ରେଳ ଟିକଟ କନ୍‌ଫର୍ମ ନହେଲେ ବିମାନରେ ଯାତ୍ରା ସୁଯୋଗ

ଭୁବନେଶ୍ବର: ଯେଉଁ ରେଳଯାତ୍ରୀମାନଙ୍କ ଟିକଟ ୱେଟିଂ ଲିଷ୍ଟ୍‌ରେ ସାମିଲ ହୋଇଥାଏ ସେମାନେ ନିଜର ଯାତ୍ରା ଯୋଜନା ପ୍ରସ୍ତୁତ କରିବା ବେଳେ ଅତ୍ୟନ୍ତ ଚାପରେ ରହିଥାଆନ୍ତି। ୱେଟିଂ ଲିଷ୍ଟ୍‌ କିମ୍ବା ଆର୍‌ଏସିରେ ଥିଲେ ଟିକଟ କନଫର୍ମ ହେବାର କମ୍ ସମ୍ଭାବନା ଥାଏ। ଏହି ଧରଣର ଯାତ୍ରୀମାନଙ୍କୁ ଚାର୍ଟ ତିଆରି ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥାଏ। ଯେଉଁ ଯାତ୍ରୀମାନଙ୍କ ଟିକଟ କନ୍‌ଫର୍ମ ହୋଇପାରୁନାହିଁ ସେମାନଙ୍କୁ ବିମାନରେ ଯାତ୍ରା କରିବାର ସୁବିଧା ଦେଉଛି ମୁମ୍ବାଇର ଏକ ଷ୍ଟାର୍ଟଅପ୍ ସଂସ୍ଥା ରେଲୋଫାଏ। ଏହି ସଂସ୍ଥା ‌‌ରେଳ ଯାତ୍ରୀଙ୍କୁ ୱେଟିଂ ଲିଷ୍ଟ୍‌ ଓ ଆରଏସିରୁ ସୁରକ୍ଷା ପ୍ରଦାନ କରୁଛି। ଏହି ସୁବିଧା ପାଇବାକୁ ହେ‌ଲେ ଯାତ୍ରୀମାନଙ୍କୁ ରେଲୋଫାଏର ୱେବସାଇଟ୍ କିମ୍ବା ଆପ୍‌ରେ ପିଏନ୍‌ଆର୍‌ ନମ୍ବର ଦେଇ ୨୦୦ ଟଙ୍କା ମୂଲ୍ୟରେ ଏକ ପ୍ରୋଟେକ୍ସନ କିଣିବାକୁ ପଡ଼ିବ। ଯଦି ଯାତ୍ରୀଙ୍କ ଟିକଟ କନଫର୍ମ ନହୁଏ ତେବେ ତାଙ୍କୁ ଆଉ କିଛି ସ୍ବଳ୍ପ ମୂଲ୍ୟରେ ବିମାନ ଟିକଟ ଯୋଗାଇ ଦିଆଯାଏ। ପ୍ରୋଟେକ୍ସନ କିଣିବା ବେଳେ ସେହି ମୂଲ୍ୟ ବିଷୟରେ ଯାତ୍ରୀମାନଙ୍କୁ ସୂଚିତ କରାଯାଏ। ଯେଉଁ ଯାତ୍ରୀମାନଙ୍କ ଟିକଟ କନ୍‌ଫର୍ମ ହେବ ସେମାନେ ପ୍ରୋଟେକ୍ସନ କିଣିବା ଲାଗି ଦେଇଥିବା ଟଙ୍କା ହରା‌ଇବେ।

ସମ୍ବନ୍ଧିତ ଖବର