ନିୟନ୍ତ୍ରଣ ବାହାରେ ଖାଦ୍ୟ, ତେଲ ଦାମ୍; ପାଇକାରୀ ମୁଦ୍ରାସ୍ଫୀତି ୧୨.୯୪%

ଖୁଚୁରା ମୁଦ୍ରାସ୍ଫୀତି ୬.୩%

ନୂଆଦିଲ୍ଲୀ: ଚଳିତ ବର୍ଷ ମେ’ ମାସରେ ପାଇକାରୀ ମୁଦ୍ରାସ୍ଫୀତି ହାର ରେକର୍ଡ ୧୨.୯୪% ଭଳି ଉଚ୍ଚ ସ୍ତରରେ ପହଞ୍ଚିଛି। ଏପ୍ରିଲ୍‌ରେ ଏହି ହାର ୧୦.୪୯ ପ୍ରତିଶତ ଥିଲା। ଗତବର୍ଷ ମେ’ରେ କିନ୍ତୁ ତାହା ବିଯୁକ୍ତ ୩.୩୭ ପ୍ରତିଶତ ଥିଲା। ମେ’ ମାସରେ ପେଟ୍ରୋଲ୍, ଡିଜେଲ୍, ନାପ୍‌ଥା, ଫର୍ଣ୍ଣାସ୍‌ ଅଏଲ୍‌ର ଦାମ୍ ବୃଦ୍ଧି ପାଇବାରୁ ମୁଦ୍ରାସ୍ଫୀତି‌ରେ ନିଆଁ ଲାଗିଛି। ଏହି ମାସରେ ଉତ୍ପାଦନ କରାଯାଉଥିବା ବିଭିନ୍ନ ସାମଗ୍ରୀ ମଧ୍ୟ ମହଙ୍ଗା ହୋଇଛିି। ଅର୍ଥନୀତିକୁ ପ୍ରଭାବିତ କରିବାର କ୍ଷମତା ରଖୁଥିବା ବିଭିନ୍ନ ସାମଗ୍ରୀର ମୂଲ୍ୟରେ ହେଉଥିବା ପରିବର୍ତ୍ତନକୁ ଜାଣିବା ଲାଗି ମୁଦ୍ରାସ୍ଫୀତି ତଥ୍ୟ ଜାରି କରାଯାଏ। ସାମଗ୍ରୀଗୁଡ଼ିକର ଦାମ୍‌ରେ ବୃଦ୍ଧି ହେଲେ ମୁଦ୍ରାସ୍ଫୀତି ବଢ଼ିଥାଏ।

ମେ’ ମାସରେ ଇନ୍ଧନ ଓ ଶକ୍ତି ମୂଲ୍ୟରେ ୩୭.୬% ବୃଦ୍ଧି ଘଟିଥିବା ବେଳେ ମାନୁଫାକ୍‌ଚରିଂ କରାଯାଉଥିବା ସାମଗ୍ରୀ ମୂଲ୍ୟ ୧୦.୮% ବଢ଼ିଛି। ପ୍ରାଥମିକ ସାମଗ୍ରୀ ଦାମ୍ ୯.୬% ବୃଦ୍ଧି ପାଇଛି। ବିଭିନ୍ନ ସାମଗ୍ରୀର ଦରରେ ବୃଦ୍ଧିର ଧାରା ଜାରି ରହିଥିବାରୁ ଆଗାମୀ ଦିନରେ ମଧ୍ୟ ପାଇକାରୀ ମୁଦ୍ରାସ୍ଫୀତି ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି। ରେଟିଂ ଏଜେନ୍ସି ଇକ୍ରାର ମୁଖ୍ୟ ଅର୍ଥନୀତିଜ୍ଞ ଆଦିତି ନାୟାର କହିଛନ୍ତି ଯେ ୨୦୨୧ ମେ’ରେ ଅଣ ଖାଦ୍ୟ ସାମଗ୍ରୀ ମୂଲ୍ୟରେ ପ୍ରାୟ ୧୦% ବୃଦ୍ଧି ଘଟିଛି। ଏହି ଧାାରା ଆଉ କିଛି ମାସ ପର୍ଯ୍ୟନ୍ତ ଜାରି ରହିବ। ସେପ୍ଟେମ୍ବର ପର୍ଯ୍ୟନ୍ତ ପାଇକାରୀ ମୁଦ୍ରାସ୍ଫୀତି ହାର ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାରେ ରହିବ ବୋଲି ସେ ପୂର୍ବାନୁମାନ କରିଛନ୍ତି। କରୋନା ମହାମାରୀ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ବିଶ୍ବ ଅର୍ଥନୀତି ଧୀରେ ଧୀରେ ସୁଧାର ପଥକୁ ଫେରୁଥିବାରୁ ଅ‌ଶୋଧିତ ତୈଳ ଓ ଅନ୍ୟ କେତେକ ସାମଗ୍ରୀ ମହଙ୍ଗା ହେବାରେ ଲାଗିଛି। ଗୋଟିଏ ପଟେ ଚାହିଦା ବଢ଼ୁଥିବା ବେଳେ ଅନ୍ୟ ପଟେ ଯୋଗାଣରେ ସମସ୍ୟା ରହୁଥିବା ସାମଗ୍ରୀଗୁଡ଼ିକର ଦାମ୍ ଅଧିକ ରହୁଛି। ଆଗାମୀ ଦିନରେ ଇନ୍ଧନ ମୂଲ୍ୟ ବୃଦ୍ଧି ଯୋଗୁଁ ମୁଦ୍ରାସ୍ଫୀତି ଉଚ୍ଚ ସ୍ତ‌ରରେ ରହିବ ବୋଲି ଅନୁମାନ କରାଯାଉଛି।

ମେ’ ମାସରେ ଖୁୁୁଚୁରା ମୁଦ୍ରାସ୍ଫୀତି ମଧ୍ୟ ବେଲଗାମ ହୋଇପଡ଼ିିଛି। ଖାଦ୍ୟ ସାମଗ୍ରୀ ଓ ଖାଇବା ତେଲ ଦର ବୃଦ୍ଧି ଯୋଗୁଁ ଖୁଚୁରା ମୁଦ୍ରାସ୍ଫୀତି ହାର ୬.୩%କୁ ବୃଦ୍ଧି ପାଇଛି। ଆଲୋଚ୍ୟ ମାସରେ ଖାଦ୍ୟ ସାମଗ୍ରୀ ଦାମ୍ ୫.୦୧ ପ୍ରତିଶତ ବଢ଼ିଛି। ଏପ୍ରିଲ୍ ମାସରେ ଏହି ବୃଦ୍ଧିର ହାର ଏହା ଠାରୁ କମ୍ ଅର୍ଥାତ ୧.୯୬% ଥିଲା। ଦୀର୍ଘ ତିନି ମାସର ବ୍ୟବଧାନ ପରେ ଏପ୍ରିଲ୍ ମାସରେ ଖୁଚୁରା ମୁଦ୍ରାସ୍ଫୀତି ହାର ୪.୨୩ ପ୍ରତିଶତକୁ ହ୍ରାସ ପାଇଥିଲା। ଖାଦ୍ୟ ସାମଗ୍ରୀ ଓ ଇନ୍ଧନ ମୂଲ୍ୟ ବଢ଼ିବାରୁ ମେ’ ମାସରେ ତାହା ପୁଣି ବଢ଼ିଛି। ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ବଡ଼ ଦାୟିତ୍ବ। ସେଥିପାଇଁ ନିକଟରେ ମୁଦ୍ରାନୀତି କମିଟି ସୁଧ ହାରକୁ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଥିଲା। ୨୦୨୧-୨୨ ଆର୍ଥିକ ବର୍ଷରେ ଖୁଚୁରା ମୁଦ୍ରାସ୍ପୀତି ହାର ୫.୨% ମଧ୍ୟରେ ରହିବ ବୋଲି ରିଜର୍ଭ ବ୍ୟାଙ୍କ ଆକଳନ କରିଛି।

ସମ୍ବନ୍ଧିତ ଖବର