ନୂଆଦିଲ୍ଲୀ: ଖାଦ୍ୟ ସାମଗ୍ରୀର ବର୍ଦ୍ଧିତ ଦାମ୍କୁ ନେଇ ଚିନ୍ତିତ ଥିବା ଭାରତୀୟମାନେ ଏହା ଜାଣିନଥିବେ ଯେ ଏହା ହେଉଛି ଏକ ବିଶ୍ବସ୍ତରର ସମସ୍ୟା। କେବଳ ଭାରତ ନୁହେଁ ସାରା ବିଶ୍ବରେ ଖାଦ୍ୟ ସାମଗ୍ରୀ ମହଙ୍ଗା ହୋଇଛି। କ୍ରମାତ ତୃତୀୟ ମାସ ଲାଗି ଅକ୍ଟୋବରରେ ଖାଦ୍ୟଶସ୍ୟ ଦର ବଢ଼ିଛି। ଏବେ ଖାଦ୍ୟଶସ୍ୟର ଯେଉଁ ଦର ରହିଛି ତାହା ଗତ ୧୦ ବର୍ଷ ଭିତରେ ସର୍ବାଧିକ। ଗତ ବର୍ଷ ତୁଳନାରେ ଅଧିକାଂଶ ଖାଦ୍ୟଶସ୍ୟ ମୂଲ୍ୟରେ ୩୦% ବୃଦ୍ଧି ହୋଇଥିବା ଜଣାପଡ଼ିଛି।
ମହାମାରୀ ପ୍ରଭାବ ଦୂର ହେବା ପରେ ଅର୍ଥନୀତି ସ୍ବାଭାବିକ ହେଉଥିବା ବେଳେ ଉତ୍ସବ ଋତୁ ଯୋଗୁଁ ଲୋକମାନେ ଅଧିକ ଜିନିଷ କିଣାକିଣି କରୁଛନ୍ତି। ଫଳରେ ବହୁ ସାମଗ୍ରୀର ଚାହିଦା ବଢ଼ିଛି। ଖାଦ୍ୟଶସ୍ୟ ଉତ୍ପାଦନରେ ଆଗୁଆ ଥିବା କିଛି ଦେଶରେ ଖରାପ ପାଣିପାଗ କାରଣରୁ ଫସଲ ନଷ୍ଟ ହୋଇଥିବାରୁ ତାହାର ପ୍ରଭାବ ବିଶ୍ବର ଖାଦ୍ୟଶସ୍ୟ ଯୋଗାଣ ଶୃଙ୍ଖଳ ଉପରେ ପଡ଼ିଛି। ଷ୍ଟକ୍ କମ୍ ଥିବାରୁ ଦାମ୍ ବଢ଼ୁଛି। ସାରା ଦାମ୍ ଓ ପରିବହନ ଭଡ଼ାରେ ବୃଦ୍ଧି ସ୍ଥିତିକୁ ଆହୁରି ଜଟିଳ କରିଛି। ବହୁ ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍ ବଢ଼ିଛି। ବିଶ୍ବ ବଜାରରେ ଗହମ ମୂଲ୍ୟ ୯ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଶସ୍ୟ ମୂଲ୍ୟରେ ୩.୨ ପ୍ରତିଶତ ବୃଦ୍ଧି ହୋଇଛି। କେବଳ ଖାଇବା ତେଲ ନୁହେଁ ପ୍ରାୟ ସବୁ ପ୍ରକାର ସାମଗ୍ରୀ ମୂଲ୍ୟରେ ବୃଦ୍ଧି ହେଉଛି। ଭାରତରେ ଖାଇବା ତେଲ ମୂଲ୍ୟ ଗତ ୬-୮ ମାସ ଧରି ନିୟମିତ ଭାବେ ବଢ଼ୁଛି। ସରକାର କେତେକ ପଦକ୍ଷେପ ଗ୍ରହଣ କରିବା ପରେ ସେଥିରେ ଏବେ ହ୍ରାସର ଧାରା ଆରମ୍ଭ ହୋଇଛି। ସାରା ବିଶ୍ବରେ ପ୍ରାୟ ୮୦% ଖାଦ୍ୟଶସ୍ୟ ଜାହାଜର କଣ୍ଟେନରରେ ପରିବହନ କରାଯାଉଛି।
ମାଲ୍ ପରିବହନ କଣ୍ଟେନର୍ ଅଭାବ ଯୋଗୁଁ ଦରଦାମ୍ରେ ଅସ୍ଥିରତା ସୃଷ୍ଟି ହୋଇଛି। ତେବେ ଖାଦ୍ୟଶସ୍ୟ ଦାମ୍ରେ ବୃଦ୍ଧି ସମସ୍ୟା ହଠାତ୍ ଦେଖାଦେଇନାହିଁ। ୨୦୧୭ ପରଠାରୁ ବିଶ୍ବର ଖାଦ୍ୟଶସ୍ୟ ଷ୍ଟକ୍ ହ୍ରାସ ପାଇବାରେ ଲାଗିଛି। ୨୦୧୯ ଠାରୁ ବିଭିନ୍ନ ସାମଗ୍ରୀର ଦାମ୍ ବଢ଼ୁଛି। କାନାଡା, ରୁଷିଆ ଓ ଆମେରିକାରେ ଗହମ ଅମଳ ହ୍ରାସ ପାଇଛି। ଏହାର ପ୍ରଭାବରେ ଅକ୍ଟୋବର ମାସରେ ଗହମ ମୂଲ୍ୟରେ ୫% ବୃଦ୍ଧି ହୋଇଛି। ଗତବର୍ଷ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୪୦.୯୩ ଡଲାର ଥିଲା। ଚଳିତ ବର୍ଷ ତାହା ୮୨.୭୪ ଡଲାରକୁ ବୃଦ୍ଧି ପାଇଛି। ପାମ୍ ଅଏଲ୍ ଓ ଚିନି ଦାମ୍ ମଧ୍ୟ ଗତବର୍ଷ ତୁଳନାରେ ବଢ଼ିଛି। ମକା, ଗହମ, କପା, କଫି ଓ ୟୁରିଆ ସାରା ଦାମ୍ ମଧ୍ୟ ବଢ଼ିଛି। ଖାଦ୍ୟଶସ୍ୟ ମୂଲ୍ୟରେ ଯେଉଁ ବୃଦ୍ଧି ଦେଖାଦେଇଛି ତାହା ସାଧାରଣ ଲୋକଙ୍କୁ ପ୍ରଭାବିତ କରିବା ଆରମ୍ଭ କରିଛି। ସେମାନଙ୍କ ବଜେଟ୍ ବିଗିଡ଼ିଗଲାଣି। ଏଭଳି ପରିସ୍ଥିତିରେ ଲୋକମାନଙ୍କୁ ସରକାରୀ ସହାୟତାର ଆବଶ୍ୟକତା ରହିଛି। ଏହା ବ୍ୟତୀତ ସରକାର ଚାହିଲେ ଖାଦ୍ୟଶସ୍ୟ ଉପରେ ସବ୍ସିଡି ଦେଇପାରିବେ ବୋଲି ବିଶେଷଜ୍ଞମାନେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/sona-massuri-rice-500x500-2.png)