ନୂଆଦିଲ୍ଲୀ,: ମୋଦି ସରକାରଙ୍କ ଆସନ୍ତା ୨୦୧୮-୧୯ ବଜେଟରେ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଯୋଜନା ଆସିବା ସମ୍ଭାବନା ରହିଛି। ଆମେରିକା ପ୍ରଶାସନର ଓବାମା କେୟାର ଢାଞ୍ଚାରେ ଭାରତରେ ସବୁ ଲୋକଙ୍କୁ ସ୍ୱାସ୍ଥ୍ୟ ବୀମା ସୁବିଧା ଯୋଗାଇ ଦେବା ପାଇଁ ପ୍ରସ୍ତାବ ଆସିପାରେ।
ଏକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ନୂଆକରି ଆସିବାକୁ ଥିବା ସ୍ୱାସ୍ଥ୍ୟ ବୀମା ଯୋଜନାରେ ବର୍ତମାନ ଗରିବ ଲୋକଙ୍କ ପାଇଁ ପ୍ରଚଳନ ହେଉଥିବା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା (ଆର୍‌ଏସ୍‌ବିଓ୍ଵାଇ)କୁ ମିଶାଇ ଦିଆଯାଇ ପାରେ। ଏକ ସୂତ୍ରରୁ ଏହା ମଧ୍ୟ ଜଣାଯାଇଛି ଯେ ତିନୋଟି ବର୍ଗରେ ଏହି ସୁବିଧା ଲୋକଙ୍କୁ ଯୋଗାଇ ଦିଆଯିବ। ସେଥିରୁ ପ୍ରଥମ ବର୍ଗଟି ହେଲା ‘କଲ୍ୟାଣ ଯୋଜନା’। ଏହି ଯୋଜନାକୁ ସ୍ୱତନ୍ତ୍ର ଭାବେ ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ଲୋକଙ୍କୁ ମିଳିବ। ଏଥିପାଇଁ ପ୍ରାୟ ୮୦ ପ୍ରତିଶତ ପ୍ରିମିୟମ ସରକାର ପ୍ରଦାନ କରିବେ। ହିତାଧିକାରୀଙ୍କୁ ଅଳ୍ପ କିଛି ପ୍ରିମିୟମ ଏଥିପାଇଁ ଦେବାକୁ ପଡ଼ିପାରେ।ଦ୍ୱିତୀୟ ବର୍ଗର ସ୍ୱାସ୍ଥ୍ୟ ବୀମାର ନାମ ‘ସୌଭାଗ୍ୟ ସ୍କିମ୍‌’ ରଖାଯାଇଛି। ବର୍ଷକୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିମାନଙ୍କୁ ଏହି ବର୍ଗରେ ରଖାଯିବ। ମୁଖ୍ୟତଃ ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏହି ବର୍ଗରେ ଆସିବେ। ଏତଦ୍‌ବ୍ୟତୀତ ଉଦୟ ସ୍କିମ୍‌ ନାମରେ ଏକ ତୃତୀୟ ଯୋଜନା ଅଣାଯିବ।