ସେକ୍ସନ ୮୦ ‘ସି’ ଅନୁସାରେ ଆୟକର ଛାଡ ସୀମା ୨ ଲକ୍ଷକୁ ବଢିବ !

ଲୋଭନୀୟ ହୋଇପାରେ ଆଗାମୀ ବଜେଟ୍‌

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଗାମୀ ବଜେଟରେ ସାଧାରଣ ଜନତାଙ୍କ ପାଇଁ କେତେକ ସୁବିଧାର ଘୋଷଣା କରିପାରନ୍ତି । ଫେବ୍ରୁଆରୀ ୧ରେ ଆଗତ ହେବାକୁ ଥିବା ଏହି ବଜେଟ୍‌ଟି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ ହୋଇଥିବାରୁ ଲୋକମାନଙ୍କୁ ଖୁସି କରିବାକୁ ଚେଷ୍ଟା କରିପାରନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ।

ମିଳିଥିବା ସୂଚନା ମୁତାବକ, ନୂଆ ବଜେଟରେ ଆୟକର ଆଇନର ସେକ୍ସନ-୮୦ ସି ଅଧିନରେ ଆୟକର ଛାଡ଼ ସୀମା ଦେଢଲକ୍ଷଟଙ୍କାରୁ ଦୁଇ ଲକ୍ଷଟଙ୍କାକୁ ବୃଦ୍ଧି କରାଯାଇପାରେ । ଆୟକର ଆଇନର ଏହି ଧାରା ଅନୁସାରେ ଅନ୍ୟୁନ ପାଞ୍ଚ ବର୍ଷ ପାଇଁ ସ୍ଥାୟୀ ଜମା, ବୀମା ବା ମ୍ୟୁଚୁଆଲ ଫଣ୍ଡ ଆଦିରେ ନିବେଶ କରିବା କ୍ଷେତ୍ରରେ ଆୟକର ରିହାତି ମିଳେ । ଉଦାହରଣସ୍ୱରୂପ ଯଦି ଜଣକର ବାର୍ଷିକ ରୋଜଗାର ୨୦ ଲକ୍ଷ ଟଙ୍କା, ସେ ଉପରୋକ୍ତ ବିଭିନ୍ନ ସ୍କିମରେ ନିବେଶ କରନ୍ତି, ତେବେ ତାଙ୍କର ବାର୍ଷିକ ଆୟ ୧୮ ଲକ୍ଷ ହିସାବ ହେବ ଓ ଏହା ଉପରେ ଆୟକର ଆଦାୟ ହେବ ।
ଏହି ସୀମା ବଢାଇ ଲୋକମାନଙ୍କୁ ବିଭିନ୍ନ ଆର୍ଥିକ ସ୍କିମରେ ନିବେଶ ପାଇଁ ଉତ୍ସାହିତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

ଏବେ ଉପରୋକ୍ତ ସ୍କିମ ଛଡ଼ା ପ୍ରୋଭିଡେଣ୍ଟ ଫଣ୍ଡ, ଜାତୀୟ ସଂଚୟ ସାର୍ଟିଫିକେଟ, ପାଞ୍ଚ ବର୍ଷିଆ ସ୍ଥିର ଜମା, ପିପିଏଫ, ଶିଶୁଙ୍କ ପାଇଁ ଜମା, ବୀମା ପ୍ରିମିୟମ ଆଦିରେ ନିବେଶ ଲାଗି ଏହି ସେକ୍ସନ୮୦ ସି ଲାଗୁ ହେଉଛି ।

ସମ୍ବନ୍ଧିତ ଖବର