ନୂଆଦିଲ୍ଲୀ : କରୋନା ମହାମାରୀ ବେଳେ ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଦେଇଛି। ଏହାସତ୍ତ୍ବେ ରାଜ୍ୟକୁ ନିବେଶର ସୁଅ ଛୁଟିଛି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ପ୍ରାୟ ୮୭୯୬ କୋଟି ଟଙ୍କା ମୂଲ୍ୟର ୧୨ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ। ଏହାର ପରଦିନ ରାଜ୍ୟ ସରକାର ୧୮୫୧.୯୬ କୋଟି ଟଙ୍କା ମୂଲ୍ୟର ୫ଟି ନିବେଶ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ଏସବୁ ପ୍ରକଳ୍ପ ସ୍ଥାପନ ହେବାଫଳରେ ରାଜ୍ୟରେ ୧୬୩୪ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କର୍ତ୍ତୃପକ୍ଷ କମିଟି ଏସବୁ ନିବେଶ ପ୍ରସ୍ତାବକୁ ଅନୁମୋଦନ କରିଛି। ଆଜି ମୁଖ୍ୟତଃ ଧାତବ ଏବଂ ସିମେଣ୍ଟ ଶିଳ୍ପର ପ୍ରକଳ୍ପଗୁଡ଼ିକୁ ମଞ୍ଜୁରି ଦିଆଯାଇଛି। ସେଗୁଡ଼ିକ ମଧ୍ୟରେ ନର୍ଭେରାମ୍ ପାୱାର ଆଣ୍ଡ ଷ୍ଟିଲ୍ ପ୍ରାଇଭେଟ ଲିମିଟେଡର ୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଏକ ପେଲେଟ୍ ଓ ଗ୍ରାଇଣ୍ଡିଂ ପ୍ଲାଣ୍ଟ ରହିଛି। ଏହି ପ୍ରକଳ୍ପ କେନ୍ଦୁଝର ଜିଲ୍ଲାରେ ୩୫୦ କୋଟି ଟଙ୍କା ନିବେଶରେ ସ୍ଥାପନ ହେବ। ଉକ୍ତ ପ୍ରକଳ୍ପ ଯୋଗୁ ୨୫୮ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିଭଳି ସମ୍ବଲପୁର ଜିଲ୍ଲାରେ ମେସର୍ସ ବିରାଜ ଷ୍ଟିଲ୍ -ଆଣ୍ଡ ଏନର୍ଜି ପ୍ରାଇଭେଟ୍ର ସଂପ୍ରସାରଣକୁ ମଞ୍ଜୁରି ଦିଆଯାଇଛି। ଏହି ପ୍ରକଳ୍ପର ବାର୍ଷିକ କ୍ଷମତା ୦.୧ ନିୟୁତ ଟନରୁ ୦.୩ ନିୟୁତ ଟନକୁ ବୃଦ୍ଧି ପାଇବ। ଏହି ପ୍ରକଳ୍ପରେ ୨୬୧.୭୧ କୋଟି ଟଙ୍କା ନିବେଶ ହେବ ଏବଂ ୩୩୮ ଜଣଙ୍କୁ ଚାକିରି ମିଳିବ।
ସୁନ୍ଦରଗଡ଼ର ତୁମକେଲାଠାରେ ବି ଆର୍ ସ୍ପଞ୍ଜ ଆଣ୍ଡ ପାୱାର ଲିମିଟେଡର ସ୍ପଞ୍ଜ ଆଇରନ କ୍ଷମତା ୦.୨୧ ନିୟୁତ ଟନକୁ, ଲୁହାପଥର ବେନିଫିସିଏସେନ କ୍ଷମତା ୧ ନିୟୁତ ଟନକୁ, ପେଲେଟ କ୍ଷମତା ୦.୬ ନିୟୁତ ଟନକୁ ବୃଦ୍ଧି କରାଯିବ। ଏଥିସହିତ ଅନ୍ୟାନ୍ୟ ଉତ୍ପାଦନ କ୍ଷମତା ମଧ୍ୟ ଏହି ପ୍ରକଳ୍ପର ସଂପ୍ରସାରଣ ହେବ। ଯାଜପୁରର କଳିଙ୍ଗନଗରଠାରେ ନ୍ୟୁ ଭିଷ୍ଟା ଲିମିଟେଡ ( ପୂର୍ବର ଇମାମୀ ସିମେଣ୍ଟ)ର ଉତ୍ପାଦନ କ୍ଷମତା ୧.୫ ନିୟୁତ ଟନରୁ ୨ ନିୟୁତ ଟନକୁ ବୃଦ୍ଧି କରାଯିବ। ଏହି ପ୍ରକଳ୍ପରେ ୫୯୮.୬୨ କୋଟି ଟଙ୍କା ନିବେଶ ହେବ। ସେହିଭଳି କଟକ ଜିଲ୍ଲାରେ ଓସିଏଲ ଇଣ୍ଡିଆ ଲିମିଟେଡ ପକ୍ଷରୁ ୨.୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଏକ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟକୁ ମଧ୍ୟ ମଞ୍ଜୁରି ଦିଆଯାଇଛି। ଏହି ପ୍ରକଳ୍ପରେ ୪୪୧.୪୩ କୋଟି ଟଙ୍କା ନିବେଶ ହେବା ସହିତ ୧୪୧ଟି ନୂଆ ନିଯୁକ୍ତି ସୃଷ୍ଟି ହେବ। ଏସବୁ ପ୍ରକଳ୍ପଗୁଡ଼ିକ ଯେଭଳି ଶୀଘ୍ର କାର୍ଯ୍ୟକ୍ଷମ ହେବ ସେଥିପାଇଁ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ଏହି ଅବସରରେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନ ପରିସରରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା, ଇପିକଲ ଏମ୍ଡି ନୀତିନ ଭାନୁଦାସ ଜୱାଲେ ଏବଂ ଇଡକୋ ସିଏମଡି ସଂଜୟ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।