୪ ମାସରେ ଫ୍ଲେକ୍ସ ଇଞ୍ଜିନ ବାଧ୍ୟତାମୂଳକ ହେବ

ନୂଆଦିଲ୍ଲୀ : ମୋଟର ଯାନ ପ୍ରଦୂଷଣ ହ୍ରାସ କରିବା ଲାଗି ଦେଶରେ ଫ୍ଲେକ୍ସ ଇନ୍ଧନ ନୀତି ଲାଗୁ କରାଯିବ। ଆସନ୍ତା ତିନିରୁ ଚାରି ମାସ ଭିତରେ ଏହି ନୀତିକୁ ବାଧ୍ୟତାମୂଳକ କରାଯିବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ କହିଛନ୍ତି। ଗାଡ଼ି ନିର୍ମାଣ କରୁଥିବା ସଂସ୍ଥାଗୁଡ଼ିକୁ ଗାଡ଼ିରେ ଫ୍ଲେକ୍ସ ଇଞ୍ଜିନ ବ୍ୟବହାର କରିବାକୁ କୁହାଯାଇଛି। ଏହି ଇଞ୍ଜିନ ଏକରୁ ଅଧିକ ଇନ୍ଧନରେ ଚାଲିପାରିବ। ବ୍ରାଜିଲ୍ ଓ ଆମେରିକାରେ ଫ୍ଲେକ୍ସ-ଇଞ୍ଜିନ ବ୍ୟବହାର କରାଯାଉଛି। ସେହି ସଫଳତାକୁ ଭାରତରେ ଦୋହରାଇବାକୁ ଗଡ଼କରୀ ଲକ୍ଷ୍ୟ ରଖିଛନ୍ତି।

ଯଦି ଫ୍ଲେକ୍ସ ଇଞ୍ଜିନକୁ ବାଧ୍ୟତାମୂଳକ କରାଯିବ ତେବେ ତାହାକୁ ବ୍ୟବହାର କରିବା ବ୍ୟତୀତ ଗାଡ଼ି ନିର୍ମାତାମାନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ରହିବ ନାହିଁ। ବିଏସ୍‌-୬ ନିୟମକୁ ଯେଭଳି ଲାଗୁ କରାଯାଇଥିଲା ଏହାକୁ ମଧ୍ୟ ସେହି ଢଙ୍ଗରେ ଲାଗୁ କରାଯିବ। ଭାରତରେ ଗାଡ଼ି ବିକ୍ରି କରିବାକୁ ହେଲେ କଂପାନିଗୁଡ଼ିକ ଫ୍ଲେକ୍ସ ଇଞ୍ଜିନ ବ୍ୟବହାର ଲାଗି ବାଧ୍ୟ ହେବେ। ତେବେ ଏହି ନୀତି ଲାଗୁ କରିବା ଲାଗି କଂପାନିଗୁଡ଼ିକୁ ଏକ ନିର୍ଦିଷ୍ଟ ମହଲତ ପ୍ରଦାନ କରାଯିବ। ସେହି ସମୟ ଭିତରେ ସେମାନେ ଆବଶ୍ୟକ ଜ୍ଞାନକୌଶଳର ବ୍ୟବସ୍ଥା କରିବେ। ‌‌ସେଥିପାଇଁ ଦରକାର ହେଉଥିବା ପୁଞ୍ଜିନିବେଶ ମଧ୍ୟ କରିବେ। ସମୟ ସୀମା ଶେଷ ହେବା ପରେ ତତ୍କାଳ ଗାଡ଼ିଗୁଡ଼ିକର ଦାମ୍ ବଢ଼ିଯିବ।

ପେଟ୍ରୋଲ୍ ଓ ଡିଜେଲ୍‌ରେ ଚାଲୁଥିବା ଗାଡ଼ିଗୁଡ଼ିକ ଲାଗି ଦୁଇଟି ବିକଳ୍ପ ରହିବ। ସେହି ଗାଡ଼ିରେ ଫ୍ଲେକ୍ସ ଇଞ୍ଜିନ ବ୍ୟବହାର କରିବା ଲାଗି କଂପାନିଗୁଡ଼ିକ ଉଦ୍ୟମ କରିବେ। ପେ‌ଟ୍ରୋଲ୍ କିମ୍ବା ଡିଜେଲ୍ ଇଞ୍ଜିନକୁ ଫ୍ଲେକ୍ସ ଇଞ୍ଜିନରେ ପରିଣତ କଲେ କେତେ ଟଙ୍କା ଖର୍ଚ୍ଚ ହେଉଛି ତାହା ଦେଖିବାକୁ ପଡ଼ିବ। ଯଦି ତାହା ବ୍ୟାବସାୟିକ ଦୃଷ୍ଟିରୁ ଲାଭଦାୟକ ନହେବ ତେବେ କଂପାନିଗୁଡ଼ିକ ଦ୍ବିତୀୟ ବିକଳ୍ପ ଆପଣେଇବେ। ତାହା ହେଉଛି ଯେଉଁ ଗାଡ଼ିଗୁଡ଼ିକର ଇଞ୍ଜିନକୁ ଫ୍ଲେକ୍ସ ଇଞ୍ଜିନରେ ରୂପାନ୍ତରିତ କରାଯାଇପାରିବ ନାହିଁ ତାହାକୁ କଂପାନି ବଜାରକୁ ପ୍ରତ୍ୟାହାର କରିନେବେ। ବିଏସ୍‌-୬ ନିୟମ ଲାଗୁ କରିବା ବେଳେ କଂପାନିଗୁଡ଼ିକ ଏଭଳି ପଦକ୍ଷେପ ଗ୍ରହଣ କରିଥିଲେ।

ପ୍ରଦୂଷଣ କମ୍ କରିବା ଲାଗି କେବଳ ଗାଡ଼ି ନୁହେଁ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ବିକଳ୍ପ ଇନ୍ଧନ ବ୍ୟବହାର କରିବା ଉପରେ ବିଚାର କରାଯାଉଛି। ମିଥାନଲ୍‌କୁ ରୋଷେଇ ଗ୍ୟାସ୍‌ର ବିକଳ୍ପ ଭାବେ ବ୍ୟବହାର କରାଯିବ। ମିଥାନଲ୍‌ର ପ୍ରସାର କରିବା ଲାଗି ନିତି ଆୟୋଗ ଯୁକ୍ତି ବାଢ଼ିଛି। ଏହାର ସଦସ୍ୟ ଭି କେ ସାରସ୍ବତ କହିଛନ୍ତି ଯେ ମିଥାନଲ୍‌କୁ ଇନ୍ଧନ ଭାବେ ବିକାଶ କରିବା ଦିଗରେ ୫୦୦୦ କୋଟି ଟଙ୍କା ବିନିଯୋଗ କରିବାର ଆବଶ୍ୟକତା ରହିଛି। ୨୦୧୭ରେ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ପକ୍ଷରୁ ମିଥାନଲ୍‌କୁ ଇନ୍ଧନର ମାନ୍ୟତା ଦିଆଯାଇଥିଲା। କେବଳ ବିକଳ୍ପ ଇନ୍ଧନ ନୁହେଁ ଇଲେକ୍ଟ୍ରିକ୍ ଯାନ ଚଳାଚଳ ଲାଗି ମଧ୍ୟ ଦେଶରେ ବଡ଼ ଧରଣର ଉଦ୍ୟମ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର