ସମ୍ବଲପୁର: ହସ୍ତଶିଳ୍ପୀ, ବୁଣାକାର ଓ ସେମାନଙ୍କ ଦ୍ବାରା ପରିଚାଳିତ କ୍ଷୁଦ୍ର ବ୍ୟବସାୟର ପ୍ରୋତ୍ସାହନ ପାଇଁ ଫ୍ଲିପ୍‌କାର୍ଟ ଓ ଆଇଆଇଏମ୍‌ ସମ୍ବଲପୁର ମଧ୍ୟରେ ଏକ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢ଼ୀଙ୍କ ଉପସ୍ଥିତିରେ ଆଇଆଇଏମ୍‌ ସମ୍ବଲପୁରର ନିର୍ଦ୍ଦେଶକ ପ୍ର. ମହାଦେବ ପ୍ରସାଦ ଜୟସ୍ବାଲ ଏବଂ ଫ୍ଲିପ୍‌କାର୍ଟର ମୁଖ୍ୟ କର୍ପୋରେଟ୍ ବ୍ୟାପାର ଅଧିକାରୀ ରଜନୀଶ କୁମାରଙ୍କ ମଧ୍ୟରେ ଭର୍ଚୁଆଲ୍‌ ମାଧ୍ୟମରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁଯାୟୀ ଆଇଆଇଏମ୍ ସମ୍ବଲପୁର ଓଡ଼ିଶାର ଶିଳ୍ପୀ ଓ ବୁଣାକାର ମାନଙ୍କୁ ଚିହ୍ନଟ କରି ଫ୍ଲିପ୍‌କାର୍ଟର ସମର୍ଥ ଯୋଜନା ବା ଅଭିଯାନରେ ସାମିଲ କରାଇବ। ଫ୍ଲିପ୍‌କାର୍ଟ ବୃହତ୍ ଇ-ବଜାର ଜରିଆରେ ଏହି ସ୍ଥାନୀୟ ଶିଳ୍ପୀ ଓ ବୁଣାକାରଙ୍କ ଉତ୍ପାଦ ସାରା ଦେଶର ଗ୍ରାହକଙ୍କ ନିକଟରେ ପହଞ୍ଚି ପାରିବ।

Advertisment

ଏହା ବ୍ୟତୀତ ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଏହି ଶିଳ୍ପୀ ଓ ବୁଣାକାର ମାନଙ୍କୁ ବାଣିଜ୍ୟ ପ୍ରବନ୍ଧନ, ମାର୍କେଟିଂ ଓ ଆକାଉଣ୍ଟିଂ ଆଦିର ତାଲିମ ପ୍ରଦାନ କରାଯିବ। ପିପିଲି ଚାନ୍ଦୁଆ ହେଉ କି ସୁକୁଆପଡ଼ା ପଥରକାମ, ଓଡ଼ିଶା ବିଭିନ୍ନ ପ୍ରକାର ଆକର୍ଷଣୀୟ ହସ୍ତଶିଳ୍ପ ପାଇଁ ସମୃଦ୍ଧ। ଆଇଆଇଏମ୍ ଓ ଫ୍ଲିପ୍‌କାର୍ଟ ମଧ୍ୟରେ ଭାଗୀଦାରି ବଳରେ ଏହି ପ୍ରସିଦ୍ଧ କଳା ଓ କାରିଗରୀର ଛାପ ବିଶ୍ବ ବଜାରରେ ଦେଖିବାକୁ ମିଳିବ ଓ ସ୍ଥାନୀୟ ଉତ୍ପାଦ ପାଇଁ ଏକ ବୃହତ୍ ବଜାରର ଦ୍ବାର ଉନ୍ମୁକ୍ତ ହେବ।