ଆମାଜନ୍‌ ମୁଖ୍ୟ ଦୁନିଆର ଶ୍ରେଷ୍ଠ ଧନୀ

ଫୋର୍ବସ୍‌ ତାଲିକା

ନୂଆଦିଲ୍ଲୀ: ଏଗାର ହଜାର ବାର ଶହ କୋଟି ଡଲାର ସମ୍ପତ୍ତି ସହିତ ଇ-କମର୍ସ ସଂସ୍ଥା ଆମାଜନ୍‌ର ମାଲିକ ଜେଫ୍‌ ବେଜୋସ୍‌ ବିଶ୍ୱର ଏକ ନମ୍ବର ଧନୀ ଭାବେ ଉଭା ହୋଇଛନ୍ତି। ଫୋର୍ବସ୍‌ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଧନୀ ତାଲିକାରେ ତାଙ୍କୁ ଶୀର୍ଷ ସ୍ଥାନ ମିଳିଛି। ବେଜୋସ୍‌ ହେଉଛନ୍ତି ବିଶ୍ୱର ପ୍ରଥମ ବ୍ୟକ୍ତି ଯାହାଙ୍କ ପାଖରେ ଦଶ ହଜାର କୋଟି ଡଲାରରୁ ଅଧିକ ସମ୍ପତ୍ତି ରହିଛି। ଗତବର୍ଷ ତାଙ୍କ ସମ୍ପତ୍ତି ପରିମାଣ ୭୩୦୦ କୋଟି ଡଲାର ଥିଲା। ବର୍ଷକ ଭିତରେ ଏତେ ସମ୍ପତ୍ତି ବଢ଼ାଇବାରେ ସେ ହେଉଛନ୍ତିି ବିଶ୍ୱର ପ୍ରଥମ ବ୍ୟକ୍ତି। ମାଇକ୍ରୋସଫ୍ଟର ମୁଖ୍ୟ ବିଲ୍‌ ଗେଟସ୍‌ ଏବଂ ବର୍କସାୟାର ହାଥାେଓ୍ଵର ଓ୍ଵାରେନ୍‌ ବଫେଙ୍କୁ ସେ ପଛରେ ପକାଇ ଦେଇଛନ୍ତି। ଆମେରିକାର ୨୩ ଲକ୍ଷ ନାଗରିକଙ୍କ ପାଖରେ ଯେତିକି ସମ୍ପତ୍ତି ରହିଛି ତା’ଠାରୁ ଅଧିକ ସମ୍ପତ୍ତି ବେଜୋସ୍‌ଙ୍କ ପାଖରେ ଅଛି। ବିଲ୍‌ ଗେଟସ୍‌ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଓ୍ଵାରେନ୍‌ ବଫେ ତୃତୀୟ, ଫ୍ରାନ୍‌ସର ଶିଳ୍ପପତି ବର୍ଣ୍ଣାଡ୍‌ ଆର୍ଣ୍ଣାଉଲ୍ଟ ଚତୁର୍ଥ, ଫେସବୁକ୍‌ର ମୁଖ୍ୟ ମାର୍କ ଜୁକରବର୍ଗ ପଞ୍ଚମ ସ୍ଥାନରେ ରହିଛନ୍ତି। ଭାରତରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନି ଏକ ନମ୍ବର ଧନୀ ହୋଇରହିଛନ୍ତି। ତାଙ୍କ ସମ୍ପତ୍ତି ମୂଲ୍ୟ ୪୦୧୦ କୋଟି ଡଲାର ରହିଛି। କ୍ରମାଗତ ୧୧ତମ ବର୍ଷ ପାଇଁ ସେ ଶୀର୍ଷ ସ୍ଥାନରେ ରହିଛନ୍ତି। ସମଗ୍ର ବିଶ୍ୱରେ ତାଙ୍କୁ ୧୯ତମ ସ୍ଥାନ ମିଳିଛି। ଭାରତରେ ଶ୍ରେଷ୍ଠ ୧୦ ଧନୀଙ୍କ ମଧ୍ୟରେ ସ୍ଥାନ ପାଇଥିବା ଅନ୍ୟ ବ୍ୟକ୍ତିମାନେ ହେଉଛନ୍ତି ଦ୍ୱିତୀୟରେ ଓ୍ଵିପ୍ରୋର ଅଜିମ୍‌ ପ୍ରେମ୍‌ଜୀ, ଆର୍ସେଲରମିତ୍ତଲର ଲକ୍ଷ୍ମୀ ମିତ୍ତଲ ତୃତୀୟ, ଏଚ୍‌ସିଏଲ୍‌ର ଶିବ ନାଦାର ଚତୁର୍ଥ, ସନ୍‌ ଫାର୍ମାର ଦିଲ୍ଲୀପ ସାଂଘଭି ପଞ୍ଚମ, କୁମାର ମଙ୍ଗଳମ ବିର୍ଲା ଷଷ୍ଠ, କୋଟାକ୍‌ ବ୍ୟାଙ୍କର ଉଦୟ କୋଟାକ୍‌ ସପ୍ତମ, ରାଧାକୃଷ୍ଟ ଦମାନି ଅଷ୍ଟମ, ଗୌତମ ଆଦାନି ନବମ ଏବଂ ସାଇରସ୍‌ ପୁନାଓ୍ଵାଲା ଦଶମ ସ୍ଥାନରେ ରହିଛନ୍ତି। ପିଏନ୍‌ବି ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ଚଳିତ ବର୍ଷର ଧନୀ ତାଲିକାରୁ ବାଦ ପଡ଼ିଛନ୍ତି। ପାପା ଜନ୍‌ସ ପିଜ୍ଜାର ପ୍ରତିଷ୍ଠାତା ଜନ୍‌ ସ୍ନାଟର୍‌ ଏବଂ ସାଉଦି ଆରବର ରାଜକୁମାର ଅଲ୍‌ ଓ୍ଵାଲିଦ୍‌ ବିନ୍‌ ତଲାଲ୍‌ ଅଲ୍‌ ସୌଦ ମଧ୍ୟ ତାଲିକାରୁ ବାଦ ପଡ଼ିଛନ୍ତି।

ଏଥର ଧନୀ ତାଲିକାରେ ବିଶ୍ୱର ୨୫୬ ମହିଳାଙ୍କୁ ସ୍ଥାନ ମିଳିଛି। ସେଥିରେ ଭାରତର ଆଠ ଜଣ ମହିଳା ରହିଛନ୍ତି। ସାବିତ୍ରୀ ଜିନ୍ଦଲ ଭାରତର ଶ୍ରେଷ୍ଠ ମହିଳା ଧନୀ ହୋଇଛନ୍ତି। ଏହି ତାଲିକାରେ ଥିବା ଅନ୍ୟ ଭାରତୀୟ ମହିଳାମାନେ ହେଉଛନ୍ତି ସ୍ମିତା କ୍ରିଷ୍ଣା-ଗୋଦରେଜ୍‌, ଲୀନା ତିଓ୍ଵାରୀ, ଅନୁ ଆଗା, ଶୀଲା ଗୌତମ ଏବଂ ମଧୁ କପୁରଙ୍କ ନାମ ରହିଛି। ଭାରତରେ ବର୍ଷ ଭିତରେ ବିଲିଓନେୟାରଙ୍କ ସଂଖ୍ୟା ୧୯ ବଢ଼ିଛି। ଫଳରେ ମୋଟ ବିଲିଓନେୟାର ସଂଖ୍ୟା ୧୨୧ରେ ପହଞ୍ଚିଯାଇଛି। ୨୦୧୮ର ବିଶ୍ୱ ତାଲିକାରେ ମୋଟ ୨୦୪୩ ଜଣ ଧନୀଙ୍କ ନାମ ରହିଛି। ତାଲିକାରେ ୨୫୯ ଜଣ ନୂତନ ଭାବେ ପ୍ରବେଶ କରିଥିବା ବେଳେ ୧୧୨ ଜଣ ବିଦା ହୋଇଛନ୍ତି। ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ର‍୍ୟାଙ୍କ୍‌ ୫୫୪ରୁ ହ୍ରାସ ପାଇ ୭୬୬କୁ ଖସିଆସିଛି।

• ଭାରତରେ ମୁକେଶ ଶ୍ରେଷ୍ଠ
• ତାଲିକାରୁ ନିରବ ମୋଦି ବିଦା
• ବିଶ୍ୱ ତାଲିକାରେ ୮ ଭାରତୀୟ ମହିଳା
• ସାବିତ୍ରୀ ଜିନ୍ଦଲ ଶ୍ରେଷ୍ଠ ଭାରତୀୟ ମହିଳା ଧନୀ
• ଭାରତରେ ବିଲିଓନେୟାର ସଂଖ୍ୟା ୧୨୧

ପେଟିଏମ୍‌ ମାଲିକ ଭାରତର କନିଷ୍ଠ ବିଲିଓନେୟାର୍‌

ନୂଆଦିଲ୍ଲୀ: ପେଟିଏମ୍‌ର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ଭାରତର ସର୍ବକନିଷ୍ଠ ବିଲିଓନେୟାର ହେବାର ଗୌରବ ଲାଭ କରିଛନ୍ତି। ତାଙ୍କ ବୟସ ହେଉଛି ୩୯ ବର୍ଷ। ଫୋର୍ବସ୍‌ ପକ୍ଷରୁ ଜାରି ହୋଇଥିବା ବିଶ୍ୱ ଧନୀ ତାଲିକାରେ ତାଙ୍କୁ ୧୩୯୪ତମ ସ୍ଥାନ ମିଳିଛି। ତାଙ୍କ ମୋଟ ସମ୍ପତ୍ତି ପରିମାଣ ହେଉଛି ୧୭୦ କୋଟି ଡଲାର। ବିମୁଦ୍ରାକରଣ ଯୋଗୁଁ ତାଙ୍କର କାରବାର ବହୁତ ବଢ଼ିଯାଇଥିଲା। ସେଥିପାଇଁ ସେ ଅଧିକ ସମ୍ପତ୍ତି ସୃଷ୍ଟି କରିପାରିଥିଲେ। ଭାରତର ବୟୋଜ୍ୟୋଷ୍ଠ ଧନୀ ବ୍ୟକ୍ତି ହେଉଛନ୍ତି ଆଲକେମ୍‌ ଲାବୋରେଟୋରିଜ୍‌ର ଚେୟାରମ୍ୟାନ୍‌ ଏମେରିଟସ୍‌ ସମ୍ପ୍ରଦା ସିଂହ। ତାଙ୍କର ବୟସ ହେଉଛି ୯୨ ବର୍ଷ। ତାଙ୍କ ମୋଟ ସମ୍ପତ୍ତି ପରିମାଣ ୧୨୦ କୋଟି ଡଲାର ହୋଇଥିବା ବେଳେ ବିଶ୍ୱ ତାଲିକାରେ ତାଙ୍କୁ ୧୮୬୭ତମ ସ୍ଥାନ ମିଳିଛି।

ସମ୍ବନ୍ଧିତ ଖବର