୫୦୦ ଟଙ୍କିଆ ଛପାଇବାରେ ୫ ହଜାର କୋଟି ଖର୍ଚ

ନୂଆଦିଲ୍ଲୀ: ବିମୁଦ୍ରାକରଣ ପରେ ନୂଆ ୫୦୦ ଟଙ୍କିଆ ନୋଟ୍‌ ଛପାଇବାରେ ୫୦୦୦ କୋଟି ଟଙ୍କା ଖର୍ଚ ହୋଇଛି। ଲୋକସଭାରେ ଆଜି ଏହି ତଥ୍ୟ ଉପସ୍ଥାପନ କରାଯାଇଛି। ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପି ରାଧାକୃଷ୍ଣନ ଗୃହରେ ଲିଖିତ ଭାବେ ଜଣାଇଛନ୍ତି ଯେ ଡିସେମ୍ବର ୮ ସୁଦ୍ଧା ୧୬୯୫.୭ କୋଟି ଖଣ୍ଡ ନୂଆ ୫୦୦ ଟଙ୍କିଆ ନୋଟ୍‌ ଛପାଯାଇଛି। ଏହି ସବୁ ନୋଟ୍‌ ଛପାଇବା ଦିଗରେ ୪୯୬୮.୮୪ କୋଟି ଟଙ୍କା ଖର୍ଚ ହୋଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ସମୟରେ ୩୬୫.୪ କୋଟି ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍‌ ଛପାଇଛି। ଏ ବାବଦରେ ୧୨୯୩.୬ କୋଟି ଟଙ୍କା ଖର୍ଚ ହୋଇଛି। ସେହିପରି ୧୭୮ କୋଟି ଖଣ୍ଡ ୨୦୦ ଟଙ୍କିଆ ନୋଟ୍‌ ଛପାଇବା ବାବଦରେ ୫୨୨.୮୩ କୋଟି ଟଙ୍କା ଖର୍ଚ ହୋଇଛି।

ବିମୁଦ୍ରାକରଣ ପରେ ଦେଶରେ ନୂଆ ରୂପରେ ୫୦, ୨୦୦, ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ କରାଯାଇଥିଲା। ନୋଟ୍‌ ଛପାଇବା ବାବଦରେ ଖର୍ଚ ବଢ଼ିଯିବା ଯୋଗୁଁ ୨୦୧୬-୧୭ରେ ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ପ୍ରଦାନ କରିଥିବା ବଳକା ଅର୍ଥରାଶି ପରିମାଣ ୩୫,୨୧୭ କୋଟି ଟଙ୍କା କମିଯାଇଛି। ୨୦୧୫-୧୬ରେ ଏହି ବଳକା ପରିମାଣ ୬୫,୮୭୬ କୋଟି ଟଙ୍କା ଥିବା ବେଳେ ୨୦୧୬-୧୭ରେ ତାହା ୩୦,୬୫୯ କୋଟି ଟଙ୍କାକୁ ହ୍ରାସ ପାଇଛି। ଗତବର୍ଷ ନଭେମ୍ବର ୮ରେ ବିମୁଦ୍ରାକରଣ ଘୋଷଣା କରାଯାଇଥିଲା।

ସମ୍ବନ୍ଧିତ ଖବର