ଭୁବନେଶ୍ବର: ଓଡ଼ିଶା ଅର୍ଥନୀତିକୁ ଆଗକୁ ନେବା ସହିତ ଲୋକଙ୍କୁ ଉନ୍ନତ ଯାତାୟାତ ସୁବିଧା ଯୋଗାଇ ଦେବାଲାଗି ସରକାର ଭିଜନ ୨୦୩୬ ଏବଂ ୨୦୪୭ରେ ବ୍ୟାପକ ଯୋଜନା କରିଛନ୍ତି। ସଡ଼କ, ରେଳ, ଜଳମାର୍ଗ ଏବଂ ଆକାଶପଥରେ ଯୋଗାଯୋଗ ଭିତ୍ତିଭୂମିକୁ ବଢ଼ାଇବା ପାଇଁ ଏଥିରେ ନକ୍ସା ଅଙ୍କା ଯାଇଛି। ୨୦୪୭ ବେଳକୁ ରାଜ୍ୟରେ ଅତିକମ୍‌ରେ ୧୫ଟି ବିମାନବନ୍ଦର ସ୍ଥାପନ ହେବ। ପ୍ରତି ୧୦ ଲକ୍ଷ ଲୋକରେ ୫ ଲକ୍ଷରୁ ଅଧିକ ଲୋକ ଯେଭଳି ବିମାନରେ ଯାତ୍ରା କରିବେ ସେ ନେଇ ବ୍ୟବସ୍ଥା କରାଯିବ। ରାଜ୍ୟରେ ସଂପ୍ରତି ୫ଟି ବିମାନବନ୍ଦର କାର୍ଯ୍ୟକ୍ଷମ ରହିଛି। ସେଗୁଡ଼ିକ ହେଲା ଭୁବନେଶ୍ବର, ଝାରସୁଗୁଡ଼ା, ରାଉରକେଲା, ଜୟପୁର ଏବଂ ଉତ୍କେଲା।

Advertisment

ଏଥିରୁ ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନବନ୍ଦର ହୋଇଥିବାବେଳେ ଅନ୍ୟ ୪ଟି ଡୋମେଷ୍ଟିକ୍ ବିମାନବନ୍ଦର। ୨୦୩୦ ବେଳକୁ ଭୁବନେଶ୍ବର ବିମାନବନ୍ଦରର କ୍ଷମତା ପୂର୍ଣ୍ଣ ଉପଯୋଗ ହୋଇସାରିଥିବ। ଏହି ସମୟ ବେଳକୁ ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ସ୍ଥାପନ ଲକ୍ଷ୍ୟ ରଖାଯାଇଛି। ୨୦୩୬ ସୁଦ୍ଧା ଉଡାନ୍ ଯୋଜନାରେ ଅତିକମ୍‌ରେ ୫ଟି ବିମାନବନ୍ଦରର ବିକାଶ ହେବ ବୋଲି ଏଥିରେ କୁହାଯାଇଛି। ରାଜ୍ୟରେ ସଂପ୍ରତି ପ୍ରତି ୧୦ ଲକ୍ଷ ଲୋକରେ ୮୬ ହଜାର ଲୋକ ବିମାନରେ ଯାତ୍ରା କରୁଛନ୍ତି। କିନ୍ତୁ ଜାତୀୟସ୍ତରରେ ଏହି ସଂଖ୍ୟା ୨,୪୦,୦୦୦ ରହିଛି।  ଆସନ୍ତା ୨୪ ମାସ ମଧ୍ୟରେ ଦେଶର ୧୦ଟି ଏବଂ ବିଦେଶର ୩ଟି ନୂଆ ସ୍ଥାନକୁ ସିଧାସଳଖ ବିମାନ ଓଡ଼ିଶାରୁ ଉଡ଼ିବ। ଦ୍ବିତୀୟ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରାଯିବ ବୋଲି ଭିଜନ ଦସ୍ତାବିଜ୍‌ରେ କୁହାଯାଇଛି। 

୨୦୩୦ ସୁଦ୍ଧା ହେବ ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର
ଉଡାନ୍‌ରେ ୨୦୩୬ ସୁଦ୍ଧା ୫ ବିମାନବନ୍ଦରର ବିକାଶ
ରେଳ ନେଟୱର୍କ ଦୁଇଗୁଣା ବଢ଼ି ‌୬ ହଜାର କିମି ହେବ

ସଡ଼କ ନେଟୱର୍କ‌ରେ ଓଡ଼ିଶା ଦେଶର ପଞ୍ଚମ ବୃହତ୍। ରାଜ୍ୟରେ ମୋଟ ୧ ଲକ୍ଷ ୩୦ ହଜାର କମିର ସଡ଼କ ନେଟୱର୍କ ରହିଛି। ୨୦୩୬ ସୁଦ୍ଧା ସବୁ ଗ୍ରାମପଞ୍ଚାୟତକୁ ସବୁଦିନିଆ ରାସ୍ତା ଉପଲବ୍ଧ ହେବ। ୨୦୩୦ ମସିହା ସୁଦ୍ଧା ପ୍ରାୟ ୭୫ ହଜାର କିମି ରାସ୍ତାର ଆଧୁନିକୀକରଣ କରାଯିବ। ଏଥିରେ ୩୦ ହଜାର କିମି ଗ୍ରାମୀଣ ରାସ୍ତା ରହିଛି। ସେହିଭଳି ଆସନ୍ତା ୨ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୩ କାମ ଶେଷ ହେବ ଏବଂ ଅତିକମ୍‌ରେ ୧୫ ହଜାର କିମି ସଡ଼କର ଆଧୁନିକୀକରଣ କରାଯିବ। ବସ୍, ମେଟ୍ରୋ ଏବଂ ଟ୍ୟାକ୍ସିରେ ଯାତ୍ରା ପାଇଁ ଏକକ ଟିକଟ ବ୍ୟବସ୍ଥା (ଏସ୍‌ଟିଏସ୍)କୁ ୨୦୩୦ ସୁଦ୍ଧା କାର୍ଯ୍ୟକାରୀ କରାଯିବ। ସବୁ ବସ୍ ଷ୍ଟାଣ୍ଡ୍‌ରେ ପର୍ଯ୍ୟାପ୍ତ ସଂଖ୍ୟାରେ ପାଇଖାନା ଓ ଅନ୍ୟାନ୍ୟ ସୁବିଧା ୨୦୩୦ ସୁଦ୍ଧା ରହିବ। ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ପ୍ରଯୁକ୍ତିର ସହାୟତା ନିଆଯିବ। ୨୦୩୦ ସୁଦ୍ଧା ପୁରୀ-ଭୁବନେଶ୍ବର-କଟକ-ପାରାଦୀପ ମଧ୍ୟରେ ରାପିଡ ବସ୍‌ ଟ୍ରାଞ୍ଜିଟ ସିଷ୍ଟମ୍‌ର ବିକାଶ କରାଯିବ। 

ସଡ଼କରେ ବର୍ତ୍ତମାନ ବିଦ୍ୟୁତ ଯାନ/ବିକଳ୍ପ ଇନ୍ଧନରେ ଚାଳିତ ଯାନ ସଂଖ୍ୟା ଏବେ କମ୍‌ ରହିଛି। ମୋଟ ନୂଆ ଗାଡ଼ି ବିକ୍ରିରେ ଇଭି ପ୍ରାୟ ୭ ପ୍ରତିଶତ ଥିବାବେଳେ ୨୦୪୭ ବେଳକୁ ପାଖାପାଖି ୮୦ ପ୍ରତିଶତ ଲକ୍ଷ୍ୟ ହାସଲ ପାଇଁ ଯୋଜନା ହୋଇଛି। ଏଥିସହିତ ରାଜ୍ୟରେ ବର୍ତ୍ତମାନ ୩ ହଜାର କିମିର ରେଳ ନେଟୱର୍କ (ପ୍ରତି ବର୍ଗ କିମିରେ ୦.୦୪ କିମି) ରହିଛି। ତେଣୁ ଆସନ୍ତା ୨୨ ବର୍ଷ ମଧ୍ୟରେ ଏହାକୁ ଦୁଇଗୁଣା କରି ୬ ହଜାର କିମିକୁ ବଢ଼ାଇବା ପାଇଁ ଯୋଜନା ରହିଛି। ‌ବନ୍ଦର ଜରିଆରେ ଦେଶରେ ହେଉଥିବା ମୋଟ ମାଲ ପରିବହନର ୧୩ ପ୍ରତିଶତ ସଂପ୍ରତି ଓଡ଼ିଶାର ବନ୍ଦରଗୁଡ଼ିକ ଜରିଆରେ ହେଉଛି। ୨୦୪୭ ସୁଦ୍ଧା ଏହାକୁ ୩୩ ପ୍ରତିଶତରେ ପହଞ୍ଚାଇବା ଲକ୍ଷ୍ୟ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ରେ ରଖାଯାଇଛି।