ପ୍ରତିଦିନ ଘରେ ଘରେ ଉଡ଼ୁ ତ୍ରିରଙ୍ଗା: ନବୀନ ଜିନ୍ଦଲ

ଭୁବନେଶ୍ବର: ଦେଶର ପ୍ରତିଟି ଘରେ ତ୍ରିରଙ୍ଗା ଉଡ଼ାଇବା ପାଇଁ ତିରିଶ ବର୍ଷ ପୂର୍ବେ ମୁଁ ଏକ ସ୍ବପ୍ନ ଦେଖିଥିଲି। ଯେତେ‌ବେଳେ ଜଣେ ବ୍ୟକ୍ତି ତ୍ରିରଙ୍ଗାକୁ ଉତ୍ତୋଳନ କରନ୍ତି ସେ ନିଜ ଜାତି, ଧର୍ମ ଓ ରାଜନୀତିଠାରୁ ଉପରକୁ ଉଠି ନିଜକୁ ଜଣେ ଭାରତୀୟ ଭାବେ ଓ ନିଜର ପ୍ରେମକୁ ପ୍ରଦର୍ଶିତ କରିଥାନ୍ତି। ତ୍ରିରଙ୍ଗା ଉଡ଼ାଇବା ଦେଶଭକ୍ତି ପ୍ରତି ଏକ ପଦକ୍ଷେପ। ଏହି ଅଧିକାର ପାଇବା ଲାଗି ମୁଁ ୧୯୯୫ରେ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲି। ନଅ ବର୍ଷ ଆଇନର ଲଢ଼େଇ ଲଢ଼ିବା ପରେ ୨୦୦୪ରେ ସୁପ୍ରିମ୍‌କୋର୍ଟ ଏକ ଐତିହାସିକ ରାୟ ଦେଇଥିଲେ। ଜଣେ ବ୍ୟକ୍ତି ପ୍ରତିଦିନ ତ୍ରିରଙ୍ଗାକୁ ଉତ୍ତୋଳନ କରିପାରିବେ ଓ ଏହା ସମ୍ବିଧାନରେ ଥିବା ବ୍ୟକ୍ତିଗତ ଅଭିବ୍ୟକ୍ତିର ଅଧିକାର ଅଧୀନରେ ଆସୁଛି ବୋଲି କୋର୍ଟ କହିଥିଲେ। ତାହା ଥିଲା ଏହି ଲଢ଼େଇର ପ୍ରଥମ ବିଜୟ ବୋଲି ଦେଶର ଅଗ୍ରଣୀ ଇସ୍ପାତ କଂପାନି ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ୍‌ ପାୱାର ଓ ଫ୍ଲାଗ୍‌ ଫାଉଣ୍ଡେସନ ଅଫ୍ ଇଣ୍ଡିଆର ମୁଖ୍ୟ ନବୀନ ଜିନ୍ଦଲ କହିଛନ୍ତି। ‘କନକ ନିଉଜ୍‌’ ସହିତ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ସୁପ୍ରିମ୍‌କୋର୍ଟ ରାୟ ପରେ ମଧ୍ୟ ଲୋକମାନଙ୍କ ମନରେ ଭୟ ରହିଥିଲା। ତ୍ରିରଙ୍ଗାକୁ ସଠିକ୍ ଢଙ୍ଗରେ ଉତ୍ତୋଳନ ନକଲେ ଦଣ୍ଡ ଭୋଗିବାର ଆଶଙ୍କା ଥିଲା। ତାହାକୁ ଦୂର କରିବା ଲାଗି ଆମେ ଫ୍ଲାଗ୍‌ ଇଣ୍ଡିଆ ଫାଉଣ୍ଡେସନ ଗଠନ କରିଥିଲୁ।

ଆମେ ସାରା ଦେଶରେ ୭୦୦ରୁ ଅଧିକ ଉଚ୍ଚ ଉଚ୍ଚ ତ୍ରିରଙ୍ଗା ଲଗାଇଥିଲୁ। ତ୍ରିରଙ୍ଗା ସଂହିତାରେ ପରିବର୍ତ୍ତନ କରି ଲୋକମାନଙ୍କୁ ସବୁ ପ୍ରକାର ତ୍ରିରଙ୍ଗା ଉତ୍ତୋଳନ କରିବା ଲାଗି ଦିଆଯାଇଥିବା ଅଧିକାର ପାଇଁ ଶ୍ରୀ ଜିନ୍ଦଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତ୍ରିରଙ୍ଗାକୁ ନେଇ ନିଜ ମନରେ ଆସିଥିବା ଭାବନାକୁ ବର୍ଣ୍ଣନା କରି ସେ କହିଛନ୍ତି ଯେ ୧୯୯୦ ବେଳକୁ ମୋତେ ଯେତେବେଳେ ୨୦ ବର୍ଷ ହୋଇଥିଲା ମୁଁ ଆମେରିକାରେ ରହୁଥିଲି। ସେଠାକାର ଲୋକମାନେ ନିଜ ଦେଶର ଜାତୀୟ ପତାକାକୁ ଅତି ଗର୍ବର ସହ ନିଜ ଘରେ ଲଗାଉଥିବା ଦେଖିଥିଲି। ମୁଁ ଭାରତରେ ସେଭଳି ଦୃଶ୍ୟ ଦେଖିନଥିଲି। ଜଣେ ଆମେରିକୀୟ ବନ୍ଧଙ୍କ ଜରିଆରେ ମଗାଇଥିବା ଏକ ତ୍ରିରଙ୍ଗାକୁ ମୁଁ ସବୁ ଦିନ ମୁଁ ରହୁଥିବା କୋଠରିରେ ଲଗାଇଥିଲି। ୧୯୯୩ ଜାନୁଆରି ୨୬ରେ ମୁଁ ରାୟପୁର କାରଖାନାରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲି। ତା’ ପରଦିନ କିନ୍ତୁ ତ୍ରିରଙ୍ଗା ଉଭାନ ହୋଇଯାଇଥିଲା। ମୋତେ ସେତେବେଳେ କୁହାଗଲା କି ପ୍ରତିଦିନ ତ୍ରିରଙ୍ଗା ଲଗାଇହେବ ନାହିଁ। କେବଳ ଜାନୁଆରି ୨୬ ଓ ଅଗଷ୍ଟ ୧୫ରେ ଲଗାଇହେବ। ସେତେବେଳେ ମୋତେ ୨୭ ବର୍ଷ ଥିଲା ଓ ମୋତେ ଏହା ଶୁଣିବା ପରେ ଆଶ୍ଚର୍ଯ୍ୟ ଲାଗିଥିଲା। ଏହା ପରେ ମୁଁ ତ୍ରିରଙ୍ଗାକୁ ପ୍ରତିଦିନ ଲଗାଇବା ଲାଗି ଲଢ଼େଇ ଆରମ୍ଭ କରିଥିଲି ବୋଲି ସେ କହିଛନ୍ତି।

ଯେତେବେଳେ ମୁଁ ଏହି ଘଟଣାରେ ‌ମାମଲା ରୁଜୁ କରିବାକୁ ବାହାରିଥିଲି ସେତେବେଳେ ଆମ ସଂସ୍ଥା ଛୋଟ ଥିଲା ଓ କାରବାର ଏତେଟା ଭଲ ନଥିଲା। ସେତେବେଳେ ମୋତେ ଲୋକମାନେ କହିଥିଲେ ଏଭଳି ସମୟରେ ଯଦି ଆପଣ ସରକାରଙ୍କ ବିରୋଧରେ କେସ୍ କରିବେ ତେବେ‌ ଅସୁବିଧା ଭୋଗିବାକୁ ପଡ଼ିବ। କିନ୍ତୁ ମୋ ବାପା ଓ ପି ଜିନ୍ଦଲ କହିଥିଲେ ଯେ ଉତ୍ତମ ଭାବନା ରଖି କାମ କଲେ କିଛି ଅସୁବିଧା ହେବନି। ମୁଁ ତ୍ରିରଙ୍ଗା ଲଗାଇବା ଜାରି ରଖିବାକୁ ମୋ ବିରୋଧରେ ସୁପ୍ରିମକୋର୍ଟଙ୍କ ନିର୍ଦେଶର ଅବମାନନା କରିଥିବା ଅଭିଯୋଗରେ ମାମଲା ରୁଜୁ କରାଯାଇଥିଲା। ଶାନ୍ତି ଭୂଷଣ, ଅଭିଶେକ ମନୁ ସାଂଘଭି, ସୋଲି ସୋରାବଜୀ ଓ କେ‌ କେ ବେଣୁଗୋପାଳ ଭଳି ଆଇନଜୀବୀ ମୋତେ ଆଗକୁ ବଢ଼ିବା ଲାଗି ଉତ୍ସାହିତ କରିଥିଲେ ବୋଲି ସେ କହିଛନ୍ତି। ତ୍ରିରଙ୍ଗାକୁ ନେଇ ହେଉଥିବା ବିବାଦକୁ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ତ୍ରିରଙ୍ଗାକୁ ଉଡ଼ାଇବା ଲୋକମାନଙ୍କ ଇଚ୍ଛାଧୀନ ବ୍ୟାପାର ରହିବା ଦରକାର ବୋଲି ସେ କହିଛନ୍ତି। ସରକାର ଯେଉଁ ହର ଘର ତ୍ରିରଙ୍ଗା ଅଭିଯାନ ଘୋଷଣା କରିଥିଲେ ତାହା ଅତ୍ୟନ୍ତ ଉତ୍ସାହପ୍ରଦ ଓ ପ୍ରେରଣାଦାୟୀ। ମୁଁ ଚାହୁଛି କେବଳ କିଛି ଦିନ ନୁହେଁ ଦେଶର ପ୍ରତିଟି ଘରେ ପ୍ରତିଦିନ ତ୍ରିରଙ୍ଗା ଉଡ଼ୁଥାଉ ବୋଲି ଶ୍ରୀ ଜିନ୍ଦଲ କହିଛନ୍ତି।

ସମ୍ବନ୍ଧିତ ଖବର