ ବିଶ୍ବରେ ଅନେକ କିଛି ଡିଜିଟାଲ୍ ହୋଇ ସାରିଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଏବେ ଟଙ୍କାକୁ ଡିଜିଟାଲ୍, ଅର୍ଥାତ ‘ଡିଜିଟାଲ୍ ରୁପି’ର ପ୍ରଚଳନ ଆରମ୍ଭ କରିଛି।
ଜାଣିବାକୁ ମିଳିଛି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପ୍ରଥମ ଦିନରେ ୧.୭୧ କୋଟି ଟଙ୍କା ଏହି ‘ଡିଜିଟାଲ୍ ରୁପି’ ପାଇଁ ଜାରି କରିଛି। ଜଣେ ଅଧିକାରୀଙ୍କ କହିବା ମୁତାବକ, ଆଗାମୀ ଦିନରେ ବ୍ୟାଙ୍କ୍ ଡିଜିଟାଲ୍ ଟଙ୍କା ବାହାର କରିବ।
ପ୍ରଥମ ପର୍ଯ୍ୟାୟରେ ଏହି ପ୍ରୋଜେକ୍ଟକୁ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁର ଓ ଭୁବନେଶ୍ବରରେ ଲଞ୍ଚ୍ କରାଯାଇଛି। ଏହି ୪ଟି ସହରରେ ଏବେ ୪ଟି ବ୍ୟାଙ୍କ୍ ଜରିଆରେ ଡିଜିଟାଲ୍ କରେନ୍ସି ଉପଲବ୍ଧ କରାଯାଉଛି।
କେହି କେହି ଏହାକୁ ୟୁପିଆଇ ପେମେଣ୍ଟ୍ ବୋଲି ଭାବୁଛନ୍ତି ତ ପୁଣି କେହି ଏହାକୁ କ୍ରିପ୍ଟୋକରେନ୍ସି ପରି ଭାବୁଛନ୍ତି। ମାତ୍ର ଆପଣ ଜାଣନ୍ତ କି କ’ଣ ଏହି ‘ଡିଜିଟାଲ୍ ରୁପି’? କିପରି ଏହାର ବ୍ୟବହାର?
ୟୁପିଆଇ ପେମେଣ୍ଟ୍ ଓ କ୍ରିପ୍ଟୋକରେନ୍ସିଠାରୁ ‘ଡିଜିଟାଲ୍ ରୁପି’ ପୂରା ଭିନ୍ନ। କିଛି ଲୋକ ଏହାକୁ ହାସଲ କରିବାର ତରିକା ଖୋଜିଛନ୍ତି ତ କିଛି ଲୋକ ଏହାକୁ କିଣିବାକୁ ଚାହୁଁଛନ୍ତି। ମାତ୍ର ଆମେ ଆପଣଙ୍କ ଦ୍ବନ୍ଦ୍ବ ଦୂରେଇ କରିବାକୁ କହୁଛୁ ଯେ ଏହା ଆଦୌ ବି କିଣାବିକାର ଜିନିଷ ନୁହେଁ। ଏହା ହେଉଛି ଆପଣଙ୍କ ଟଙ୍କାର ଡିଜିଟାଲ୍ ଅବତାର। ଆପଣ କ’ଣ ନିଜ ଟଙ୍କାକୁ ବିକ୍ରି କରିପାରନ୍ତି କି? ସେହିପରି ‘ଡିଜିଟାଲ୍ ରୁପି’କୁ ବି ବିକ୍ରି କରିବାର ପ୍ରଶ୍ନ ନାହିଁ।