ଜାଲିଆତି ପାଇଁ ୨୬ ହଜାର କୋଟି କ୍ଷତି

ନୂଆଦିଲ୍ଲୀ: ଜାଲିଆତି ଯୋଗୁଁ ଦେଶର ୨୧ଟି ଯାକ ସରକାରୀ ବ୍ୟାଙ୍କ ଗତ ଆର୍ଥିକ ବର୍ଷ ୨୦୧୭-୧୮ରେ ୨୫,୭୭୫ କୋଟି ଟଙ୍କା ହରାଇଛନ୍ତି। ରିଜର୍ଭ ବ୍ୟାଙ୍କରୁ ସୂଚନା ଅଧିକାର ଆଇନ(ଆର୍‌ଟିଆଇ) ବଳରେ ମିଳିଥିବା ରିପୋର୍ଟରୁ ଏହା ଜଣାଯାଇଛି। ଗତ ଆର୍ଥିକ ବର୍ଷରେ ଜାଲିଆତି ଯୋଗୁଁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସର୍ବାଧିକ ୬୪୬୧.୪୩ କୋଟି ଟଙ୍କା ହରାଇଛି। ଏତଦ୍‌ବ୍ୟତୀତ ଭାରତୀୟ ଷ୍ଟେଟ ବ୍ୟାଙ୍କ ୨୩୯୦.୭୫ କୋଟି ଟଙ୍କା ହରାଇ ଥିବାବେଳେ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ୨୨୨୪.୮୬ କୋଟି, ବ୍ୟାଙ୍କ ଅଫ୍‌ ବରୋଦା ୧୯୨୮.୨୫ କୋଟି, ଆହ୍ଲାବାଦ ବ୍ୟାଙ୍କ ୧୫୨୦.୩୭ କୋଟି, ଆନ୍ଧ୍ର ବ୍ୟାଙ୍କ ୧୩୦୩.୩୦ କୋଟି ଏବଂ ୟୁକୋ ବ୍ୟାଙ୍କ ୧୨୨୪.୬୪ କୋଟି ଟଙ୍କାର କ୍ଷତି ସହିଛି। ସେହିଭଳି ଆଇଡିଆଇ ବ୍ୟାଙ୍କ ୧୧୧୬.୫୩ କୋଟି, ୟୁନିୟନ ବ୍ୟାଙ୍କ ୧୦୯୫.୮୪ କୋଟି, ସେଣ୍ଟ୍ରାଲ ବ୍ୟାଙ୍କ ୧୦୮୪.୫୦ କୋଟି, ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ ୧୦୧୫.୭୯ କୋଟି ଟଙ୍କାର କ୍ଷତି ସହିଥିବା ଜଣାଯାଇଛି। ଏହି ହିସାବରେ ସେହି ତଥ୍ୟକୁ ବିଚାରକୁ ନିଆଯାଇଛି ଯେଉଁଗୁଡ଼ିକର କ୍ଷତି ପରିମାଣ ୧ ଲକ୍ଷ ଟଙ୍କାରୁ ଅଧିକ ରହିଛି। ତେବେ କେତେ ସଂଖ୍ୟାରେ ଏବଂ କି ଧରଣର ଜାଲିଆତି ହୋଇଛି ସେ ସମ୍ପର୍କରେ ଏଥିରେ କିଛି କୁହାଯାଇ ନାହିଁ। ଜାଲିଆତି ପାଇଁ କର୍ପୋରେସନ୍‌ ବ୍ୟାଙ୍କ ୯୭୦.୮୯ କୋଟି, ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ୮୮୦.୫୩ କୋଟି, ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ ୬୫୦.୨୮ କୋଟି, ସିଣ୍ଡିକେଟ୍‌ ବ୍ୟାଙ୍କ ୪୫୫.୦୫ କୋଟି, କାନାରା ବ୍ୟାଙ୍କ ୧୯୦.୭୭ କୋଟି, ପଞ୍ଜାବ ଆଣ୍ଡ ସିନ୍ଦ୍‌ ବ୍ୟାଙ୍କ ୯୦.୦୧ କୋଟି, ଦେନା ବ୍ୟାଙ୍କ ୮୯.୨୫ କୋଟି, ବିଜୟା ବ୍ୟାଙ୍କ ୨୮.୫୮ କୋଟି, ଇଣ୍ଡିଆନ ବ୍ୟାଙ୍କ ୨୪.୨୩ କୋଟି ଟଙ୍କା କ୍ଷତି ସହିଥିବା ଆର୍‌ଟିଆଇ ରିପୋର୍ଟରେ କୁହାଯାଇଛି। ଜାଲିଆତି ଯୋଗୁ ବ୍ୟାଙ୍କ ଗୁଡ଼ିକ କେବଳ ବିପୁଳ ପରିମାଣର କ୍ଷତି ସହୁନାହାନ୍ତି, ଏଥିଯୋଗୁଁ ସେମାନଙ୍କ ଋଣ ପ୍ରଦାନ କ୍ଷମତା ମଧ୍ୟ ବାଧାପ୍ରାପ୍ତ ହେଉଛି।

ସମ୍ବନ୍ଧିତ ଖବର