ନୂଆଦିଲ୍ଲୀ: ଚଳିତ ବର୍ଷ ନଭେମ୍ବର ୨୦ରୁ ଡିସେମ୍ବର ୧୮ ପର୍ଯ୍ୟନ୍ତ କାତାରରେ ଅନୁଷ୍ଠିତ ହେବାକୁ ଥିବା ଫୁଟ୍ବଲ୍ ବିଶ୍ବକପ୍ ମ୍ୟାଚ୍ ଦେଖିବା ଲାଗି ଭାରତୀୟ ଧନୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଏବେଠାରୁ ସେମାନେ ପ୍ରାଇଭେଟ୍ ଜେଟ୍ ବୁକିଂ କରିବା ଆରମ୍ଭ କରିଛନ୍ତି। ବହୁ ଚଢ଼ା ଦରରେ ସେମାନେ ପ୍ରାଇଭେଟ୍ ଜେଟ୍ ବୁକିଂ କରୁଛନ୍ତି। ଜଣେ ଧନୀ ବ୍ୟକ୍ତି ୩୦ ସିଟ୍ ବିଶିଷ୍ଟ ଏକ ଚାର୍ଟର ପ୍ଲେନ୍ ବୁକ୍ କରିଛନ୍ତି।
ପ୍ରାଇଭେଟ୍ ଜେଟ୍ ସେବା ପ୍ରଦାନ କରୁଥିବା ଦିଲ୍ଲୀର କଂପାନି ଇନଷ୍ଟା ଚାର୍ଟରର ପ୍ରତିଷ୍ଠାତା କ୍ୟାପ୍ଟେନ୍ ଅଭିଶେକ ସିହ୍ନା କହିଛନ୍ତି ଯେ ଫୁଟ୍ବଲ୍ ବିଶ୍ବକପ୍ ମ୍ୟାଚ୍ ଦେଖିବା ଲାଗି ବହୁ ଧନୀ ଭାରତୀୟ କାତାର ଯିବେ। ବ୍ୟବସାୟ ଗୋପନୀୟତା ନୀତି ଦୃଷ୍ଟିରୁ ଆମେ ସେମାନଙ୍କ ନାମ ପ୍ରକାଶ କରିପାରିବୁ ନାହିଁ। କାତାରରେ ହୋଟେଲ୍ ରୁମ୍ ସହଜରେ ମିଳୁନି। ତେଣୁ ଲୋକମାନେ ପ୍ରାଇଭେଟ୍ ଜେଟ୍ରେ ଯାତ୍ରା କରି ମ୍ୟାଚ୍ ଦେଖିସାରିବା ପରେ ସେହିଦିନ ଭାରତ ଫେରିବାକୁ ଚାହୁଛନ୍ତି। ଭାରତରେ ବହୁ ଧନୀ ବ୍ୟକ୍ତିଙ୍କ ବୟସ ୪୦ ବର୍ଷରୁ କମ୍। ସେମାନେ ଗହଣା କିଣିବା ବଦଳରେ କିଭଳି ଉନ୍ନତ ଅନୁଭୂତି ପାଇପାରିବେ ସେଥିରେ ଅଧିକ ଖର୍ଚ୍ଚ କରିବାକୁ ଚାହୁଛନ୍ତି।
ଦିଲ୍ଲୀରୁ କାତାରର ସହର ଦୋହାକୁ ଚାର୍ଟର ପ୍ଲେନ୍ରେ ଯାତ୍ରା କରିବା ଲାଗି ୫ ଘଣ୍ଟା ସମୟ ଲାଗୁଛି। ୩୦ ସିଟ୍ ବିଶିଷ୍ଟ ଚାର୍ଟର ପ୍ଲେନ୍ ବୁକିଂ ବେଳେ ଉଭୟ ପାର୍ଶ୍ବ ଯାତ୍ରାର ଭଡ଼ା ବିଚାରକୁ ନିଆଯାଏ। ଏହା ବ୍ୟତୀତ ବିମାନକୁ ଅଧିକ ସମୟ ପାଖରେ ରଖିବା, ବିମାନ ବନ୍ଦର ଏବଂ କ୍ରୁ ସଦସ୍ୟଙ୍କ ଫି’କୁ ମଧ୍ୟ ସେଥିରେ ଯୋଡ଼ାଯାଏ। ଏହି ସବୁ ଦୃଷ୍ଟିରୁ ଏକ ୩୦ ସିଟ୍ ବିଶିଷ୍ଟ ଚାର୍ଟର ପ୍ଲେନ୍ରେ ଦିଲ୍ଲୀରୁ ଦୋହା ଯାଇ ପୁଣି ଫେରିବା ଲାଗି ୫୦-୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହା ବାଦ ଟିକସ ଲାଗିବ। ଅଧିକାଂଶ ଭାରତୀୟ ଧନୀ ଆର୍ଜେଣ୍ଟିନାର ସୁପରଷ୍ଟାର ଖେଳାଳି ଲିଓନେଲ୍ ମେସି ଖେଳୁଥିବା ମ୍ୟାଚ୍ ଦେଖିବାକୁ ଚାହୁଥିବା ଜଣାପଡ଼ିଛି।