ପ୍ରଥମଥର ଡଲାର ୮୦ ଟଙ୍କା: ଗରିବ, ଧନୀ ସବୁ ହେବେ ପ୍ରଭାବିତ

ନୂଆଦିଲ୍ଲୀ: ଆମେରିକୀୟ ଡଲାର ତୁଳନାରେ ଟଙ୍କାର ଦୁର୍ବଳ ସ୍ଥିତି ଜାରି ରହିବା ସହ ଆଜି ତାହା ୮୦ ଟଙ୍କା ସ୍ତର ପାର କରିଛି। ପ୍ରଥମଥର ଲାଗି ଏକ ଡଲାର ମୂଲ୍ୟ ୮୦ ଟଙ୍କା ହୋଇଛି। ଆଜି ମୁଦ୍ରା ବିନିମୟ ବଜାରରେ କାରବାର ବେଳେ ଏକ ସମୟରେ ଡଲାର ଦାମ୍ ୮୦ ଟଙ୍କା ୬ ପଇସା ହୋଇଯାଇଥିଲା। ଟଙ୍କାକୁ ବଞ୍ଚାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ସଙ୍ଗେ ସଙ୍ଗେ ହସ୍ତକ୍ଷେପ କରିବାରୁ ସ୍ଥିତିରେ ସୁଧାର ଘଟିଥିଲା। ତେବେ କାରବାର ଶେଷ ବେଳକୁ ଡଲାର ଦାମ୍ ୭୯ ଟଙ୍କା ୯୨ ପଇସାରେ ବନ୍ଦ ହୋଇଛି। ଆଜି ରିଜର୍ଭ ବ୍ୟାଙ୍କ ଉଭୟ ସ୍ପଟ୍ ଓ ଫର୍‌ୱାର୍ଡ ମାର୍କେଟ୍‌ରେ ହସ୍ତକ୍ଷେପ କରି ଟଙ୍କାର ତଳଗତି ରୋକିବାକୁ ଉଦ୍ୟମ କରିଥିଲା।

ସମଗ୍ର ବିଶ୍ବରେ ଆମେରିକୀୟ ଡଲାର ଶକ୍ତିଶାଳୀ ରହିଛି। ତାହାର ପ୍ରଭାବରେ ଭାରତୀୟ ମୁଦ୍ରା ମଧ୍ୟ ଡଲାର ତୁଳନାରେ ଦୁର୍ବଳ ରହୁଛି। ଗତ ମାର୍ଚ୍ଚରେ ରୁଷ୍‌-ୟୁ‌କ୍ରେନ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଟଙ୍କାର ଅବମୂଲ୍ୟାୟନ ଆରମ୍ଭ ହୋଇଥିଲା। ଲଗାତାର ଭାବେ ଟଙ୍କା ଦୁର୍ବଳ ହେବା ସହ ୮୦ ଟଙ୍କା ପାର କରିଛି। ଯଦି ଏହି ଧାରା ବଜାୟ ରହିବ ତେବେ କିଛି ଦିନ ଭିତରେ ଡଲାର ମୂଲ୍ୟ ୮୨ ଟଙ୍କା ହୋଇଯିବା ବିଚିତ୍ର ନୁହେଁ ବୋଲି ଅର୍ଥନୀତିଜ୍ଞମାନେ ଭବିଷ୍ୟବାଣୀ କଲେଣି। ଦେଶର ଅର୍ଥନୀତି ଏବେ ଦୁଇଟି ପ୍ରମୁଖ ସମସ୍ୟା ଦେଇ ଗତି କରୁଛି। ତାହା ହେଉଛି ବିନିମୟ ମୁଦ୍ରାର ଦୁର୍ବଳ ସ୍ଥିତି ଓ ଦରବୃଦ୍ଧି। ଦରବୃଦ୍ଧିକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟ ଝାଳବୁହା ଉଦ୍ୟମ କରୁଛନ୍ତି। ରିଜର୍ଭ ବ୍ୟାଙ୍କ ଦୁଇ ଥରରେ ଏହାର ସୁଧରେ ୦.୯% ବୃଦ୍ଧି କରିଛି। କେନ୍ଦ୍ର ସରକାର ବିଭିନ୍ନ ସାମଗ୍ରୀର ଆମଦାନି ଟିକସକୁ ହ୍ରାସ କରିଥିବା ବେଳେ କିଛି ସାମଗ୍ରୀର ରପ୍ତାନି ଟିକସ ବଢ଼ାଇଛନ୍ତି। ଏହି ସବୁ ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶ ଭିତରେ ଲୋକମାନଙ୍କୁ ବିଭିନ୍ନ ସାମଗ୍ରୀ ଯଥା ସମ୍ଭବ କମ୍ ଦାମ୍‌ରେ ଉପଲବ୍ଧ କରାଇବା। ହେଲେ ଦରବୃଦ୍ଧି ବିରୋ‌ଧରେ ସରକାରଙ୍କ ଏହି ଲଢ଼େଇକୁ ଦୁର୍ବଳ କରୁଛି ଟଙ୍କାର ବିନିମୟ ମୂଲ୍ୟ। ଯେହେତୁ ଏକ ଡଲାର ଦାମ୍ ୮୦ ଟଙ୍କାରେ ପହଞ୍ଚିଛି, ତେଣୁ ଆଗାମୀ ଦିନରେ ଆମଦାନି ଲାଗି ଅଧିକ ଟଙ୍କା ଗଣିବାକୁ ପଡ଼ିବ। ଭାରତ ମୁଖ୍ୟତଃ ନିଜ ଆବଶ୍ୟକତାର ସିଂହ ଭାଗ ଅଶୋଧିତ ତୈଳ ଓ ଖାଇବା ତେଲ ଚାହିଦାକୁ ଆମଦାନି ଜରିଆରେ ପୂରଣ କରୁଛି। ଡଲାର ମହଙ୍ଗା ହୋଇଥିବାରୁ ଏହି ସବୁ ସାମଗ୍ରୀ କିଣିବା ଲାଗି ଅଧିକ ଟଙ୍କା ଗଣିବାକୁ ପଡ଼ିବ। କିଣା ମୂଲ୍ୟ ବଢ଼ିଲେ ଗ୍ରାହକଙ୍କ ପାଇଁ ତାହାର ଖୁଚୁରା ଦାମ୍ ବଢ଼ିବ। କିନ୍ତୁ ଦୁର୍ବଳ ଟଙ୍କାର ଏକମାତ୍ର ଲାଭ ହେଉଛି ବିଦେଶରେ ରହି ଦେଶକୁ ପାଣ୍ଠି ପଠାଉଥିବା ଲୋକମାନେ ଲାଭବାନ ହେବେ। ସେମାନଙ୍କ ଖାତାରେ ପୂର୍ବାପେକ୍ଷା ଅଧିକ ଟଙ୍କା ଜମା ହେବ।

ଅର୍ଥନୀତିଜ୍ଞମାନଙ୍କ ମତରେ ଦୁର୍ବଳ ମୁଦ୍ରା ଅର୍ଥନୀତି ପାଇଁ ଘାତକ ସାବ୍ୟସ୍ତ ହୋଇପାରେ। ଗରିବ ଲୋକ କିଣି ଖାଉଥିବା ଖାଦ୍ୟଠାରୁ ଆରମ୍ଭ କରି ଧନୀ ଲୋକମାନେ କିଣୁଥିବା ଗାଡ଼ି ପର୍ଯ୍ୟନ୍ତ ସବୁ କିଛି ଉପରେ ତାହାର ପ୍ରଭାବ ରହିବ। ଦେଶର ପ୍ରତିଟି ପରିବାର ଦୁର୍ବଳ ଟଙ୍କା ଦ୍ବାରା ପ୍ରଭାବିତ ହେବାର ଆଶଙ୍କା ରହିଛି। ଯେତେ ସବୁ ସାମଗ୍ରୀ ଆମଦାନି ହେଉଛି ସବୁ କିଛି ମହଙ୍ଗା ହୋଇଯିବ। ବିଦେଶରେ ପାଠପଢ଼ିବା ମହଙ୍ଗା ହେବ। ବିଦେଶରେ ଥିବା ପିଲାମାନଙ୍କ ପାଖକୁ ଭାରତରୁ ଅଧିକ ଟଙ୍କା ପଠାଇବାକୁ ପଡ଼ିବ। କେବଳ ସେତିକି ନୁହେଁ ବିଦେଶ ଭ୍ରମଣ ମଧ୍ୟ ମହଙ୍ଗା ହେବ। ଏହା ବହୁ ଲୋକଙ୍କ ବିଦେଶ ବୁଲା ସ୍ବପ୍ନକୁ ଶକ୍ତ ଧକ୍କା ଦେବ। ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବାର ଏକ ପ୍ରମୁଖ କାରଣ ହେଉଛି ବିଦେଶୀ ନିବେଶକମାନେ ଭାରତୀୟ ଷ୍ଟକ ବଜାରରୁ ବିପୁଳ ପରିମାଣର ପାଣ୍ଠି ପ୍ରତ୍ୟାହାର କରୁଛନ୍ତି। ଆମେରିକାର ଫେଡେରାଲ୍ ରିଜର୍ଭ ଯେବେଠାରୁ ସୁଧ ବଢ଼ାଇଛି ସେବେଠାରୁ ବିଦେଶୀ ନିବେଶକମାନେ ଅଧିକ ରିଟର୍ଣ୍ଣ ପାଇବା ଆଶାରେ ଭାରତ ଭଳି ବିକାଶଶୀଳ ଦେଶରୁ ପାଣ୍ଠି ପ୍ରତ୍ୟାହାର କରି ଡଲାରରେ କାରବାର ହେଉଥିବା ଦେଶ ବିଶେଷ କରି ଆମେରିକାରେ ତାହାକୁ ନିବେଶ କରୁଛନ୍ତି। ବିଦେଶୀ ମୁଦ୍ରା ଆସିବା କମ୍ ହୋଇଥିବାରୁ ଦେଶର ଗଚ୍ଛିତ ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ଚାପ ସୃଷ୍ଟି ହୋଇଛି। ଦୀର୍ଘ ଦିନ ଧରି ଏହି ଭଣ୍ଡାରରେ ୬୦,୦୦୦ କୋଟି ଡଲାରରୁ ଅଧିକ ବିଦେଶୀ ମୁଦ୍ରା ରହୁଥିଲା। ମାତ୍ର ଗତ କିଛି ମାସ ହେଲାଣି ସେଥିରୁ ଡଲାର ବାହାର କରି ବଜାରରେ କମ୍ ଦାମ୍‌ରେ ବିକ୍ରି କରାଯାଉଥିବାରୁ ଭଣ୍ଡାର ସଙ୍କୁଚିତ ହେବାରେ ଲାଗିଛି।

ଡଲାର ତୁଳନାରେ କେଉଁ ମୁଦ୍ରାର ପ୍ରଦର୍ଶନ କିଭଳି
ଦେଶ ମୁଦ୍ରା ମୂଲ୍ୟ ହ୍ରାସ(-)
ଭାରତ ଟଙ୍କା -୭.୪୯%
ଅଷ୍ଟ୍ରେଲିଆ ଡଲାର -୮.୦୪%
ଦକ୍ଷିଣ ଆଫ୍ରିକା ରୢାଣ୍ଡ୍‌ -୮.୪୨%
ଦକ୍ଷିଣ କୋରିଆ ୱନ୍ -୧୧.୫୫%
ନ୍ୟୁଜିଲ୍ୟାଣ୍ଡ୍‌ ଡଲାର -୧୧.୭୨%
ୟୁରୋପ ୟୁରୋ -୧୩.୪୨%
ବ୍ରିଟେନ୍ ପାଉଣ୍ଡ୍‌ ଷ୍ଟର୍ଲିଂ -୧୪.୪୦%
ପାକିସ୍ତାନ ଟଙ୍କା -୧୮.୭୮%
ଜାପାନ ୟେନ୍ -୨୦.୬୬%
୮୦ ପର୍ଯ୍ୟନ୍ତ ଟଙ୍କାର ଯାତ୍ରା
ବର୍ଷ ଡଲାର ମୂଲ୍ୟ
୧୯୯୧ ୨୦.୦୮
୧୯୯୩ ୩୦.୦୨
୧୯୯୮ ୪୦.୫୦
୨୦୦୮ ୫୦.୦୫
୨୦୧୩ ୬୦.୭୭
୨୦୧୮ ୭୦.୦୮
୨୦୨୨ ୮୦.୦୬

ସମ୍ବନ୍ଧିତ ଖବର