ନୂଆଦିଲ୍ଲୀ: ଅକ୍ଟୋବର ମାସରେ ଦେଶରେ ଉଭୟ ନିରାମିଷ ଓ ଆମିଷ ଖାଦ୍ୟ ଥାଳି ଗତବର୍ଷ ଅକ୍ଟୋବର ତୁଳନାରେ ଶସ୍ତା ହୋଇଛି। ନିରାମିଷ ଥାଳି ମୂଲ୍ୟ ୧୭ ପ୍ରତିଶତ କମି ୨୭ ଟଙ୍କା ୮୦ ପଇସା ରହିଛି। ୨୦୨୪ ଅକ୍ଟୋବରରେ ନିରାମିଷ ଥାଳି ମୂଲ୍ୟ ୩୩ ଟଙ୍କା ୩୦ପଇସା ଥିଲା। କ୍ରିସିଲ୍ର ଖାଦ୍ୟ ଥାଳି ମୂଲ୍ୟ ସୂଚୀରେ ଏହା ଦର୍ଶାଯାଇଛି। କ୍ରିସିଲ୍ ଏହାର ରାଇସ୍ ରୋଟି ରେଟ୍ (ଆର୍ଆର୍ଆରଏ)ରେ ଦର୍ଶାଇଛି ଯେ ନିରାମିଷ ଖାଦ୍ୟ ଥାଳି ଦର ଚଳିତବର୍ଷ ସେପ୍ଟେମ୍ବର ତୁଳନାରେ ଅକ୍ଟୋବରରେ ୧ ପ୍ରତିଶତ ହ୍ରାସ ପାଇଛି। ସେପ୍ଟେମ୍ବରରେ ଏହାର ଦର ୨୮ ଟଙ୍କା ୧୦ ପଇସା ଥିଲା।
ଗତବର୍ଷ ଅକ୍ଟୋବର ତୁଳନାରେ ଚଳିତବର୍ଷ ଅକ୍ଟୋବରରେ ଆମିଷ ଖାଦ୍ୟ ଥାଳି ଦର ୧୨ ପ୍ରତିଶତ ହ୍ରାସ ପାଇ ୫୪ ଟଙ୍କା ୪୦ ପଇସା ରହିଛି। ଗତବର୍ଷ ଅକ୍ଟୋବରରେ ଏହା ୬୧ ଟଙ୍କା ୬୦ ପଇସା ଥିଲା। ତେବେ ଚଳିତବର୍ଷ ସେପ୍ଟେମ୍ବର ତୁଳନାରେ ଅକ୍ଟୋବରରେ ଆମିଷ ଖାଦ୍ୟ ଥାଳି ଦର ୩ ପ୍ରତିଶତ କମିଛି। ସେପ୍ଟେମ୍ବରରେ ଆମିଷ ଖାଦ୍ୟ ଥାଳି ଦର ୫୬ ଟଙ୍କା ଥିଲା। କ୍ରିସିଲ୍ର ରିପୋର୍ଟ ଅନୁଯାୟୀ, ଆଳୁ, ପିଆଜ, ଟମାଟୋ ଏବଂ ଡାଲି ଦାମ ହ୍ରାସ ପାଇବା କାରଣରୁ ନିରାମିଷ ଖାଦ୍ୟ ଥାଳି ଦର କମିଛି। ବାର୍ଷିକ ଆଧାରରେ ଟମାଟୋ ଦର ୪୦ ପ୍ରତିଶତ, ପିଆଜ ଦର ୫୧ ପ୍ରତିଶତ ଏବଂ ଆଳୁ ଦର ୩୧ ପ୍ରତିଶତ କମିଛି। ଡାଲି ଦର ୧୭ ପ୍ରତିଶତ କମିଛି।
ଆମିଷ ଖାଦ୍ୟ ଥାଳି ଦର ଚିକେନ ମୂଲ୍ୟ ହ୍ରାସ କାରଣରୁ ହୋଇଛି। ବାର୍ଷିକ ଆଧାରରେ ଚିକେନ ଦର ୬ ପ୍ରତିଶତ କମିଛି। ଆମିଷ ଖାଦ୍ୟ ଥାଳି ଦରରେ ଚିକେନର ଭାଗ ୫୦ ପତିଶତ ରହିଥାଏ। ବାର୍ଷିକ ଆଧାରରେ ବନସ୍ପତି ଏବଂ ଏଲ୍ପିଜି ଦର ଯଥାକ୍ରମେ ୧୧ ପ୍ରତିଶତ ଏବଂ ୬ ପ୍ରତିଶତ ବଢ଼ିଛି। ନଚେତ୍, ଉଭୟ ଆମିଷ ଓ ନିରାମିଷ ଖାଦ୍ୟ ଥାଳି ଦର ଆହୁରି କମିଥାନ୍ତା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/10/sfhsfhhfxv-2025-11-10-01-30-03.jpg)