ଉଡ଼ିବ ଜେଟ୍‌ର ୪୦ ବିମାନ, ଲିଜ୍‌ରେ ନେଇ ଉଡ଼ାଇବେ ସ୍ପାଇସଜେଟ୍ ଓ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ବିମାନ ବନ୍ଦର ଗୁଡ଼ିକରେ ପଡ଼ି ରହିଥିବା ଜେଟ୍ ଏୟାରୱେଜ୍‌ର ପ୍ରାୟ ୪୦ରୁ ୪୫ଟି ବିମାନ ଆସନ୍ତା କିଛି ଦିନ ମଧ୍ୟରେ ପୁଣି ଉଡ଼ାଣ ଆରମ୍ଭ କରିବା ସମ୍ଭାବନା ସୃଷ୍ଟି ହୋଇଛି। ଆସନ୍ତା ସପ୍ତାହର ମଙ୍ଗଳବାର ସୁଦ୍ଧା ଏହି ଉଡ଼ାଣ ଆରମ୍ଭ ହୋଇପାରେ। ଅନ୍ୟତମ ଘରୋଇ ଏୟାରଲାଇନ ସ୍ପାଇସଜେଟ୍ ପକ୍ଷରୁ ଜେଟ୍‌ର ପ୍ରାୟ ୪୦ଟି ବିମାନ ଉଡ଼ାଣ ନେଇ ଯୋଜନା ଚାଲିଛି। ସ୍ପାଇସଜେଟ୍‌ ଜେଟ୍ ଏୟାରୱେଜ୍‌ର ବୋଇଂ ୭୩୭ ବିମାନକୁ ଉଡ଼ାଇପାରେ। ସେହିଭଳି ସରକାରୀ ଏୟାରଲାଇନ୍ ଏୟାର ଇଣ୍ଡିଆ ଜେଟ୍‌ର ୫ଟି ବୋଇଂ ୭୭୭ ବିମାନ ଉଡ଼ାଇବା ଯୋଜନା ରଖିଛି। ଏତଦ୍‌ବ୍ୟତୀତ ଏୟାର ଇଣ୍ଡିଆ କେତୋଟି ବୋଇଂ ୭୩୭ ବିମାନକୁ ଏହାର ଏୟାର ଇଣ୍ଡିଆ ଏକ୍ସପ୍ରେସ ପାଇଁ ମଧ୍ୟ ନେଇପାରେ। ତେଣୁ ଆସନ୍ତା ୧୦ ଦିନ ମଧ୍ୟରେ ପ୍ରାୟ ୪୦ରୁ ୫୦ଟି ବିମାନ ଉଡ଼ାଣ ଆରମ୍ଭ ହୋଇପାରେ। ଏହି ବିମାନ ଗୁଡ଼ିକୁ ଜେଟ୍ ଏୟାରୱେଜ୍ ଠାରୁ ସ୍ପାଇସ୍ ଜେଟ୍ ଏବଂ ଏୟାର ଇଣ୍ଡିଆ ୱେଟ୍ ଲିଜ୍ ଆକାରରେ ନେବାକୁ ଥିବାରୁ ଜେଟ୍ ପାଇଲଟ, କ୍ରିଉ ଏବଂ ମେଣ୍ଟେନାନ୍ସ ଆଦି କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କୁ ନିଯୁକ୍ତି ଏବଂ ବେତନ ମିଳିଯିବ। କେବଳ ସେତିକି ନୁହେଁ, ଏବେ ବନ୍ଦ ହୋଇଯାଇଥିବା ଏସବୁ ବିମାନ ପୁଣି ଉଡ଼ିବା ଆରମ୍ଭ ହେଲେ ଭଡ଼ାରେ ଦେଖାଦେଇଥିବା ବୃଦ୍ଧିରେ ସ୍ଥିରତା ଆସିବ। ବିଶେଷକରି ଏୟାର ଇଣ୍ଡିଆର ସହାୟକ କମ୍ପାନି ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଏସବୁ ବିମାନକୁ ଲଣ୍ଡନ, ଦୁବାଇ ଏବଂ ସିଙ୍ଗାପୁର ମାର୍ଗରେ ଉଡ଼ାଇଲେ ସେସବୁ ମାର୍ଗରେ ବୃଦ୍ଧି ପାଇଥିବା ଭଡ଼ା ମଧ୍ୟ କମିବ।

ଜେଟ୍ ଏୟାରୱେଜ୍ ବନ୍ଦ ହେବା ଯୋଗୁ ଭାରତୀୟ ଆକାଶରେ ୭୫ଟି ବିମାନର ଉଡ଼ାଣ ବନ୍ଦ ହୋଇଯାଇଛି। ଅବଶ୍ୟ ଅନ୍ୟ ଏୟାରଲାଇନ୍ସ ଗୁଡ଼ିକ ୫୮ଟି ବିମାନ ଆଣିଛନ୍ତି। ତେଣୁ ଏବେ ବି ୧୭ଟି ବିମାନର ଅଭାବ ରହିଛି। ବେସାମରିକ ବିମାନ ଚଳାଚଳ ସଚିବ ପି ଏସ ଖରୋଲା କହିଛନ୍ତି, ଅନ୍ୟ ଏୟାରଲାଇନ୍ସ ଗୁଡ଼ିକ ଆସନ୍ତା ମେ’, ଜୁନ୍ ଏବଂ ଜୁଲାଇ ମାସରେ ୩୧ଟି ବିମାନ ସାମିଲ କରିବାର ଅଛି। ଗ୍ରୀଷ୍ମ ଋତୁରେ ବିମାନ ଯାତ୍ରା ଚାହିଦା ଅଧିକ ରହିଥିବାରୁ ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏୟାରଲାଇନ୍ସଗୁଡ଼ିକୁ କୁହାଯାଇଛି।

ନୂଆ ନିବେଶକଙ୍କୁ ସହଯୋଗ କରିବ କର୍ମଚାରୀ ସଂଘ
ଚେନ୍ନାଇ: ‌‌ଜେଟ୍ ଏୟାରୱେଜ୍‌ର ପରିଚାଳନା ଭାର ନିଜ ହାତକୁ ନେବା ପାଇଁ ଜେଟ୍ ଏୟାରୱେଜ କର୍ମଚାରୀ ସଂଘରେ ଆଲୋଚନା ହୋଇଥିଲେ ମଧ୍ୟ ଏ ନେଇ ସହମତି ପ୍ରକାଶ ପାଇ ପାରିନାହିଁ। କିନ୍ତୁ ଆର୍ଥିକ ସଂକଟରେ ପଡ଼ିଥିବା କମ୍ପାନିକୁ ଉଦ୍ଧାର କରିବା ପାଇଁ ଯେଉଁ ନୂଆ ନିବେଶକ ଆଗେଇ ଆସିବେ ତାଙ୍କୁ ସମ୍ପୂର୍ଣ୍ଣ ଭାବେ କର୍ମଚାରୀମାନେ ସହଯୋଗ କରିବେ। ଜେଟ୍ ପାଇଲଟ୍ ସଂଘ ଏନଏଜିର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ପରିଚାଳନା ଭାର ହାତକୁ ନେବା ନେଇ ଆଲୋଚନା ହୋଇଥିଲା। କିନ୍ତୁ ସହମତି ପ୍ରକାଶ ନପାଇବାରୁ ଏ ଦିଗରେ ଆଗକୁ ନବଢ଼ିବା ଲାଗି ନିଷ୍ପତ୍ତି ନିଆଯାଇଛି ବୋଲି ଏନଏଜି ଉପସଭାପତି ଅସିମ୍ ଭାଲାନି କହିଛନ୍ତି। କର୍ମଚାରୀମାନେ କମ୍ ବେତନ ନେବାକୁ ପ୍ରସ୍ତୁତ କି ବୋଲି ପ୍ରଶ୍ନରେ ସେ କହିଥିଲେ ନୂଆ ନିବେଶକଙ୍କୁ ଆମେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ରାଜି ଅଛୁ। ସେହିଭଳି ଶନିବାର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ସହିତ ହୋଇଥିବା ଆଲୋଚନା ଭଲ ଥିଲା ବୋଲି ସେ କହିଛନ୍ତି। ବ୍ୟାଙ୍କ ଗୁଡ଼ିକ ଜେଟକୁ ପାଣ୍ଠି ପ୍ରଦାନ କରନ୍ତୁ ବୋଲି ନିର୍ଦେଶ ଦେବା ଲାଗି କର୍ମଚାରୀ ସଂଘ ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏଥିସହିତ ଜେଟ୍ ଅଧୀନରେ ଥିବା ସ୍ଲଟ ଗୁଡ଼ିକୁ ଅନ୍ୟ କାହାରିକୁ ନଦେବା ଲାଗି ମଧ୍ୟ କହିଛନ୍ତି। ଏହାହେଲେ ଜେଟ୍‌ର ବିକ୍ରି ପ୍ରକ୍ରିୟା ପ୍ରଭାବିତ ହେବ। ଏତଦବ୍ୟତୀତ ‌କମ୍ପାନିକୁ ୬ ମାସ ପାଇଁ ବାକିରେ ତେଲ ଯୋଗାଇବାକୁ ନିର୍ଦେଶ ଦେବାକୁ କର୍ମଚାରୀମାନେ ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର