ରେଳବାଇର ପ୍ରତି ୧୦୦ ଟଙ୍କା ଆୟ ପାଇଁ ୯୯ ଟଙ୍କା ୫୪ ପଇସା ଖର୍ଚ:ସିଏଜି ରିପୋର୍ଟ

ନୂଆଦିଲ୍ଲୀ: ରେଳବାଇର ଆର୍ଥିକ ସ୍ଥିତି ଭଲ ନାହିଁ। ପ୍ରତି ୧୦୦ ଟଙ୍କାର ଆୟ କରିବା ପାଇଁ ୯୯ ଟଙ୍କା ୫୪ ପଇସା ଖର୍ଚ କରିବାକୁ ପଡୁଛି। ଏହି ସ୍ଥିତିରେ ସୁଧାର ଆଣିବାକୁ ହେଲେ ଯାତ୍ରୀ ଭଡ଼ାରେ ଖୁବ୍‌ଶୀଘ୍ର ସଂଶୋଧନ କରାଯିବା ଦରକାର ବୋଲି ସିଏଜି ପକ୍ଷରୁ କୁହାଯାଇଛି। ଏକ ରିପୋର୍ଟରେ ସିଏଜି ଜଣାଇଛନ୍ତି ଯେ ନୂତନ ଭାବେ ଯାତ୍ରୀ ଭଡ଼ା ଧାର୍ଯ୍ୟ କରାଯିବା ଦରକାର ଏବଂ ମାଗଣାରେ ଯାତ୍ରା ଉପରେ ଲଗାମ କଷିବାର ଆବଶ୍ୟକତା ରହିଛି। ରେଳବାଇର ଖର୍ଚକୁ ନେଇ ରିପୋର୍ଟରେ ଚିନ୍ତା ପ୍ରକଟ କରାଯାଇଛି। ସଂସଦରେ ମଙ୍ଗଳବାର ଉପସ୍ଥାପନ କରାଯାଇଥିବା ଏହି ରିପୋର୍ଟରେ କୁହାଯାଇଛି ଯେ, ୨୦୧୬-୧୭ ଆର୍ଥିକ ବର୍ଷରେ ରେଳବାଇର ପରିଚାଳନା ଖର୍ଚ ପରିମାଣ ୯୬.୫୦% ରହିଛି। ଯଦି ଏଥିରେ ପେନ୍‌ସନ୍‌ ବାବଦ ଖର୍ଚ ଯୋଡ଼ି ଦିଆଯିବ ତେବେ ପରିଚାଳନା ଅନୁପାତ ପରିମାଣ ୯୯.୫୪%କୁ ବୃଦ୍ଧି ପାଉଛି।

ଏହି ସ୍ଥିତିରେ ସୁଧାର ଆଣିବାକୁ ହେଲେ ରେଳବାଇର ଖର୍ଚ କମ କରିବାକୁ ହେବ। ସିଏଜି ସୁପାରିସ କରିଛନ୍ତି ଯେ ଖର୍ଚ ଅନୁଯାୟୀ ଯାତ୍ରୀ ଭଡ଼ା ଓ ମାଲ ପରିବହନ ଭଡ଼ା ଧାର୍ଯ୍ୟ କରାଯିବା ଦରକାର। ତେବେ ଏଭଳି ପଦକ୍ଷେପ ଗ୍ରହଣ କରିବା ପୂର୍ବରୁ ରେଳବାଇକୁ ସାଂପ୍ରତିକ ବଜାର ସ୍ଥିତି ବିଚାରକୁ ନେବାକୁ ପଡ଼ିବ। ସବୁ କିଛିକୁ ବିଚାରକୁ ନେଇ ତର୍କ ସଙ୍ଗତ ନିଷ୍ପତ୍ତି ଗ୍ରହଣ କରିବାକୁ ହେବ ବୋଲି ସିଏଜି ଜଣାଇଛନ୍ତି। ଏସି ଓ୍ଵାନ୍‌, ପ୍ରଥମ ଶ୍ରେଣୀ ଏବଂ ଟାୟାର ଟୁ ଏସିରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ସବ୍‌ସିଡି ପ୍ରଦାନ କରିବାର କୌଣସି ଅର୍ଥ ନାହିଁ। ଏହି ଶ୍ରେଣୀ ପାଇଁ ଯାତ୍ରୀ ପିଛା ଯେତିକି ଟଙ୍କା ଖର୍ଚ ହେଉଛି ସେହି ସମାନ ପରିମାଣର ଭଡ଼ା ଆଦାୟ କରିବାକୁ ସିଏଜି ପରାମର୍ଶ ଦେଇଛି। ଏହି ଶ୍ରେଣୀର ଯାତ୍ରୀମାନଙ୍କୁ ଦିଆଯାଉଥିବା ମାଗଣା ସୁବିଧା ଏବଂ ଭଡ଼ାରେ ରିହାତି ଉପରେ ରେଳବାଇ ରୋକ ଲଗାଇବା ଦରକାର ବୋଲି ମଧ୍ୟ ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧିତ ଖବର