ଟ୍ରେନ୍‌ ଓ ଷ୍ଟେସନରେ ଯାତ୍ରୀଙ୍କୁ ବିକ୍ରି ହେଉଥିବା ଖାଦ୍ୟ ମହଙ୍ଗା ହେବ !

ମୁଦ୍ରାସ୍ଫୀତି ଏବଂ ଜିଏସ୍‌ଟି ପ୍ରଭାବ

ନୂଆଦିଲ୍ଲୀ: ଏଣିକି ଟ୍ରେନ୍‌ ଯାତ୍ରା କାଳରେ ଯାତ୍ରୀମାନଙ୍କୁ ଖାଦ୍ୟ ଓ ପାନୀୟ ବାବଦରେ ଅଧିକ ଦେୟ ଦେବାକୁ ପଡ଼ିବ! କାରଣ, ଉଭୟ ଟ୍ରେନ୍‌ ଭିତରେ ଷ୍ଟେସନ୍‌ମାନଙ୍କରେ ଯାତ୍ରୀମାନଙ୍କୁ ମିଳୁଥିବା ଖାଦ୍ୟ ଓ ପାନୀୟର ମୂଲ୍ୟ ସୂଚୀରେ ରେଳ ବିଭାଗ ବୃଦ୍ଧି ଘଟାଇବାକୁ ଯାଉଛନ୍ତି।

ବର୍ଦ୍ଧିତ ମୁଦ୍ରାସ୍ଫୀତି ଏବଂ ସାମଗ୍ରୀ ଓ ସେବା କର (ଜିଏସ୍‌ଟି) କାରଣରୁ ଏହି ମୂଲ୍ୟ ବୃଦ୍ଧି ଘଟିବା ପାଇଁ ଯାଉଛି। ଟ୍ରେନ୍‌ ଯାତ୍ରୀଙ୍କ ଖାଦ୍ୟର ମୂଲ୍ୟରେ ପ୍ରଚଳିତ ଦର ଠାରୁ ପ୍ରାୟ ୩୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିବ ବୋଲି ପ୍ରାଥମିକ ସ୍ତରରେ ଆକଳନ କରାଯାଇଛି। ମୂଲ୍ୟବୃଦ୍ଧି ସଂକ୍ରାନ୍ତୀୟ ପ୍ରସ୍ତାବ ଏବେ ରେଳ ମନ୍ତ୍ରୀ ପିୟୂଷ ଗୋଏଲଙ୍କ ବିଚାରାଧୀନ ରହିଛି ଏବଂ ଏ ମାମଲାରେ ସେ ଭାରତୀୟ ରେଳବାଇ ବୋର୍ଡର ବିଭିନ୍ନ ବିଭାଗ ସହିତ ବିଚାର ଆଲୋଚନା ଆରମ୍ଭ କରିଛନ୍ତି।

The Hindu

ଖବରରୁ ପ୍ରକାଶ ବିଗତ ୨୦୧୨ରେ ନିର୍ଦ୍ଧାରିତ ହୋଇଥିବା ମୂଲ୍ୟ ସୂଚୀ ଅନୁଯାୟୀ ରେଳବିଭାଗ ଯାତ୍ରୀମାନଙ୍କୁ ଅତ୍ୟନ୍ତ ଶସ୍ତା ଦରରେ ଉଭୟ ଟ୍ରେନ୍‌ ଭିତରେ ଓ ଷ୍ଟେସନ୍‌ରେ ଏବେ ବି ଖାଦ୍ୟ ଓ ପାନୀୟ ଯୋଗାଇ ଆସୁଛି। ଚାହା କପ୍‌ ପ୍ରତି ୭ ଟଙ୍କା, ନିରାମିଷ ବ୍ରେକ୍‌ଫାଷ୍ଟ (ବ୍ରେଡ୍‌, ବଟର ଏବଂ କଟ୍‌ଲେଟ୍‌) ୩୦ ଟଙ୍କା, ଆମିଷ ବ୍ରେକ୍‌ଫାଷ୍ଟ (ବ୍ରେଡ୍‌, ବଟର ଏବଂ ଆମ୍‌ଲେଟ୍‌) ୩୫ ଟଙ୍କା, ବିଶୁଦ୍ଧ ପାନୀୟ ଜଳ ବୋତଲ ପ୍ରତି ୧୫ ଟଙ୍କା, ନିରାମିଷ ଥାଳି ୫୦ ଟଙ୍କା ଏବଂ ଆମିଷ ଥାଳି ୫୫ ଟଙ୍କା ଦରରେ ରେଳ ବିଭାଗର କ୍ୟାଟରିଂ ବିଭାଗ ଯାତ୍ରୀମାନଙ୍କୁ ଏଯାବତ୍‌ ଯୋଗାଇ ଆସୁଛି।

ତେବେ, ସରକାର ଏବେ ରେଳଯାତ୍ରୀଙ୍କ ଖାଦ୍ୟ ଉପରେ ଜିଏସ୍‌ଟି ଲାଗୁ କରି ଦେଇଥିବାରୁ ଆଉ ଏହି ଦରରେ ଯାତ୍ରୀମାନଙ୍କୁ ଖାଦ୍ୟ ଯୋଗାଇବା ସମ୍ଭବପର ନୁହେଁ ବୋଲି କ୍ୟାଟରିଂ ବିଭାଗ ପକ୍ଷରୁ କୁହାଯାଇଛି। ବିଭିନ୍ନ ରେଳ ଷ୍ଟେସନ୍‌ରେ ଯାତ୍ରୀମାନଙ୍କ ଉଦ୍ଦେଶ୍ୟରେ ମିଳୁଥିବା ଖାଦ୍ୟ ଉପରେ ୫ ପ୍ରତିଶତ ଜିଏସ୍‌ଟି ନିଆ ଯାଉଥିବା ବେଳେ ଟ୍ରେନ୍‌ ଭିତରେ ଯାତ୍ରୀମାନଙ୍କୁ ଯୋଗାଇ ଦିଆ ଯାଉଥିବା ଖାଦ୍ୟ ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଆଦାୟ କରାଯାଉଛି। ଏହା ଉପରେ ପୁଣି ରହିଛି ଦରବୃଦ୍ଧି ବା ମୁଦ୍ରାସ୍ଫୀତି।

ତେଣୁ, ଏ ପରିସ୍ଥିତିରେ ପ୍ରଚଳିତ ମୂଲ୍ୟ ସୂଚୀରେ ପରିବର୍ତ୍ତନ ନ ଆଣିଲେ କ୍ୟାଟରିଂ ବିଭାଗ ଆଉ ପୂରୁଣା ଦରରେ ରେଳ ଯାତ୍ରୀମାନଙ୍କୁ ଖାଦ୍ୟ ଯୋଗାଇ ପାରିବ ନାହିଁ ଲିଖିତ ଭାବେ ଜଣାଇ ଦେଇଛି। କ୍ୟାଟରିଂ ବିଭାଗ ଠାରୁ ଏପ୍ରକାର ପତ୍ର ମିଳିବା ପରେ ରେଳ ମନ୍ତ୍ରାଳୟ ପକ୍ଷରୁ ରେଳ ଯାତ୍ରୀଙ୍କ ଖାଦ୍ୟ ମୂଲ୍ୟ ସୂଚୀକୁ ପରିବର୍ତ୍ତନ କରିବା ପାଇଁ ଉଦ୍ଦ୍ୟମ ଆରମ୍ଭ ହୋଇଛି ଏବଂ ଖୁବ୍‌ ଶୀଘ୍ର ନୂତନ ମୂଲ୍ୟ ସୂଚୀର ଘୋଷଣା କରାଯିବ ବୋଲି ରେଳ ମନ୍ତ୍ରାଳୟର ଜନୈକ ବରିଷ୍ଠ ପଦାଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର