ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ବିତୀୟ ଲହର ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମିର ଦୁର୍ବଳ ସ୍ଥିତିକୁ ପଦାରେ ପକାଇ ଦେଇଛି। ଆଇସିୟୁ ଶଯ୍ୟା, ୍ଅକ୍ସିଜେନ୍, ଭେଣ୍ଟିଲେଟର, ଟିକା, ଡାକ୍ତର, ନର୍ସ ଆଦି ସବୁ କିଛିର ଅଭାବ ଦେଖାଦେଇଛି। କରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିବାରୁ ସାରା ବିଶ୍ବ ଏବେ ଭାରତ ପ୍ରତି ସହାୟତାର ହାତ ବଢ଼ାଇଛି। ବର୍ତ୍ତମାନର ସ୍ଥିତି ପାଇଁ ରାଜନୈତିକ ରୢାଲି, କୁମ୍ଭମେଳା, ଦୁର୍ବଳ ଟିକାକରଣ ଏବଂ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବର ଖୋଲାଖୋଲି ଉଲ୍ଲଘଂନକୁ ଦାୟୀ କରାଯାଉଛି। ମାତ୍ର ଗତ ୭୫ ବର୍ଷର ବଜେଟ୍କୁ ଅନୁଶୀଳନ କଲେ ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସ୍ବାସ୍ଥ୍ୟ କ୍ଷେତ୍ର ପ୍ରତି ଅବହେଳା କରାଯାଇଛି।
କିଛି ଅର୍ଥମନ୍ତ୍ରୀ ନିଜ ବଜେଟ୍ ଭାଷଣରେ ସ୍ବାସ୍ଥ୍ୟକୁ ସମ୍ପୂର୍ଣ୍ଣ ଅଣଦେଖା କରିଛନ୍ତି। ଅନ୍ୟମାନେ ସ୍ବାସ୍ଥ୍ୟ ଶବ୍ଦକୁ ନାମକୁ ମାତ୍ର ବ୍ୟବହାର କରିଛନ୍ତି। ସିଗାରେଟ ଉପରେ ଟିକସ ବଢ଼ାଇବା ଏବଂ ପରିବାର ନିୟୋଜନ ସ୍କିମ୍ରେ ପରିବର୍ତ୍ତନ ଆଦିରେ ତାହା ସୀମିତ ରହିଯାଇଛି। କେନ୍ଦ୍ର ସରକାରଙ୍କ ୨୭ଟି ବଜେଟ୍ ଭାଷଣରେ ସ୍ବାସ୍ଥ୍ୟ ଶବ୍ଦ ବ୍ୟବହାର ହୋଇନାହିଁ। ଅନ୍ୟ ୧୯ଟି ବଜେଟ୍ରେ ସାମାଜିକ କ୍ଷେତ୍ରର ବ୍ୟୟବରାଦ ପଢ଼ିବା ବେଳେ ସ୍ବାସ୍ଥ୍ୟ ଶବ୍ଦ ଅଳ୍ପରେ ବ୍ୟବହାର ହୋଇଛି। ସ୍ବାସ୍ଥ୍ୟ ପାଇଁ ବଜେଟ୍ରେ ହେଉଥିବା ବ୍ୟୟବରାଦ ଦୀର୍ଘବର୍ଷ ପର୍ଯ୍ୟନ୍ତ ଏକ ଅଙ୍କ ବିଶିଷ୍ଟ ସଂଖ୍ୟାରେ ସୀମିତ ରହିଛି।
୧୯୯୧ ପର୍ଯ୍ୟନ୍ତ କୌଣସି ଅର୍ଥମନ୍ତ୍ରୀ ବଜେଟ୍ରେ ସ୍ବାସ୍ଥ୍ୟକୁ ବିଶେଷ ଗୁରୁତ୍ବ ଦେଇନଥିଲେ। ପୂର୍ବତନ ଅର୍ଥମନ୍ତ୍ରୀ ଆର୍ କେ ଷଣ୍ମୁଖମ ଚେଟ୍ଟି, ସି ଡି ଦେଶମୁଖ, ଟି ଟି କୃଷ୍ଣମାଚାରୀ, ଜବାହାର ଲାଲ ନେହେରୁ, ମୋରାରଜୀ ଦେଶାଇ ଓ ଇନ୍ଦୀରା ଗାନ୍ଧୀ ନିଜ ବଜେଟ୍ ଅଭିଭାଷଣରେ ସ୍ବାସ୍ଥ୍ୟ ବିଷୟରେ ବିଶେଷ ଆଲୋଚନା କରିନଥିଲେ। ନେହେରୁ ଓ ଇନ୍ଦୀରା ପ୍ରଧାନମନ୍ତ୍ରୀ ଥିବା ବେଳେ କିଛି ନିର୍ଦିଷ୍ଟ ବର୍ଷରେ ଅର୍ଥମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ବ ନିର୍ବାହ କରିଥିଲେ। ସେହି ବର୍ଷ ସେମାନେ ବଜେଟ୍ ଉପସ୍ଥାପନ କରିଥିଲେ। ୧୯୯୧-୭୨ରେ ୱାଇ ଭି ଚଭନ ସେମାନଙ୍କ ରେକର୍ଡ ଭାଙ୍ଗି ଥିଲେ ଓ ନିଜ ବଜେଟ୍ ଅଭିଭାଷଣରେ ଚାରି ଥର ସ୍ବାସ୍ଥ୍ୟ ଶବ୍ଦର ବ୍ୟବହାର କରିଥିଲେ। ଏହାର ପରବର୍ତୀ ଦୁଇଟି ବଜେଟ୍ ଉପସ୍ଥାପନ କରିବା ବେଳେ ସେ ସ୍ବାସ୍ଥ୍ୟ ଶବ୍ଦ ବ୍ୟବହାର କରିବାକୁ ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ।
ଅଟଳ ବିହାରୀ ବାଜପେୟୀଙ୍କ ସରକାର ଅମଳରେ ଅର୍ଥମନ୍ତ୍ରୀ ଦାୟିତ୍ବ ନିର୍ବାହ କରୁଥିବା ଯଶୋବନ୍ଦ ସିହ୍ନା ୧୯୯୯-୨୦୦୦ରେ ଟିକାକରଣ ପାଇଁ ଏକ ପ୍ରଯୁକ୍ତି ମିସନ ଘୋଷଣା କରିଥିଲେ। ବର୍ତ୍ତମାନ ଦେଶର ସ୍ବାସ୍ଥ୍ୟ ସ୍ଥିତି ଯେଉଁଭଳି ଦୁର୍ବଳ ସ୍ଥିତିରେ ରହିଛି ସେ ସମ୍ପର୍କରେ ଶ୍ରୀ ସିହ୍ନା କହିଛନ୍ତି ଯେ କରୋନା ମହାମାରୀର ପ୍ରଥମ ଲହରରେ ସ୍ବାସ୍ଥ୍ୟ ଭିତ୍ତିଭୂମି ବିକଶିତ କରିବାରେ ସରକାର ବିଫଳ ହୋଇଛନ୍ତି। ପ୍ରଥମ ଲହର ପରେ ଆମେ ଶୋଇପଡ଼ିଲେ। ବର୍ତମାନର ସ୍ଥିତି ପାଇଁ ସେ ସରକାରଙ୍କ ବରିଷ୍ଠ ପଦପଦବୀରେ ଥିବା ଲୋକମାନଙ୍କୁ ଦାୟୀ କରିଛନ୍ତି। ଦେଶ ସ୍ବାଧୀନ ହେବାର କିଛି ଦିନ ପୂର୍ବରୁ ଭୋରେ କମିଟିର ସୁପାରିସ ଆଧାରରେ ୧୯୫୬ରେ ଦିଲ୍ଲୀରେ ଏମସ୍ ପ୍ରତିଷ୍ଠା ହୋଇଥିଲା। ୨୦୦୩ରେ ସୁଷମା ସ୍ବରାଜ ସ୍ବାସ୍ଥ୍ୟମନ୍ତ୍ରୀ ଥିବା ବେଳେ କ୍ଷୁଦ୍ର ସହର ଓ ନଗରରେ ଏମସ୍ ସ୍ଥାପନ କରିବାର ବାଟ ଫିଟିଥିଲା। ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିସନ ଓ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ସ୍କିମ୍ କେତେକ ବଳିଷ୍ଠ ପଦକ୍ଷେପ ଥିଲା।
ପବ୍ଲିକ୍ ହେଲ୍ଥ ଫାଉଣ୍ଡେସନ ଅଫ୍ ଇଣ୍ଡିଆର ସଭାପତି କେ ଶ୍ରୀନାଥ ରେଡ୍ଡି କହିଛନ୍ତି ଯେ ଦେଶର ରାଜନୈତିକ ନିଷ୍ପତ୍ତି ଗ୍ର୍ରହଣ ବ୍ୟବସ୍ଥାରେ ଅଥର୍ନୀତିର ଅନ୍ୟ କ୍ଷେତ୍ର ଭଳି ସ୍ବାସ୍ଥ୍ୟ କ୍ଷେତ୍ରକୁ କେବେବି ଗୁରୁତ୍ବ ଦିଆଯାଇନାହିଁ। ଏହି କ୍ଷେତ୍ରକୁ କେବେବି ଅର୍ଥନୈତିକ ଦୃଷ୍ଟିକୋଣରୁ ଉତ୍ପାଦକ କ୍ଷେତ୍ର ଭାବେ ଦେଖାଯାଇନାହିଁ। କେବଳ ସାମାଜିକ କ୍ଷେତ୍ର ସ୍ବରୂପ ଯାହା କିଛି ବ୍ୟବସ୍ଥା କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋନହ ସିଂହ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ ୧୯୯୬-୯୭ରେ ନିଜ ବଜେଟ୍ ଅଭିଭାଷଣରେ ସ୍ବାସ୍ଥ୍ୟ ସେବାର ସାମାଜିକ ଦିଗ ଉପରେ ଆଲୋକପାତ କରିଥିଲେ। ମହାମାରୀ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜଳ ଓ ପରିମଳ ସହିତ ସ୍ବାସ୍ଥ୍ୟ କ୍ଷେତ୍ରକୁ ମିଶାଇ ବ୍ୟୟବରାଦରେ ୧୩୭% ବୃଦ୍ଧି କରିଛନ୍ତି।