ନୂଆଦିଲ୍ଲୀ: ଚଳିତ ମାସ ୧୫ରେ ଆରମ୍ଭ କରାଯାଇଥିବା ବର୍ଷିକିଆ ଫାସ୍ଟ୍ୟାଗ୍ ପାସ୍ ବେଶ୍ ଗ୍ରହଣୀୟ ହୋଇଛି। ମାତ୍ର ଚାରି ଦିନରେ ୫ ଲକ୍ଷ ପାସ୍ ଜାରି କରାଯାଇଛି। ତାମିଲନାଡ଼ୁରେ ସର୍ବାଧିକ ପାସ୍ ଜାରି କରାଯାଇଥିବା ବେଳେ ତା’ପଛକୁ ରହିଛନ୍ତି କର୍ଣ୍ଣାଟକ ଓ ହରିୟାଣା। ତାମିଲନାଡ଼ୁ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ପାସ୍କୁ ସର୍ବାଧିକ ବ୍ୟବହାର କରାଯାଇଥିବା କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗୁଗଲ୍ ପ୍ଲେ ଷ୍ଟୋର୍ରେ ରାଜମାର୍ଗ ଆପ୍ ଭ୍ରମଣ ବର୍ଗରେ ଦ୍ବିତୀୟ ସ୍ଥାନରେ ରହିଛି ଏବଂ ଏହାକୁ ୧୫ ଲକ୍ଷରୁ ଅଧିକ ଥର ଡାଉନ୍ଲୋଡ୍ କରାଯାଇଛି।
ଫାସ୍ଟ୍ୟାଗ୍ ବର୍ଷିକିଆ ପାସ୍ ଉନ୍ମୋଚିତ ହେବାର ମାତ୍ର ଚାରିଦିନ ଭିତରେ ଏହା ଶୀର୍ଷ ସରକାରୀ ଆପ୍ ଭାବେ ଉଭା ହୋଇଛି। ଗାଡ଼ି ମାଲିକମାନେ ୩୦୦୦ ଟଙ୍କା ଦେଇ ବାର୍ଷିକ ଫାସ୍ଟ୍ୟାଗ୍ ନେଇପାରିବେ। ତାହା ଜରିଆରେ ସେମାନେ ଏକ ବର୍ଷ ପର୍ଯ୍ୟନ୍ତ କିମ୍ବା ୨୦୦ ଥର ଟୋଲ୍ ପ୍ଲାଜା ଅତିକ୍ରମ କରିପାରିବେ। କେବଳ ଘରୋଇ ଗାଡ଼ି ଲାଗି ଏହି ପାସ୍ ଜାରି କରାଯାଉଛି। ଏକକାଳୀନ ଫି’ ଦେଇ ପାସ୍ କିଣିବା ପରେ ମାତ୍ର ଦୁଇ ଘଣ୍ଟାରେ ତାହା ସକ୍ରିୟ କରାଯାଉଛି।