ନୂଆଦିଲ୍ଲୀ: ପାକିସ୍ତାନରେ ଘୋର ଅର୍ଥନୈତିକ ସଙ୍କଟ ଦେଖାଦେଇଛି। ଏଥି ସହିତ ଖାଦ୍ୟ ସଙ୍କଟ ସ୍ଥିତିକୁ ଆହୁରି ଗମ୍ଭୀର କରିଦେଇଛି। ଅଟା ନେବା ଲାଗି ଲୋକମାନଙ୍କ ଭିତରେ ବଜାରରେ ଭିଡ଼ାଟଣା ହେଉଛି। ବଜାରକୁ ଆସୁଥିବା ଟ୍ରକ୍‌ରୁ ଲୋକମାନେ ଅଟା ବସ୍ତାକୁ କିଣିବା ଲାଗି ଭିଡ଼ ଜମାଉଛନ୍ତି। କିଏ ଆଗ ପାଇବ ତାହାକୁ ନେଇ ଠେଲାପେଲା ମଧ୍ୟ ହେଉଛି। ପାକିସ୍ତାନର ଅଧିକାଂଶ ଅଞ୍ଚଳରେ ଅଟାର ଅଭାବ ଦେଖାଦେଇଛି। ସେଠାରେ ବସ୍ତା ପିଛା ୩୦୦୦ ପାକିସ୍ତାନୀ ଟଙ୍କାରେ ଅଟା ବିକ୍ରି ହେଉଛି।

Advertisment

ଠିକ୍ ଭାବେ ଅଟା ମିଳୁନଥିବାରୁ ନିମ୍ନ ଆୟବର୍ଗର ଲୋକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସରକାର ରିହାତି ଦାମ୍‌ରେ ଦେଉଥିବା ଅଟା ପାଇବା ଲାଗି ‌ଗରିବ ଲୋକମାନେ ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡ଼ିରେ ଠିଆ ହେଉଛନ୍ତି। କେବଳ ଅଟା ନୁହେଁ, ‌ଅନ୍ୟାନ୍ୟ ଆବଶ୍ୟକତ ସାମଗ୍ରୀର ମଧ୍ୟ ଘୋର ଅଭାବ ଦେଖାଦେଇଛି। ଅଟା ବସ୍ତା ନେବା ଲାଗି ଲୋକମାନଙ୍କ ଭିତରେ କିଭଳି ଭିଡ଼ାଟଣା ଚାଲିଛି ତାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଅଟା ବୋଝେଇ ଟ୍ରକ୍‌କୁ ସୁରକ୍ଷା ଦେବା ଲାଗି ସଶସ୍ତ୍ର ବାହିନୀ ଜରିଆରେ ତାହାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଉଛି।

ବେଲୁଚିସ୍ତାନର ମନ୍ତ୍ରୀ ଜମାରାକ୍ ଆକାଜାଇ କହିଛନ୍ତି ଯେ ଆଗାମୀ ଦିନରେ ସ୍ଥିତି ଆହୁରି ଗମ୍ଭୀର ହେବ। ବହୁ ସ୍ଥାନରେ ଗହମ ସମ୍ପୂର୍ଣ୍ଣ ଶେଷ ହୋଇଗଲାଣି। ଦରଦାମ୍‌ ସ୍ଥିତି ଉପରେ ନିୟନ୍ତ୍ରଣ ହାସଲ କରିବା ଲାଗି ସରକାରଙ୍କୁ ହସ୍ତକ୍ଷେପ କରିବାକୁ ପାକିସ୍ତାନରେ ଦାବି ହେଉଛି। ଖାଦ୍ୟ ବିଭାଗ ଓ ଅଟା କଳର କୁପରିଚାଳନା ପାଇଁ ଦେଶରେ ଅଟାର ଅଭାବ ଦେଖାଦେଇଛି ବୋଲି ଲୋକମାନେ ଅଭିଯୋଗ କରିଛନ୍ତି।