ପୁଣି ଥରେ ଶୀଘ୍ର ଆରମ୍ଭ ହେବ ବିମାନ ଉଡ଼ାଣ, ବାଧ୍ୟତାମୂଳକ ଆରୋଗ୍ୟ ସେତୁ ଆପ୍

କ୍ୟାବିନ୍‌ ବ୍ୟାଗେଜ୍ ଅନୁମତି ମିଳିବନି

ନୂଆଦିଲ୍ଲୀ: ବିମାନ ଉଡ଼ାଣକୁ ପୁଣି ଥରେ ଆରମ୍ଭ କରିବା ଲାଗି ପ୍ରସ୍ତୁତି ଚାଲିଛି। ଯାତ୍ରୀମାନଙ୍କ ସୁରକ୍ଷା ଲାଗି କେତେକ ନୂତନ ନିୟମ ପ୍ରସ୍ତୁତ କରାଯାଇଛି। ବିମାନ ଉଡ଼ାଣ ସମୟର ଦୁଇ ଘଣ୍ଟା ପୂର୍ବରୁ ଯାତ୍ରୀଙ୍କୁ ବିମାନ ବନ୍ଦରରେ ପହଞ୍ଚିବାକୁ ପଡ଼ିବ। ସେମାନଙ୍କ ଫୋନ୍‌ରେ ଆରୋଗ୍ୟ ସେତୁ ଆପ୍ ରହିବା ବାଧ୍ୟତାମୂଳକ କରାଯାଇଛି। କୌଣସି ଯାତ୍ରୀଙ୍କୁ କ୍ୟାବିନ୍ ବ୍ୟାଗେଜ୍ ନେବାର ଅନୁମତି ମଧ୍ୟ ମିଳିବ ନାହିଁ।

ଦେଶର ବାଣିଜ୍ୟିକ ବିମାନ ଉଡ଼ାଣ ଆରମ୍ଭ କରିବା ଲାଗି ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ (ଡିଜିସିଏ) ମାନକ ସହ କାର୍ଯ୍ୟ ସମ୍ପାଦନ ପ୍ରକ୍ରିୟାର ଏକ ଚିଠା ପ୍ରସ୍ତୁତ କରିଛି। ଆସୁଥିବା ଏବଂ ଯାଉଥିବା ସମସ୍ତ ଯାତ୍ରୀଙ୍କ ଶରୀରର ତାପମାତ୍ରା ଯାଞ୍ଚ କରିବା, ୱେବ୍-ଚେକ୍‌ ଇନ୍ ଆଦି ପାଇଁ ମଧ୍ୟ ଏହି ଚିଠାରେ ପ୍ରସ୍ତାବ ଦିଆଯାଇଛି। କ୍ରୁ ସଦସ୍ୟମାନଙ୍କୁ ମଧ୍ୟ ଅଦଳବଦଳ କରି ଡ୍ୟୁଟିରେ ରଖିବା ଲାଗି ପରାମର୍ଶ ଦିଆଯିବ ବୋଲି ପ୍ରସ୍ତାବ ରହିଛି। କେବଳ ଯାତ୍ରୀ ନୁହନ୍ତି, ବିମାନ ବନ୍ଦର ପରିଚାଳନା କରୁଥିବା କର୍ତ୍ତୃପକ୍ଷ ଏବଂ ନିରାପତ୍ତା କର୍ମୀଙ୍କ ପାଇଁ ମଧ୍ୟ ଏକ ଚିଠା ପ୍ରସ୍ତୁତ କରାଯାଇଛି। ସାମାଜିକ ଦୂରତ୍ବ ବଜାୟ ରଖିବା ଲାଗି ସେମାନଙ୍କୁ କୁହାଯିବ। ଏହା ବ୍ୟତୀତ ପ୍ରବେଶ ପଥରେ ପରିଚୟ ଯାଞ୍ଚ କରିବା ବ୍ୟବସ୍ଥାକୁ ହଟାଇଦିଆଯିବ। ଅସୁସ୍ଥ ଥିବା ବ୍ୟକ୍ତି ଯଦି ବିମାନରେ ଯାତ୍ରା କରନ୍ତି ତେବେ ତାଙ୍କ ପାଖାପାଖି ଥିବା ତିନି ଧାଡ଼ି ସିଟ୍‌କୁ ଫାଙ୍କା ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ବିମାନ ଚଳାଚଳ କରୁଥିବା କଂପାନି ଏବଂ ଅପରେଟରମାନଙ୍କ ସମେତ ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା ପରେ ଡିଜିସିଏ ଏହି ଚିଠା ପ୍ରସ୍ତୁତ କରିଛି। ତେବେ ପୁଣି ଥରେ ବିମାନ ଚଳାଚଳ ଆରମ୍ଭ କରିବା ପରେ ତିନିଟି ସିଟ୍‌ ମଧ୍ୟରୁ ମଝି ସିଟ୍‌ଟି ଫାଙ୍କା ରଖିବା ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ।

ସମ୍ବନ୍ଧିତ ଖବର