ନୂଆଦିଲ୍ଲୀ: ଗୁରୁବାର ଅହମଦାବାଦରେ ଉଡ଼ାଣ ଆରମ୍ଭ କରିବାର ଅଳ୍ପ କିଛି ସମୟ ମଧ୍ୟରେ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିବା ଏୟାର ଇଣ୍ଡିଆର ବିମାନ ନମ୍ବର ଥିଲା ଏଆଇ ୧୭୧। ବୋଇଂ କମ୍ପାନି ପକ୍ଷରୁ ନିର୍ମିତ ଏହି ଡ୍ରିମଲାଇନର୍‌ ୭୮୭-୮ ବିମାନଟି ବି ଜେ ମେଡିକାଲ କଲେଜର ଏକ ହଷ୍ଟେଲରେ ପିଟି ହୋଇଥିଲା। ଏଥିରେ ବିମାନରେ ଥିବା ୨୪୨ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ ହୋଇଛି। ବିମାନଟି ନିଆଁ ପିଣ୍ଡୁଳାରେ ପରିଣତ ହେବା ଫଳରେ ନିକଟବର୍ତ୍ତୀ ଅଞ୍ଚଳରେ ଅନେକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ବିମାନ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ୨୭୪କୁ ବୃଦ୍ଧି ପାଇଛି। 

Advertisment

ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭୟଙ୍କର ବିମାନ ଦୁର୍ଘଟଣା ପରେ ଏୟାରଲାଇନ୍ସଗୁଡ଼ିକ ସମ୍ପୃକ୍ତ ବିମାନ ନମ୍ବର ବ୍ୟବହାରକୁ ବନ୍ଦ କରି‌ ଦେଇଥାନ୍ତି। ତେଣୁ ଏଆଇ ୧୭୧ ବିମାନ ନମ୍ବରକୁ ମଧ୍ୟ ହଟାଇ ଦିଆଯିବ। ଅହମଦାବାଦରୁ ଲଣ୍ଡନ ଗଟୱିକ୍‌କୁ ଆସନ୍ତା ୧୭ ତାରିଖରୁ ଉଡ଼ାଣ କରିବାକୁ ଥିବା ବିମାନର ନମ୍ବର ଏଆଇ ୧୭୧ ପରିବର୍ତ୍ତେ ଏଆଇ ୧୫୯ ହେବ। ଏଥିପାଇଁ ବିମାନ ଟିକେଟ ବୁକିଂରେ ଆବଶ୍ୟକ ପରିବର୍ତ୍ତନ ଶୁକ୍ରବାରଠାରୁ କରାଯାଇଛି।  ଅନ୍ୟ ଏକ ସୂତ୍ରରୁ ସୂଚନା ମିଳିଛି ଯେ ଏୟାର ଇଣ୍ଡିଆ ଏକ୍ସପ୍ରେସ ମଧ୍ୟ ଏହାର ବିମାନ ନମ୍ବର ଆଇଏକ୍ସ ୧୭୧କୁ ହଟାଇ ଦେବାକୁ ନିଷ୍ପତ୍ତି ନେଇଛି। ପ୍ରାଣ ହରାଇଥିବା ଲୋକଙ୍କ ଆତ୍ମା ପ୍ରତି ସମ୍ମାନ ସ୍ବରୂପ ବିମାନ ନମ୍ବରକୁ ହଟାଇ ଦିଆଯାଏ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୦ ମସିହାରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନ ଦୁର୍ଘଟଣା କୋଝିକୋଡରେ ହୋଇଥିଲା। ଏଥିରେ ୨୧ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ସେହି ବିମାନ ନମ୍ବରକୁ ହଟାଇ ଦିଆଯାଇଥିଲା।

‘୧୧ଏ’ ସିଟ୍‌ର ଆକର୍ଷଣ ବଢ଼ୁଛି

କୋଲକାତା: ଏୟାର ଇଣ୍ଡିଆର ଅହମଦାବାଦ-ଲଣ୍ଡନ ବିମାନରେ ୧୧ଏ ନମ୍ବର ସିଟ୍‌ରେ ଯାତ୍ରା କରୁଥିବା ବିଶ୍ବାସ କୁମାର ରମେଶ ଅବିଶ୍ବସନୀୟଭାବେ ବଞ୍ଚିଯିବା ଫଳରେ ଏହି ସିଟ୍‌ରେ ବସି ଯାତ୍ରା କରିବାର ମାନସିକତା ଅନ୍ୟ ଯାତ୍ରୀଙ୍କ ଠାରେ ଦେଖିବାକୁ ମିଳିଛି। ବିମାନର ଏହି ସିଟ୍‌ ପ୍ରତି ଯାତ୍ରୀଙ୍କ ଆକର୍ଷଣ ବଢ଼ିଛି। 
ଉକ୍ତ ସିଟ୍‌ଟି ବିମାନର ଜରୁରୀକାଳୀନ ‌ଦ୍ବାର ନିକଟରେ ରହିଥିଲା। ଅବଶ୍ୟ ବିମାନର ଆକାର ଏବଂ ବର୍ଗ ଦୃଷ୍ଟିରୁ ଜରୁରୀକାଳୀନ ଦ୍ବାର ନିକଟରେ ଥିବା ସିଟ୍‌ ନମ୍ବର ଭିନ୍ନ ଭିନ୍ନ ରହିଥାଏ। ଟ୍ରାଭେଲ ଏଜେଣ୍ଟସ ଫେଡେରେସନ ଅଫ୍ ଇଣ୍ଡିଆର ନ୍ୟାସନାଲ କମିଟି ସଦସ୍ୟ ଅନୀଲ ପଞ୍ଜାବୀ ମଧ୍ୟ ଜରୁରୀକାଳୀନ ଦ୍ବାର ନିକଟରେ ଥିବା ସିଟ୍‌ର ଚାହିଦା ବଢ଼ିଥିବା ବିଷୟକୁ ସ୍ବୀକାର କରିଛନ୍ତି। ଜରୁରୀକାଳନୀ ଦ୍ବାର ନିକଟରେ ନଥିଲେ ମଧ୍ୟ ଅନେକ ଯାତ୍ରୀ ୧୧ଏ ସିଟ୍‌କୁ ପସନ୍ଦ କରୁଛନ୍ତି। ଭାରତୀୟ ‌ଟ୍ରାଭେଲ ‌ଏଜେଣ୍ଟ ସଂଘର ପୂର୍ବାଞ୍ଚଳ ଅଧ୍ୟକ୍ଷ ଅଞ୍ଜନି ଧନୁକା କହିଛନ୍ତି, ବିମାନରେ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ଠାରୁ ସେ ଜରୁରୀକାଳୀନ ଦ୍ବାର ନିକଟ କିମ୍ବା ୧୧ଏ ସିଟ୍‌ ସଂପର୍କରେ ଅନୁସନ୍ଧାନ ହାସଲ କରୁଛନ୍ତି। ଯାତ୍ରୀମାନଙ୍କର ଏହା ଏକ ମାନସିକତା ଏବଂ ଭାଗ୍ୟରେ ବିଶ୍ବାସ ହୋଇପାରେ। ଯାତ୍ରୀମାନେ ଏହା ଏକ ମାନସିକ ଶାନ୍ତି ବୋଲି କହୁଥିବା ସେ ମତ ଦେଇଛନ୍ତି।  

ଅନ୍ୟପକ୍ଷରେ ବିମାନସେବା କ୍ଷେତ୍ରର ବିଶେଷଜ୍ଞଙ୍କ କହିବାନୁଯାୟୀ, ଜରୁରୀକାଳୀନ ଦ୍ବାର ନିକଟରେ ଥିବା ସିଟ୍‌ ଦୁର୍ଘଟଣା ସମୟରେ ଅତିରିକ୍ତ ସୁରକ୍ଷା ଦେଇ ନଥାଏ। କିନ୍ତୁ ସେହି ସିଟ୍‌ରେ ଅଧିକ ଲେଗ୍‌ରୁମ ବା ଗୋଡ଼ ଲମ୍ବାଇବାକୁ ଅଧିକ ଜାଗା ମିଳିଥାଏ।  ଯିବା ଆସିବାରେ ଅସୁବିଧାର ସାମ୍ନା କରୁଥିବା ବ୍ୟକ୍ତି, ଦିବ୍ୟାଙ୍ଗ ବ୍ୟକ୍ତି ଏବଂ ପିଲାଙ୍କୁ ଧରି ଯାତ୍ରା କରୁଥିବା ବ୍ୟକ୍ତିମାନଙ୍କୁ ଏସବୁ ସିଟ୍‌ ସାଧାରଣତଃ ଦିଆଯାଇ ନଥାଏ। ଏଥିସହିତ ଏହି ସିଟ୍‌ରେ ବସିଥିବା ବ୍ୟକ୍ତିମାନଙ୍କୁ ଜରୁରୀକାଳୀନ ପରିସ୍ଥିତିରେ କିଭଳି ଏହି ଦ୍ବାର ଖୋଲିବ ସେ ନେଇ ସୂଚନା ଦିଆଯାଇଥାଏ। କିଛି ଯାତ୍ରୀ କିଭଳି ଜରୁରୀ ସ୍ଥିତିରେ ଦ୍ବାର ଖୋଲିବାକୁ ହେବ ସେ ନେଇ ଅବଗତ ହେବାକୁ ଚାହି ନଥାନ୍ତି। ଏଥିସହିତ ଏହି ସିଟ୍‌ଟି ପଛକୁ ସେତେଟା ଢଳି ନଥାଏ। ତେଣୁ ପୂର୍ବରୁ କେତେକ ଯାତ୍ରୀ ଏହି ସିଟ୍‌ ନେବାକୁ ଆଗ୍ରହ ଦେଖାଉ ନଥିଲେ। କିନ୍ତୁ ଏବେ ହଠାତ ଏହି ସିଟ୍‌ ପ୍ରତି ଆଗ୍ରହ ବଢ଼ିଯାଇଛି।