କେବଳ ଝୋଟ ବସ୍ତାରେ ରହିବ ଖାଦ୍ୟଶସ୍ୟ

ଭୁବନେଶ୍ବର: ଏଣିକି ଖାଦ୍ୟଶସ୍ୟ କେବଳ ଝୋଟରେ ପ୍ରସ୍ତୁତ ଅଖାରେ ହିଁ ମହଜୁଦ ରହିବ। ଝୋଟ ଅଖାରେ ଖାଦ୍ୟଶସ୍ୟ ରଖିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ‌ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି। ୧୦୦ ପ୍ରତିଶତ ଖାଦ୍ୟଶସ୍ୟ ସହିତ ୨୦ ପ୍ରତିଶତ ଚିନି ବିଭିନ୍ନ ପ୍ରକାର ଝୋଟ ଅଖାରେ ରହିବ ବୋଲି ମଧ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି।

ଏହି ନିଷ୍ପତ୍ତି ଫଳରେ ଝୋଟ ବସ୍ତାରେ ସାମଗ୍ରୀ ପ୍ୟାଜେକିଂ ଆଇନ ୧୯୮୭ର ପରିସରକୁ ସମ୍ପ୍ରସାରିତ କରାଯାଇଛି। ପୂର୍ବରୁ ୯୦ ପ୍ରତିଶତ ଖାଦ୍ୟଶସ୍ୟ ଏବଂ ୨୦ ପ୍ରତିଶତ ଚିନି ଝୋଟ ଅଖାରେ ମହଜୁଦ ରହିବ ବୋଲି ଏହି ନିୟମରେ ବ୍ୟବସ୍ଥା ଥିଲା। ଝୋଟ ଅଖାରେ ଖାଦ୍ୟଶସ୍ୟ ମହଜୁଦ ରଖିବା ପାଇଁ ପ୍ରଥମେ ସରକାରଙ୍କ ଇ-ମାର୍କେଟପ୍ଲେସ ୱେବସାଇଟରେ ୧୦ ପ୍ରତିଶତ ଅଖା ପାଇଁ ରିଭର୍ସ ଅକ୍ସନ ବା ଓଲଟା ନିଲାମ ହେବ। ସୂଚନାଯୋଗ୍ୟ ଯେ, ସାଧାରଣ ନିଲାମରେ କ୍ରେତା କେତେ ମୂଲ୍ୟରେ ସାମଗ୍ରୀ କିଣିବ ତାହା ଡାକିଥାଏ। ଏହା ବଢ଼ି ବଢ଼ି ଯାଇଥାଏ। କିନ୍ତୁ ରିଭର୍ସ ଅକ୍ସନରେ ବିକ୍ରେତା ତାଙ୍କ ‌ସାମଗ୍ରୀକୁ କେତେ ଅର୍ଥରେ ବିକ୍ରି କରିବ ତାହା ଡାକିଥାଏ। ଏହି ନିଲାମ ମୂଲ୍ୟ ସାଧାରଣତଃ କମି କମି ଯାଇ ଏକ ସ୍ତରରେ ଧାର୍ଯ୍ୟ ହୋଇଥାଏ। ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଦେଶରେ‌ ଝୋଟ ଚାଷୀମାନେ ଉପକୃତ ହେବେ। ଏଥିସହିତ ଝୋଟ ଶିଳ୍ପ ମଧ୍ୟ ଆଗକୁ ବଢ଼ିପାରିବ। ଦେଶରେ ପ୍ରାୟ ୩ ଲକ୍ଷ ୭୦ ହଜାର ଶ୍ରମିକ ସେମାନଙ୍କ ଜୀବୀକା ପାଇଁ ଝୋଟ ଶିଳ୍ପ ଉପରେ ନିର୍ଭରଶୀଳ ରହିଛନ୍ତି। ଏଥିସହିତ ଲକ୍ଷାଧିକ କୃଷକ ପରିବାର ଝୋଟ ଚାଷ କରି ସେମାନଙ୍କ ଗୁଜରାଣ ମେଣ୍ଟାଇଥାନ୍ତି। ତେବେ ଝୋଟ ଶିଳ୍ପର ଭାଗ୍ୟ ଓ ଭବିଷ୍ୟତ ସାଧାରଣତଃ ସରକାରଙ୍କ ନୀତି ଉପରେ ନିର୍ଭର କରିଥାଏ। କାରଣ ସରକାର ଖାଦ୍ୟଶସ୍ୟ ସଂରକ୍ଷଣ ପାଇଁ ପ୍ରତିବର୍ଷ ୬୫୦୦ କୋଟି ଟଙ୍କାର ଊର୍ଧ୍ବ ମୂଲ୍ୟର ଝୋଟ ଅଖା କିଣିଥାନ୍ତି। କ୍ୟାବିନେଟର ଏହି ନିଷ୍ପତ୍ତି ଫଳରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର, ଆସାମ, ଆନ୍ଧ୍ର ପ୍ରଦେଶ, ମେଘାଳୟ ଓ ତ୍ରିପୁରାର କୃଷକ ଓ ଶ୍ରମିକମାନେ ବିଶେଷଭାବେ ଉପକୃତ ହେବେ ବୋଲି ଆଶା ରଖାଯାଇଛି।

ସମ୍ବନ୍ଧିତ ଖବର