ବଜେଟକୁ ନେଇ ଷ୍ଟକ ବଜାରରେ ଉତ୍ସାହ ଜାରି, ଦୁଇଦିନରେ ୧୦ ଲକ୍ଷ କୋଟି ବଢିଲା ନିବେଶକଙ୍କ ସମ୍ପତ୍ତି

ମୁମ୍ବାଇ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ଗତକାଲି ଉପସ୍ଥାପିତ କେନ୍ଦ୍ର ବଜେଟକୁ ନେଇ ଷ୍ଟକ ବଜାରରେ ଉତ୍ସାହ ଜାରି ରହିଛି । ଏହି ବଜେଟରେ କେନ୍ଦ୍ର ସରକାର କୌଣସି ଲୋକପ୍ରିୟ ଘୋଷଣା ନକରି ସଂସ୍କାର ପ୍ରକ୍ରିୟାକୁ ଆଗେଇ ନେବା ଉପରେ ଗୁରୁତ୍ବ ଦେଇଛନ୍ତି । ଫଳରେ ନିବେଶକମାନେ ଉତ୍ସାହିତ ହୋଇଉଠିଛନ୍ତି । ଗତ ଦୁଇଦିନରେ ସେନସେକ୍ସରେ ଦେଖାଦେଇଥିବା ଉତ୍ସାହ ଫଳରେ ନିବେଶକଙ୍କ ସଂପତ୍ତି ପ୍ରାୟ ୧୦ଲକ୍ଷ କୋଟି ବଢିଛି ।

ଆଜି ବିଏସଇ ସେନସେକ୍ସ ୧୧୯୭.୧୧ ପଏଣ୍ଟ ବୃଦ୍ଧି ପାଇ ୪୯,୭୯୭.୭୨ ପଏଣ୍ଟରେ ବନ୍ଦ ହୋଇଛି । ଗତକାଲି ସେନସେକ୍ସ ୨୩୧୪.୮୪ ପଏଣ୍ଟରେ ବନ୍ଦ ହୋଇଥିଲା । ଫଳରେ ଦୁଇଦିନରେ ସେନସେକ୍ସ ୩୫୧୨ ପଏଣ୍ଟ ବୃଦ୍ଧି ପାଇଲାଣି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫଟୀ ୩୬୬.୬୫ ପଏଣ୍ଟ ବୃଦ୍ଧି ପାଇ ୧୪,୬୪୭.୩୫ ପଏଣ୍ଟରେ ବନ୍ଦ ହୋଇଛି । ଗତକାଲି ନିଫଟୀ ୬୪୬ ପଏଣ୍ଟ ବୃଦ୍ଧି ପାଇଥିଲା । ଫଳରେ ଦୁଇଦିନରେ ନିଫଟୀ ୧ ହଜାରରୁ ଅଧିକ ପଏଣ୍ଟ ବୃଦ୍ଧି ପାଇଛି । ସୂଚକାଙ୍କରେ ଏହି ବୃଦ୍ଧି ଫଳରେ ଏହି ଦୁଇଦିନରେ ନିବେଶକମାନଙ୍କ ସଂପତ୍ତି ପ୍ରାୟ ୧୦ ଲକ୍ଷ କୋଟି ବୃଦ୍ଧି ପାଇଛି ।

ବଜେଟରେ ସ୍ବାସ୍ଥ୍ୟସେବା କ୍ଷେତ୍ର, ଭିତ୍ତିଭୂମି, କୃଷି, ଅଟୋମୋବାଇଲ୍ସ, ବ୍ୟାଙ୍କିଙ୍ଗ ଆଦି କ୍ଷେତ୍ର ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି । ସରକାର ଘୋଷଣା କରିଥିବା ପୁରୁଣା ଯାନବାହାନ ବଦଳ ନୀତି ଯୋଗୁଁ ଅଟୋମୋବାଇଲ ଶିଳ୍ପରେ ଚାହିଦା ବୃଦ୍ଧି ପାଇବ । ଏହା ଫଳରେ ଅଟୋମୋବାଇଲ ଷ୍ଟକ ଗୁଡ଼ିକରେ ବୃଦ୍ଧି ଦେଖାଦେଇଛି । ସେହିପରି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ ୨୨ ହଜାର କୋଟିର ପୁଞ୍ଜିଭର୍ତ୍ତି ଘୋଷଣା ଦ୍ବାରା ବ୍ୟାଙ୍କିଙ୍ଗ୍ ଷ୍ଟକ ଗୁଡ଼ିକରେ ବୃଦ୍ଧି ଦେଖାଦେଇଛି । କୃଷି ଓ ଭିତ୍ତିଭୂମି ଉପରେ ଗୁରୁତ୍ବ ଟ୍ରାକ୍ଟର ଓ କୃଷି ଉପକରଣ କମ୍ପାନିଙ୍କ ପାଇଁ ସକାରାତ୍ମକ ରହିଛି । ଅନ୍ୟପକ୍ଷରେ ବିଭିନ୍ନ ସାମାଜିକ କ୍ଷେତ୍ରରେ ବ୍ୟୟବରାଦ ବୃଦ୍ଧି ଯୋଗୁଁ ତାହା ସାମଗ୍ରିକ ଭାବେ ଚାହିଦା ବୃଦ୍ଧି କରିବ ।

ସମ୍ବନ୍ଧିତ ଖବର