ଆମେରିକା ଓ ଫ୍ରାନ୍ସକୁ ବିମାନ ଉଡ଼ିବ, ଏହି ଦୁଇ ଦେଶର ବିମାନ ଭାରତ ଆସିବ

ନୂଆଦିଲ୍ଲୀ: ଆମେରିକା ଓ ଫ୍ରାନ୍ସ ସହିତ ଆନ୍ତର୍ଜାତିକ ବିମାନ ସେବା ଖୁବ୍‌ଶୀଘ୍ର ଆରମ୍ଭ ହେବ। ଉଭୟ ପକ୍ଷରୁ ବିମାନ ଚଳାଚଳ ହେବ। ଏନେଇ ଏହି ଦୁଇ ଦେଶ ସହିତ ନିର୍ଦିଷ୍ଟ ଦ୍ବିପାକ୍ଷିକ ବୁଝାମଣା (ଏୟାର୍‌ ବବଲ୍‌) ସ୍ବାକ୍ଷରିତ ହୋଇଛି ବୋଲି‌ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି। ସେହି ସମାନ ଢାଞ୍ଚାରେ ଜର୍ମାନି ଓ ବ୍ରି‌ଟେନ୍‌କୁ ମଧ୍ୟ ଖୁବ୍‌ଶୀଘ୍ର ବିମାନ ଚଳାଚଳ ପାଇଁ ଅନୁମତି ଦିଆଯିବ ବୋଲି ସେ କହିଛନ୍ତି। ଏୟାର ବବଲ୍‌ ହେଉଛି ଏକପ୍ରକାର ଦ୍ବିପାକ୍ଷିକ ବ୍ୟବସ୍ଥା ଯେଉଁଥିରେ ଦୁଇଟି ଦେଶ ନିଜ ଆଡ଼ୁ ଧାର୍ଯ୍ୟ କରିଥିବା ନିୟାମକ ବ୍ୟବସ୍ଥା ଓ କଟକଣା ଜରିଆରେ ବିମାନ ଚଳାଚଳ କରିବେ। ଚଳିତ ମାସ ୧୮ରୁ ଜୁଲାଇ ୧ ମଧ୍ୟରେ ଏୟାର ଫ୍ରାନ୍ସର ୨୮ଟି ବିମାନ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଓ ପ୍ୟାରିସ୍‌ ମଧ୍ୟରେ ଯାତ୍ରା କରିବ।

ଆମେରିକାର ବିମାନ କଂପାନି ୟୁନାଇଡେଟ୍‌ ଏୟାରଲାଇନ୍ସ ଚଳିତ ମାସ ୧୭ରୁ ୩୧ ତାରିଖ ଭିତରେ ଭାରତ ଓ ଆମେରିକା ମଧ୍ୟରେ ୧୮ଟି ବିମାନ ଚଲାଇବ। ଖୁବ୍‌ଶୀଘ୍ର ଦିଲ୍ଲୀରୁ ଲଣ୍ଡନ ମଧ୍ୟରେ ଦିନକୁ ଦୁଇଟି ବିମାନ ଚଳାଚଳ ପାଇଁ ଅନୁମତି ଦେବା ଲାଗି କଥାବାର୍ତା ଚାଲିଛି। ଲୁଫଥାନ୍‌ସାର ବିମାନ ଉଡ଼ାଣ ପାଇଁ ଅନୁମତି ଦେବାକୁ ଜର୍ମାନି ମଧ୍ୟ ଅନୁରୋଧ କରିଛି ବୋଲି ଶ୍ରୀ ପୁରୀ କହିଛନ୍ତି।

ସମ୍ବନ୍ଧିତ ଖବର