ନୂଆଦିଲ୍ଲୀ: ଆପଣ ଜାଣନ୍ତି ନିଶ୍ଚୟ ଯେ ଅନ୍ୟ ସମସ୍ତ ଇ-କମର୍ସ ସାଇଟ୍‌ ତୁଳନାରେ ଫ୍ଲିପ୍‌କାର୍ଟର ବିକ୍ରୟ ଯଥେଷ୍ଟ ଅଧିକ। ଅପେକ୍ଷାକୃତ ଶସ୍ତା ଜିନିଷ ଦେବାରେ ଏହି ଇ-କମର୍ସ ସାଇଟ୍‌ର ସୁନାମ ଥିବା ବେଳେ ନିକଟରେ ଏକ ଘଟଣା ଜଣେ ଗ୍ରାହକଙ୍କୁ ଅସନ୍ତୁଷ୍ଟ କରିଛି।

Advertisment

କମ୍ପାନି ଉପରେ ଅସନ୍ତୋଷ ପ୍ରକାଶ କରି ଗ୍ରାହକ ଜଣକ ଫ୍ଲିପକାର୍ଟ ‘ହ୍ୟାଣ୍ଡେଲିଂ ଫି ନାମରେ ଅତିରିକ୍ତ ଚାର୍ଜ ନେଉଛି ବୋଲି ଅଭି‌ଯୋଗ ଆଣିଛନ୍ତି। ଉପଭୋକ୍ତା ଏକ ସ୍କ୍ରିନ୍‌ସଟ୍‌ ସେୟାର କରି ଅସନ୍ତୋଷ ବ୍ୟକ୍ତ କରିବା ପରେ ଏହା ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚାର ପ୍ରମୁଖ ବିଷୟ ପାଲଟିଛି।

ସେ ସେୟାର୍‌ କରିଥିବା ସ୍କ୍ରିନ୍‌ସଟ୍‌ରେ ୬୦୦୦ ଟଙ୍କାର ବିଲ୍‌ ଉପରେ ୪୯ ଟଙ୍କା ହ୍ୟାଣ୍ଡେଲିଂ ଫି ପକାଇଛି କମ୍ପାନି। ଏହାକୁ ବିରୋଧ କରିଛନ୍ତି ଗ୍ରାହକ ଜଣକ। ଫ୍ଲିପ୍‌କାର୍ଟ ଆଗରୁ ହିଁ ସେଲି ଓ ପ୍ୟାକେଜିଂ ଫି ନେଉଥିବା ବେଳେ ଏକ ନୂଆ ଫି ଦେଖି ଗ୍ରାହକ ଜଣକ ଚିଡ଼ି ଯାଇଛନ୍ତି।

ଫ୍ଲିପକାର୍ଟ ବ୍ୟବହାରକାରୀ ଜଣକ ‘ହ୍ୟାଣ୍ଡେଲିଂ ଫି ଯୋଗୁ ବହୁତ କ୍ରୋଧିତ ହୋଇଥିବା ଦେଖିବାକୁ ମିଳିଛି।  ଟ୍ୱିଟର ଯଥା ‘ଏକ୍ସ’ ପ୍ଲାଟଫର୍ମରେ ଫ୍ଲିପକାର୍ଟ ବ୍ୟବହାରକାରୀଙ୍କ ତରଫରୁ ଅସନ୍ତୋଷ ପ୍ରକାଶ ପାଇଛି।

ଅତୁଲ ଶର୍ମା ନାମକ ଏହି ବ୍ୟବହାରକାରୀ ଟୁଇଟ୍ କରି କହିଛନ୍ତି ଯେ ‘କିଛି ଦିନ ପରେ ଫ୍ଲିପକାର୍ଟରୁ କର୍ମଚାରୀଙ୍କ ବେତନ ଫି, ସର୍ଭର ଫି, ଡେଲିଭରି ପେଟ୍ରୋଲ ଫି, ବକ୍ସ ଟ୍ୟାପିଂ ଫି, ଆପ୍ ଡାଉନଲୋଡ୍ ଫି ଏବଂ ଅର୍ଡର ଫି ଆଦି ଚାର୍ଜ କରାଯିବାର ଦେଖିବାକୁ ମିଳିବ।’

ସୂଚନାଯୋଗ୍ୟ, ଫ୍ଲିପକାର୍ଟ ହ୍ୟାଣ୍ଡଲିଂ ଫି ଲାଗୁ କରିବା ନୂଆ କଥା ନୁହେଁ। ନଭେମ୍ବର ୨୦୨୨ ମସିହାରେ ପ୍ରଥମ ଥର ପାଇଁ, ଫ୍ଲିପକାର୍ଟ ହ୍ୟାଣ୍ଡେଲିଂ ଫି ଲାଗୁ କରିଥିଲା। ଏହା ଅଧୀନରେ ୫୦୦ରୁ ଅଧିକ ଡେଲିଭରି ଅର୍ଡର ଉପରେ ନଗଦ ୪୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା ଓ ୫୦୦ରୁ କମ୍ ଟଙ୍କାର ଡେଲିଭରି ଉପରେ ୫ ଟଙ୍କା ଶୁକ୍ଳ ଲାଗୁ କରାଯାଇଥିଲା।