ଆନୁଷଙ୍ଗିକ ଶିଳ୍ପ ଉପରେ ଓଡ଼ିଶାର ଗୁରୁତ୍ବ : ଇଡ୍‌କୋ ୨୩ଟି ନୂଆ ଶିଳ୍ପ ପାର୍କ ସ୍ଥାପନ କରିବ, ତିନି ବର୍ଷରେ ୬୦୦ କୋଟି ଖର୍ଚ୍ଚ ହେବ

ଭୁବନେଶ୍ୱର: ଲୋକମାନଙ୍କ ଭିତରେ ନିଯୁକ୍ତି ହାସଲ କରିବାର କ୍ଷମତା ବଢ଼ାଇବା ଓ ରାଜ୍ୟର ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ଲାଗି ଓଡ଼ିଶା ସରକାର ଆନୁଷଂଗିକ ଶିଳ୍ପ ପ୍ରତି ନିଜର ପ୍ରତିବଦ୍ଧତା ଓ ଗୁରୁତ୍ୱକୁ ଦୋହରାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା  ଅସିତ ତ୍ରିପାଠୀ କହିଛନ୍ତି ଯେ ଏହି ଲକ୍ଷ୍ୟ ହାସଲ କରିବା ଲାଗି ନାଲ୍‌କୋ ଓ ବେଦାନ୍ତ ସହଯୋଗରେ ରାଜ୍ୟ ସରକାର ଯଥାକ୍ରମେ ଅନୁଗୁଳ ଓ ଝାରସୁଗୁଡ଼ାରେ ଆଲୁମିନିୟମ୍ ପାର୍କ ସ୍ଥାପନ କରୁଛନ୍ତି ଯାହା କାମ ଜାରି ରହିଛି । ଏହା ବ୍ୟତୀତ, ରାଜ୍ୟର ବିଭିନ୍ନ ସ୍ଥାନରେ ୨୩ଟି ଶିଳ୍ପ ପାର୍କ ସ୍ଥାପନ କରିବାର ଦାୟିତ୍ୱ ଇଡ୍‌କୋକୁ ଦିଆଯାଇଛି ଓ ସେଥିପାଇଁ ଇଡ୍‌କୋକୁ ଆସନ୍ତା ତିନି ବର୍ଷରେ ୬୦୦ କୋଟି ଟଙ୍କା ଆବଂଟନ କରାଯିବ । ଜିଲ୍ଲା ସ୍ତରରେ ଶିଳ୍ପର ବିକାଶ ପାଇଁ ଜିଲ୍ଲା ଶିଳ୍ପ ବିକାଶ ଏଜେନ୍ସି (ଦୀପା) କାମ କରୁଛି ଯାହାର ଅଧ୍ୟକ୍ଷତା କରୁଛନ୍ତି ଜିଲ୍ଲାପାଳ । ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ଲାଗି ସରକାର ପ୍ରତିବଦ୍ଧ ରହିଛନ୍ତି ଓ ସେଥିପାଇଁ ସବୁ ପ୍ରକାର ସହଯୋଗ ପ୍ରଦାନ କରୁଥିବା ସେ କହିଛନ୍ତି ।

ଓଡ଼ିଶା ଆସେମ୍ବଲି ଫର ସ୍ମଲ ଆଣ୍ଡ୍ ମିଡିୟମ୍ ଏଟଂରପ୍ରାଇଜେସ୍ ପକ୍ଷରୁ ୩୬ତମ ପ୍ରତିଷ୍ଠା ଦିବସ ପାଳନ ପରିପ୍ରେକ୍ଷୀରେ ଭୁବନେଶ୍ୱରର ଜନତା ମୈଦାନଠାରେ ଆଜିଠାରୁ ଆରମ୍ଭ ହୋଇଥିବା ପ୍ରୋପ୍ୟାକ୍ ଓଡ଼ିଶା ୨୦୨୨ ଓ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ମିଟ୍‌-୨୦୨୨ର ଉଦଘାଟନୀ ସମାରୋହକୁ ସମ୍ବୋଧିତ କରି ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ଶିଳ୍ପ ପାର୍କ ପ୍ରତିଷ୍ଠା ବ୍ୟତୀତ ରାଉରକେଲା ଓ ମାଲକାନଗିରିକୁ ଯୋଡ଼ୁଥିବା ବିଜୁ ଏକ୍ସପ୍ରେସ୍ ୱେ ପାଶ୍ୱର୍ବର୍ତୀ ଅଂଚଳରେ ଇଡ୍‌କୋ ପକ୍ଷରୁ ୧୧ଟି ଶିଳ୍ପ କରିଡର ମଧ୍ୟ ସ୍ଥାପନ କରାଯାଉଛି । ଅନୁନ୍ନତ ଅଂଚଳରେ ଶିଳ୍ପର ବିକାଶ ଲାଗି ରାଜ୍ୟ ସରକାର ଖୁବ୍‌ଶୀଘ୍ର ଏକ ପ୍ରୋତ୍ସାହନ ଯୋଜନା ଘୋଷଣା କରିବା ଉପରେ ବିଚାର କରୁଛନ୍ତି ବୋଲି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରୁଥିବା ଶ୍ରୀ ତ୍ରିପାଠୀ କହିଛନ୍ତି ।

ଏହି ଅବସରରେ ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ସଚିବ  ରଂଜନା ଚୋପ୍ରା କହିଛନ୍ତି ଯେ ଶିଳ୍ପ ସଂସ୍ଥାଗୁଡ଼ିକର ବିଦ୍ୟୁତ ସମ୍ପର୍କିତ ସମସ୍ୟାକୁ ଶୁଣିବା ଲାଗି ରାଜ୍ୟର ସବୁ ବିଦ୍ୟୁତ ବିତରଣକାରୀ କଂପାନି (ଡିସ୍‌କମ୍‌)ଗୁଡ଼ିକୁ ସ୍ୱତନ୍ତ୍ର ଏମ୍‌ଏସ୍‌ଏମ୍‌ଇ ସେଲ୍ ସ୍ଥାପନ କରିବାକୁ କୁହାଯାଇଛି । ଶିଳ୍ପ ସଂସ୍ଥାଗୁଡ଼ିକର ଏହି ସମସ୍ୟା ସମ୍ପର୍କରେ ଆମେ ଯାଜପୁରର କଳିଙ୍ଗନଗରରେ ଠାରେ ଆୟୋଜନ କରାଯାଇଥିବା ଇଣ୍ଡଷ୍ଟ୍ରି କେୟାର ବୈଠକ ବେଳେ ଜାଣିବାକୁ ପାଇଥିଲୁ । ଏହିଭଳି ଅନେକ ପ୍ରକାର ପଦକ୍ଷେପ ଜରିଆରେ ସରକାର ସବୁ ଜିଲ୍ଲାର ପ୍ରମୁଖ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା ସହ ସମ୍ପର୍କରେ ରହିଛନ୍ତି ବୋଲି ସେ କହିଛନ୍ତି । ସେ ଆଉ ମଧ୍ୟ କହିଛନ୍ତି ଓଡ଼ିଶାରେ ପ୍ରାୟ ୯୫% ସଂସ୍ଥା ଅଣୁ ସ୍ତରରେ ରହିଛନ୍ତି ଯେଉଁମାନଙ୍କ ନିଯୁକ୍ତି ସୃଷ୍ଟି ପ୍ରତି ଯୋଗଦାନ ଆଦୌଁ ଉତ୍ସାହଜନକ ନୁହେଁ । ସେମାନେ କିଭଳି ଅତିିକମ୍‌ରେ କ୍ଷୁଦ୍ର ସଂସ୍ଥାରେ ରୂପାନ୍ତରିତ ହେବେ ତାହା ସରକାର ଚାହୁଁଛନ୍ତି ଓ ସେଥିପାଇଁ ଦରକାର ସବୁ ପ୍ରକାର ସୁବିଧା ସୁଯୋଗ ଯଥା ପାଣ୍ଠି, ମାର୍କେଟିଂ ସୁବିଧା ଆଦି ପ୍ରଦାନ କରିବାକୁ ପ୍ରସ୍ତୁତ ଅଛନ୍ତି ।

ସମ୍ବନ୍ଧିତ ଖବର