୮୩ ହଜାର କିମି ସଡ଼କ ପାଇଁ ୭ ଲକ୍ଷ କୋଟି

ନୂଆଦିଲ୍ଲୀ: ଦେଶର ସଡ଼କ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଏବଂ ରୋଜଗାର ସୃଷ୍ଟି କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ୭ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରାଯାଇଛି। ଆସନ୍ତା ପାଞ୍ଚ ବର୍ଷ ଭିତରେ ଦେଶରେ ୮୩,୦୦୦ରୁ ଅଧିକ କିଲୋମିଟର ସଡ଼କ ପଥ ବିକଶିତ କରିବାରେ ଏହି ଅର୍ଥରାଶି ଖର୍ଚ ହେବ।
ଯୋଜନା ଅନୁସାରେ ପର୍ଯ୍ୟାୟକ୍ରମେ ୮୩,୬୭୭ କିଲୋମିଟରର ରାଜପଥ ଏବଂ ପୋଲ ନିର୍ମାଣ କରାଯିବ। ପ୍ରଥମ ପର୍ଯ୍ୟାୟ ୨୦୨୨ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରକାଯାଇଛି। ଏହି ଯୋଜନାର ଭାରତମାଲା ପ୍ରକଳ୍ପ ସାମିଲ ରହିଛି। ଭାରତମାଲା ହେଉଛି ଦେଶର ଦ୍ୱିତୀୟ ବୃହତ ରାଜପଥ ପ୍ରକଳ୍ପ ଯୋଜନା। ଏହି ପ୍ରକଳ୍ପରେ ୫.୩୫ ଲକ୍ଷ କୋଟି ଟଙ୍କା ଖର୍ଚ କରାଯିବ। ଭାରତମାଲାରେ ପାଖାପାଖି ୩୪,୮୦୦ କିଲୋମିଟର ରାଜପଥ ନିର୍ମାଣ କରାଯିବ। ଜାତୀୟ ରାଜପଥ ବିକାଶ ପ୍ରକଳ୍ପ (ଏନ୍‌ଏଚ୍‌ଡିପି) ପରେ ଭାରତମାଲା ହେଉଛି ଦେଶର ସବୁଠୁୁ ବଡ଼ ରାଜପଥ ପ୍ରକଳ୍ପ। ଏନ୍‌ଏଚ୍‌ଡିପିରେ ପାଖାପାଖି ୫୦,୦୦୦ କିଲୋମିଟର ସଡ଼କ ନିର୍ମାଣ କରାଯାଇଛି। ଭାରତମାଲା ପ୍ରକଳ୍ପ ଦୁଇ ବର୍ଷ ପୂର୍ବେ ଘୋଷଣା କରାଯାଇଥିଲା। ଭାରତମାଲା ଅଧୀନରେ ଅର୍ଥନୈତିକ କରିଡର୍‌, ଉପକୁଳ ସଡ଼କ ପଥ ଏବଂ ବନ୍ଦରକୁ ସଂଯୋଗ ପ୍ରଦାନ କରୁଥିବା ସଡ଼କ ପଥ ଆଦି ନିର୍ମାଣ କରାଯିବ। ଏହି କାର୍ଯ୍ୟକ୍ରମ ଦ୍ୱାରା ୨୦୨୨ ସୁଦ୍ଧା ୧୪.୨ କୋଟି ମନୁଷ୍ୟ ଦିବସ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି କାର୍ଯ୍ୟକ୍ରମ ଅଧୀନରେ ୧୮୩୭ କିଲୋମିଟରର ଏକ୍ସପ୍ରେସ୍‌େଓ୍ଵ ମଧ୍ୟ ନିର୍ମାଣ କରାଯିବ। ଭାରତମାଲାରେ ପ୍ରତି ଏକ କିଲୋମିଟର ସଡ଼କ ପଥ ନିର୍ମାଣ କରିବାରେ ହାରାହାରି ୧୩ କୋଟି ଟଙ୍କା ଖର୍ଚ ହେବ।
ବର୍ତ୍ତମାନ ନିର୍ମାଣ ପର୍ଯ୍ୟାୟରେ ଥିବା ୧୦,୦୦୦ କିଲୋମିଟରର ଜାତୀୟ ରାଜପଥ ଏବଂ ଉତ୍ତ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ଏବଂ ମାଓବାଦୀ ପ୍ରଭାବିତ ଅଞ୍ଚଳର ୪୮,୦୦୦ କିଲୋମିଟର ସଡ଼କ ଏବଂ ରାଜପଥ ମଧ୍ୟ ଏହି ପ୍ରକଳ୍ପରେ ସାମିଲ ରହିଛି।
ସଡ଼କ ପ୍ରକଳ୍ପ ପାଇଁ ବିଭିନ୍ନ ଉପାୟରେ ସରକାର ପାଣ୍ଠି ସଂଗ୍ରହ କରିବେ। ଅଧା ପାଣ୍ଠି ବଜାରରୁ ଏବଂ ଘରୋଇ ପୁଞ୍ଜିନିବେଶ ଭାବେ ହାସଲ କରାଯିବ। ବଳକା ଅର୍ଥକୁ ରାଜପଥ ଟୋଲ୍‌ ଏବଂ ସଡ଼କ ଫଣ୍ଡ୍‌ ଜରିଆରେ ହାସଲ କରାଯିବ।

ସମ୍ବନ୍ଧିତ ଖବର