କରୋନା ପ୍ରଭାବ: ସରକାରୀ ସହାୟତା ଲୋଡ଼ିଲା ଏଫ୍‌ଏମ୍‌ ରେଡିଓ ଶିଳ୍ପ

ନୂଆଦିଲ୍ଲୀ: କରୋନା ଭୂତାଣୁ ପ୍ରଭାବରେ ବିଜ୍ଞାପନ ରାଜସ୍ବ ବହୁତ କମିଯାଇଥିବାରୁ ଦେଶର ଘରୋଇ ଏଫ୍ଏମ୍‌ ରେଡିଓ ଶିଳ୍ପ ଘୋର ସଙ୍କଟ ମଧ୍ୟ ଦେଇ ଗତି କରୁଛି। କଂପାନିଗୁଡ଼ିକର ରାଜସ୍ବ କମିଥିବା ବେଳେ ଖର୍ଚ ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଏଫ୍ଏମ୍‌ ରେଡିଓ ଷ୍ଟେସନଗୁଡ଼ିକ ତିଷ୍ଠି ରହିବାକୁ ସଂଘର୍ଷ କରୁଛନ୍ତି। ଏହି ସଙ୍କଟରୁ ଉଦ୍ଧାର ପାଇବା ଲାଗି ସେମାନେ ସରକାରୀ ସହାୟତା ଲୋଡ଼ିଛନ୍ତି।

ରେଡିଓ ଶିଳ୍ପର ପ୍ରତିନିଧିତ୍ବ କରୁଥିବା ଭାରତୀୟ ରେଡିଓ ଅପରେଟର ସଂଘ (ଏଆର୍‌ଓଆଇ) ପକ୍ଷରୁ ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ ଘରୋଇ ଏଫ୍‌ଏମ୍ ରେଡିଓ ଶିଳ୍ପରେ ୨୦ ହଜାରରୁ ଅଧିକ ଲୋକ କାର୍ଯ୍ୟ କରୁଛନ୍ତି। କରୋନା ବିଶ୍ବ ମହାମାରୀ କାରଣରୁ ଏକ ଅଭାବନୀୟ ଆର୍ଥିକ ସଙ୍କଟ ସୃଷ୍ଟି ହୋଇଛି। ଅନେକ ଅପରେଟର ଖର୍ଚ୍ଚ କାଟ କରିବା ଏବଂ କର୍ମଚାରୀ ସଂଖ୍ୟା କମ୍ କରିବା ଭଳି ପଦକ୍ଷେପ ଗ୍ରହଣ କରିବା ଉପରେ ବିଚାର କରୁଛନ୍ତି। ବର୍ତ୍ତମାନ ଯେଉଁ ପରିସ୍ଥିତି ଦେଖାଦେଇଛି ‌ସେଥିରେ କର୍ମଚାରୀଙ୍କୁ ଧରି ରଖିବା ଶିଳ୍ପ ସଂସ୍ଥାଗୁଡ଼ିକ ଲାଗି ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି ବୋଲି ସଂଘ ପକ୍ଷରୁ ସରକାରଙ୍କୁ ଅବଗତ କରାଯାଇଛି। ଘରୋଇ ଏଫ୍ଏମ୍ ରେଡିଓ ଶିଳ୍ପ ଏକ କ୍ଷୁଦ୍ର ଓ ନୂତନ ଧରଣର ଶିଳ୍ପ ‌ହୋଇଥିବା ବେଳେ ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅପରେଟରମାନଙ୍କୁ ପ୍ରତିବର୍ଷ କେନ୍ଦ୍ର ସରକାରଙ୍କୁ ଲାଇସେନ୍ସ ଫି’ ଓ ବାର୍ଷିକ ରାଜସ୍ବ ଭାଗ ‌ଦେବାକୁ ପଡ଼ୁଛି। ଯେହେତୁ ଏହାର ସେବା ଶ୍ରୋତାଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ତେଣୁ କଂପାନିଗୁଡ଼ିକୁ ବିଜ୍ଞାପନ ରାଜସ୍ବ ଉପରେ ହିଁ ନିର୍ଭର କରିବାକୁ ପଡ଼ୁଛି। କରୋନା ଭୂତାଣୁ ବ୍ୟାପିବା କାରଣରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ରଦ୍ଦ ଓ ବାତିଲ କରାଯାଉଥିବାରୁ ରାଜସ୍ବ ଆଗମନ ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି। ଲା‌ଇସେନ୍ସ ଫି’ ଓ ରାଜସ୍ବ ଭାଗ ବଣ୍ଟା ଘରୋଇ ଏଫ୍‌ଏମ୍ ରେଡିଓଗୁଡ଼ିକୁ ପୂର୍ଣ୍ଣ ମାତ୍ରାରେ ଆଗକୁ ବଢ଼ିବାର ଅନୁମତି ଦେଉନାହିଁ। ସେଥିପାଇଁ ଚଳିତ ଆର୍ଥିକ ବର୍ଷରେ ଏଫଏମ୍‌ ରେଡିଓ ଚ୍ୟାନେଲ୍‌ଗୁଡ଼ିକ ସ୍ବତନ୍ତ୍ର ଧରଣର ସଙ୍କଟମୟ ସ୍ଥିତି ସାମ୍ନା କରୁଛନ୍ତି। ବିଜ୍ଞାପନ ରାଜସ୍ବ କମୁଥିବା ବେଳେ ସରକାରୀ ବିଜ୍ଞାପନ ବାବଦରେ ହେଉଥିବା ଆୟ ମଧ୍ୟ ବହୁତ କମିଯାଇଛି। କରୋନା ଭୂତାଣୁ ବ୍ୟାପୁଥିବାରୁ ସ୍ଥିତି ଆହୁରି ଜଟିଳ ‌ହୋଇପଡ଼ିଛି। ତେଣୁ ଘରୋଇ ଏଫ୍ଏମ୍ ଶିଳ୍ପକୁ ବଞ୍ଚାଇ ରଖିବା ଲାଗି ଲାଇସେନ୍ସ ଫି’ ଓ ଚାର୍ଜଗୁଡ଼ିକ ଉପରେ ଏକ ବର୍ଷର ମୋରାଟୋରିୟମ୍ ପ୍ରଦାନ କରିବାକୁ ସଂଘ ତରଫରୁ ସରକାରଙ୍କ ନିକଟରେ ଦାବି କରାଯାଇଛି। ଏଥି ସହିତ ଘରୋଇ ଏଫ୍ଏମ୍ ରେଡିଓ ଚ୍ୟାନେଲ୍‌ଗୁଡ଼ିକ ଯେଭଳି ନିଜ ଗୋଡ଼ରେ ଠିଆ ହୋଇପାରିବେ ସେଥିପାଇଁ ସରକାରୀ ବିଜ୍ଞାନର ସ୍ରୋତକୁ ପୂର୍ବବତ୍‌ ବଜାୟ ରଖିବା ଲାଗି ପ୍ରସାର ଭାରତୀ/ଡବ୍ଲୁପିସିକୁ ନିର୍ଦେଶ ଦେବାକୁ ସଂଘ ତରଫରୁ ସରକାରଙ୍କୁ ଅନୁରୋଧ କରାଯାଇଛି। ଡିଏଭିପି, ଏନ୍‌ଏଫ୍‌ଡିସି ତୁରନ୍ତ ମଂଜୁରି ପ୍ରଦାନ କରିବା ଏବଂ ଦୀର୍ଘ ଦିନ ପର୍ଯ୍ୟନ୍ତ ବିଏସ୍‌ଏନ୍‌ଏଲ୍‌ର ପଡ଼ି ରହିଥିବା ଦେୟ ତୁରନ୍ତ ଦେବା ଲାଗି ରେଡିଓ ଅପରେଟର ସଂଘ ଦାବି କରିଛି।

ସମ୍ବନ୍ଧିତ ଖବର