ଅର୍ଥନୀତିକୁ ସଜାଡ଼ିବା ଲାଗି ନିର୍ମଳାଙ୍କ ବଡ଼ ପଦକ୍ଷେପ, ଆଉ ଡରେଇବେନି ଆୟକର ଅଧିକାରୀ, ଏଫପିଆଇରୁ ସରଚାର୍ଜ ପ୍ରତ୍ୟାହୃତ

ନୂଆଦିଲ୍ଲୀ : ଭାରତୀୟ ଅର୍ଥନୀତି ଏବେ ମାନ୍ଦାବସ୍ଥା ଆଡକୁ ଗତି କରୁଥିବାରୁ ଆଜି ସରକାର କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଏ ସଂପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି । ବିଦେଶୀ ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବାକୁ ଏଫପିଆଇ ବା ବିଦେଶୀ ପୋର୍ଟଫୋଲିଓ ନିବେଶକମାନଙ୍କଠାରୁ ସଂଗ୍ରହ କରାଯାଉଥିବା ସରଚାର୍ଜକୁ ପ୍ରତ୍ୟାହାର କରାଯାଇଛି । ସେହିପରି ଷ୍ଟାର୍ଟ-ଅପ ମାନଙ୍କ ଉପରୁ ଓ ଡିଆଇପିପିରେ ପଂଜୀକୃତ ନିବେଶକମାନଙ୍କଠାରୁ କୌଣସି ଆଞ୍ଜେଲ ଟାକ୍ସ ସଂଗ୍ରହ କରାଯିବ ନାହିଁ । ସେହିପରି ବିଦେଶୀ ନିବେଶକଙ୍କଠାରୁ ବଜେଟରେ ଘୋଷିତ ସୁପର ରିଚ ଟାକ୍ସ ସଂଗ୍ରହ କରାଯିବ ନାହିଁ ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଲା, ଏଣିକି କେବଳ ଏକ କେନ୍ଦ୍ରୀୟ କମ୍ପ୍ୟୁଟର ସିଷ୍ଟମରୁ ହିଁ ଆୟକରଦାତାମାନଙ୍କ ପାଖକୁ ନୋଟିସ ଯିବ । ୩ ମାସ ମଧ୍ୟରେ ନୋଟିସ ପଠାଯାଇଥିବା ମାମଲାଗୁଡ଼ିକର ଫଇସଲା କରାଯିବ । ଅନ୍ୟପକ୍ଷରେ ବ୍ୟାଙ୍କଗୁଡ଼ିକରେ ଅତିରିକ୍ତ ୭୦ ହଜାର କୋଟିର ପୁଞ୍ଜି ଭର୍ତ୍ତି କରାଯିବ । ସେହିପରି ରେପୋରେଟ ସହିତ ବ୍ୟାଙ୍କଋଣକୁ ଲିଙ୍କ୍‌ କରାଯାଇଛି । ଅର୍ଥାତ ରିଜର୍ଭ ବ୍ୟାଙ୍କ ରେପୋହାର କମାଇଲେ ତାହା ଆପେ ଆପେ ବ୍ୟାଙ୍କମାନଙ୍କ ସୁଧହାର ରେ ପ୍ରତିଫଳିତ ହେବ ।

ଅନ୍ୟପକ୍ଷରେ ସିଏସଆର ବା କର୍ପୋରେଟ ସାମାଜିକ ଦାୟିତ୍ୱବଦ୍ଧତା ନିୟମର ଉଲ୍ଲଙ୍ଘନକୁ ସିଭିଲ (ଦେଓ୍ଵାନୀ) ଅପରାଧ ଭାବରେ ବିବେଚନା କରାଯିବ । ଏଗୁଡ଼ିକୁ କ୍ରିମିନାଲ ବା ଫୌଜଦାରୀ ମାମଲା ହିସାବରେ ଧରାଯିବ ନାହିଁ ।

ସମ୍ବନ୍ଧିତ ଖବର