ଚଳିତ ବର୍ଷ ବଜେଟ୍ରେ ଗାଁ, ଗରିବ ଲୋକ ଓ ଚାଷୀଙ୍କୁ ନଜରରେ ରଖି କେତେକ ପଦକ୍ଷେପ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ତୃତୀୟ ପର୍ଯ୍ୟାୟ ପାଇଁ ୮୦,୨୫୦ ଟଙ୍କା ପ୍ରଦାନ କରାଯାଇଛି। ଏହି ଯୋଜନାରେ ମୋଦୀ ସରକାରଙ୍କ ପ୍ରଥମ ପାଳିରେ ୩୦ ହଜାର କିମି ସଡ଼କ ନିର୍ମାଣ କରାଯାଇଥିଲା। ଏଥି ସହିତ ୯୭% ଜନବସତିରେ ସବୁଦିନିଆ ସଡ଼କ ସୁବିଧା ହୋଇପାରିବ। ଗରିବ ଲୋକମାନଙ୍କୁ ଘର ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧.୯୫ କୋଟି ଘର ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ବ୍ୟତୀତ ଗ୍ରାମାଞ୍ଚଳରେ ବାସ କରୁଥିବା ପାରମ୍ପରିକ କାରିଗରଙ୍କ ପାଇଁ ୧୦୦ ନୂଆ କ୍ଲଷ୍ଟର୍ ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଗ୍ରାମାଞ୍ଚଳର ସବୁ ଘରେ ୨୦୨୨ ସୁଦ୍ଧା ଏଲ୍ପିଜି ଓ ବିଦ୍ୟୁତ ପହଞ୍ଚାଇବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।
ବଜେଟ୍ରେ କୃଷି କ୍ଷେତ୍ରକୁ ୭୮% ଅଧିକ ଟଙ୍କା ପ୍ରଦାନ କରାଯାଇଛି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟକୁ ୧ ଲକ୍ଷ ୩୯ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ସେଥି ମଧ୍ୟରୁ ପିଏମ୍-କିସାନ ଯୋଜନା ପାଇଁ ୭୫ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ବ୍ୟୟବରାଦ ବଢ଼ାଇ ୧୪ ହଜାର କୋଟି ଟଙ୍କା କରାଯାଇଛି। ଗତବର୍ଷ ଏବାବଦରେ ୧୨,୯୭୫ କୋଟି ଟଙ୍କା ଦିଆଯାଇଥିଲା। ସ୍ବଳ୍ପ ମିଆଦୀ ଫସଲ ଋଣ ଉପରେ ସୁଧ ଛାଡ଼ ପାଇଁ ୧୮ ହଜାର କୋଟି ଟଙ୍କା ଦିଆଯାଇଛି। ଦର ହ୍ରାସ ସମୟରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି)ବଜାୟ ରଖିବା ପାଇଁ ୩୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଯୋଜନା (ପିଏମ୍-ଆଶା)ର ଅଟ୍ଟକଳକୁ ବହୁଗୁଣା ବଢ଼ାଇ ୧୫୦୦ କୋଟି ଟଙ୍କା ଦିଆଯାଇଛି। କୃଷି ଯାନ୍ତ୍ରୀକୀକରଣକୁ ବେଶି ଟଙ୍କା ଦିଆଯାଇନାହିଁ। ଏବାବଦରେ ମାତ୍ର ୬୦୦ କୋଟି ଟଙ୍କା ଦିଆଯାଇଛି। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ପାଇଁ ୩୫୦୦ କୋଟି ଟଙ୍କା ଦିଆଯାଇଛି। ସବୁଜ ବିପ୍ଳବ ଅଧୀନରେ ୧୮ଟି କେନ୍ଦ୍ରୀୟ ସ୍କିମ୍ ଲାଗୁ କରିବା ପାଇଁ ୧୨,୫୬୦ କୋଟି ଟଙ୍କା ପ୍ରଦାନ କରାଯାଇଛି।
ଏଫ୍ଡିଆଇ ନିୟମ କୋହଳ
ଗଣମାଧ୍ୟମ, ବିମାନ ଚଳାଚଳ, ବୀମା, ଆନିମେସନ, ଭିଜୁଆଲ ଇଫେକ୍ଟ, ଗେମିଂ, କମିକ୍ ଏବଂ ସିଙ୍ଗଲ୍ ବ୍ରାଣ୍ଡ୍ ଖୁଚୁରା କ୍ଷେତ୍ର ପାଇଁ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍ଡିଆଇ) ନିୟମକୁ କୋହଳ କରାଯାଇଛି। ବୀମା ଇଣ୍ଟରମେଡିଏଟାରିମାନଙ୍କ ପାଇଁ ୧୦୦% ଏଫ୍ଡିଆଇ ଅନୁମତି ପାଇଁ ପ୍ରସ୍ତାବ ରଖାଯାଇଛି। ସିଙ୍ଗଲ୍ ବ୍ରାଣ୍ଡ୍ ରିଟେଲ୍ ପାଇଁ ସ୍ଥାନୀୟ ସାମଗ୍ରୀ ଯୋଗାଡ଼ ନିୟମକୁ କୋହଳ କରାଯାଇଛି।
ଜାତୀୟ ଗ୍ୟାସ୍ ଗ୍ରିଡ୍, ଜଳ ଗ୍ରିଡ୍ ସ୍ଥାପନ ହେବ
ଜାତୀୟ ଗ୍ୟାସ୍ ଗ୍ରିଡ୍ ଓ ଜଳ ଗ୍ରିଡ୍ ସ୍ଥାପନ କରିବା, ଇନଫର୍ମେସନ-ୱେଜ୍ ଓ ବିମାନବନ୍ଦର ପାଇଁ ବ୍ଲୁ ପ୍ରିଣ୍ଟ୍କୁ ବଜେଟ୍ରେ ଉନ୍ମୋଚନ କରାଯାଇଛି। ଚାରି ବର୍ଷରେ ଗଙ୍ଗା ନଦୀ ପରିବହନ ଚାରି ଗୁଣା ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏମ୍ଏସ୍ଏମ୍ଇଗୁଡ଼ିକ ବିଲ୍ ପେମେଣ୍ଟ୍ ପାଇଁ ଏକ ସ୍ବତନ୍ତ୍ର ପେମେଣ୍ଟ୍ ବ୍ୟବସ୍ଥା ବିକଶିତ କରାଯିବ ବୋଲି ବଜେଟ୍ରେ ଘୋଷଣା କରାଯାଇଛି।
ପୁଞ୍ଜିପ୍ରତ୍ୟାହାର ଲକ୍ଷ୍ୟ ୧.୦୫ ଲକ୍ଷ କୋଟି
୨୦୧୯-୨୦ରେ ପୁଞ୍ଜିପ୍ରତ୍ୟାହାରରୁ ୧ ଲକ୍ଷ ୫ ହଜାର କୋଟି ଟଙ୍କା ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଅଂଶଧନ ବିକ୍ରି ଜାରି ରହିବ। ସରକାରୀ ସଂସ୍ଥା ଓ ଅଣ ଆର୍ଥିକ ସଂସ୍ଥା କ୍ଷେତ୍ରରେ ମିଶ୍ରଣ ପ୍ରକ୍ରିୟା ଜାରି ରହିବ। ଅଣ ଆର୍ଥିକ ସଂସ୍ଥାରେ ସରକାରୀ ଅଂଶଧନ ୫୧%ରୁ କମ୍ ହେବନି।
ମହାକାଶ ପାଇଁ ନୂଆ ସଂସ୍ଥା
ଇସ୍ରୋର ହେଉଥିବା ଗବେଷଣା ଓ ବିକାଶର ଲାଭ ହାସଲ କରିବା ପାଇଁ ଏକ ନୂଆ ସରକାରୀ ସଂସ୍ଥା ସ୍ଥାପନ କରାଯିବ। ଏହାର ନାମ ରଖାଯିବ ‘ନିଉ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ (ଏନ୍ଏସ୍ଆଇଏଲ୍)’। ଏହା ଇସ୍ରୋର ବିଭିନ୍ନ ଉତ୍ପାଦର ବାଣିଜ୍ୟିକ ବ୍ୟବହାର ପାଇଁ ଉଦ୍ୟମ କରିବ। ଏହା ରକେଟ୍ ଉତ୍କ୍ଷେପଣ ଯାନ ଉତ୍ପାଦନ କରିବ। ପ୍ରଯୁକ୍ତି ଅନ୍ୟମାନଙ୍କୁ ହସ୍ତାନ୍ତର କରିବ ଏବଂ ମହାକାଶ ଉତ୍ପାଦର ମାର୍କେଟିଂ କରିବ।ଆର୍ଟିଆଇ ପ୍ରଚାର ପାଣ୍ଠି ୩୮% କମିଲା
ସୂଚନା ଅଧିକାର ଆଇନ (ଆର୍ଟିଆଇ)ର ପ୍ରଚାର କରିବା ପାଇଁ ଯେଉଁ ପାଣ୍ଠି ରହିଥାଏ ତାହାକୁ ଚଳିତ ବର୍ଷ ବଜେଟ୍ରେ ୩୮% କମାଇ ୫.୫ କୋଟି ଟଙ୍କା କରାଯାଇଛି। ଗତବର୍ଷ ଏବାବଦରେ ୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ଉଭୟ ସିଆଇସି ଓ ଆର୍ଟିଆଇ ପ୍ରଚାର ପାଇଁ ଏତିକି ଟଙ୍କା ପ୍ରଦାନ କରାଯାଇଛି। ସିଆଇସିକୁ ଅଲଗା ୩୨.୦୧ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ସରକାରୀ ସଂସ୍ଥା ଚୟନ ବୋର୍ଡ ଏବଂ କେନ୍ଦ୍ରୀୟ ସୂଚନା କମିସନ ସ୍ଥାପନରେ ଏହି ଟଙ୍କା ଖର୍ଚ କରାଯିବ।