ସମ୍ପତ୍ତି ପାଇଁ ଆଧାର ବାଧ୍ୟତାମୂଳକ ହେବନି

ନୂଆଦିଲ୍ଲୀ,: ସମ୍ପତ୍ତି କାରବାର ପାଇଁ ଆଧାର ବାଧ୍ୟତାମୂଳକ କରାଯିବ ନାହିଁ। କେନ୍ଦ୍ର ହାଉସିଂ ଓ ସହରାଞ୍ଚ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଆଜି ଲୋକସଭାରେ ଏହି ସୂଚନା ପ୍ରଦାନ କରିଛନ୍ତି। ତେବେ ପଞ୍ଜୀକରଣ ନିୟମ ୧୯୦୮ ଆଧାରରେ ସମ୍ପତ୍ତି ପଞ୍ଜୀକରଣ ବେଳେ ଆଧାର ପାଇଁ ଅନୁମତି ଭିତ୍ତିକ ସ୍ୱୀକୃତି ହାସଲ କରିବାର କ’ଣ ସମ୍ଭାବନା ରହିଛି ତାହା ପରଖିବା ପାଇଁ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କୁହାଯାଇଛି।
ସମ୍ପତ୍ତି ପଞ୍ଜୀକରଣ ସହିତ ଆଧାର ଲିଙ୍କ୍‌ କରିବା ଏକ ବହୁତ ଭଲ ଚିନ୍ତାଧାରା ବୋଲି କିଛି ଦିନ ତଳେ ଶ୍ରୀ ପୁରୀ କହିଥିଲେ। ଯେହେତୁ ବ୍ୟାଙ୍କ ଖାତା ସହିତ ସରକାର ଆଧାର ଲିଙ୍କ୍‌ କରାଉଛନ୍ତି ତେଣୁ, ସମ୍ପତ୍ତି ସହିତ ଏହାକୁ ଲିଙ୍କ୍‌ କରିବା ଭଳି ଅତିରିକ୍ତ ପଦକ୍ଷେପ ନିଆଯାଇପାରିବ ବୋଲି ସେ କହିଥିଲେ। ଏ ସଂକ୍ରାନ୍ତରେ ପ୍ରଶ୍ନ ହେବାରୁ ସେ କହିଛନ୍ତି ଯେ ସମ୍ପତ୍ତି ପଞ୍ଜୀକରଣ ସହିତ ଆଧାର ସଂଯୋଗ କରାଯିବାର କୌଣସି ଯୋଜନା ଏବେ ନାହିଁ। ଏନ୍‌ଡିଏ ସରକାର ବେନାମି ସମ୍ପତ୍ତିଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାରୁ ଭବିଷ୍ୟତରେ ସମ୍ପତ୍ତି ସହିତ ଆଧାର ପଞ୍ଜୀକରଣ କରାଯିବା ବିଷୟକୁ ବାଧ୍ୟତାମୂଳକ କରାଯାଇପାରେ ବୋଲି ଚର୍ଚା ହେଉଛି।

ସମ୍ବନ୍ଧିତ ଖବର