ନୂଆଦିଲ୍ଲୀ: ଫୋର୍ବସ ପତ୍ରିକା ପକ୍ଷରୁ ୨୦୨୩ ପାଇଁ ବିଶ୍ବର ଶ୍ରେଷ୍ଠ ୨୦୦୦ଟି କମ୍ପାନି ତାଲିକା ପ୍ରକାଶ ପାଇଛି । ଗୋଟିଏ କମ୍ପାନିର ବିକ୍ରି, ଲାଭ, ସମ୍ପତ୍ତି ଏବଂ ବଜାର ମୂଲ୍ୟାଙ୍କନ ଭଳି ଚାରିଟି ମାପଦଣ୍ଡ ଆଧାର କରି ଏହି ତାଲିକା ପ୍ରସ୍ତୁତ କରାଯାଇଛି । ଏହି ତାଲିକାର ପ୍ରଥମ ୧୦୦ଟି ମଧ୍ୟରେ କେବଳ ୨ଟି ଭାରତୀୟ କମ୍ପାନି- ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ (୪୫ ତମ ସ୍ଥାନ) ଓ ଷ୍ଟେଟ ବ୍ୟାଙ୍କ (୭୭ତମ ସ୍ଥାନ) ଅଛନ୍ତି । ତାଲିକାର ପ୍ରଥମ ସ୍ଥାନରେ ଆମେରିକୀୟ କମ୍ପାନି ଜେପି ମୋର୍ଗାନ, ୨ୟ ସ୍ଥାନରେ ସାଉଦି ଆରାମକୋ ଏବଂ ୩ୟ, ୪ର୍ଥ ଓ ୫ମ ସ୍ଥାନରେ ଚୀନର ୩ଟି ବ୍ୟାଙ୍କ ରହିଛନ୍ତି ।
ଏହି ତାଲିକାରେ ମୋଟ ୫୫ଟି ଭାରତୀୟ କମ୍ପାନି ଅଛନ୍ତି । ଏହି ତାଲିକାରେ ଏସବିଆଇ ୭୭ତମ, ଏଚଡିଏଫସି ବ୍ୟାଙ୍କ ୧୨୮ତମ ଏବଂ ଆଇସିଆଇସିଆଇ ବ୍ୟାଙ୍କ ୧୬୩ତମ ସ୍ଥାନରେ ରହିଛନ୍ତି । ସେହିପରି ଓଏନଜିସି (୨୨୬), ଏଲଆଇସି (୩୬୩), ଟିସିଏସ (୩୮୭), ଆକ୍ସିସ ବ୍ୟାଙ୍କ (୪୨୩), ଏନଟିପିସି (୪୩୩), ଲାର୍ସନ ଆଣ୍ଡ ଟୁବ୍ରୋ (୪୪୯), ଭାରତୀ ଏୟାରଟେଲ (୪୭୮), କୋଟାକ ମହିନ୍ଦ୍ରା ବ୍ୟାଙ୍କ (୫୦୨), ଇଣ୍ଡିଆନ ଅଏଲ କର୍ପୋରେସନ (୫୪୦), ଇନଫୋସିସ୍ (୫୫୪) ଏବଂ ବ୍ୟାଙ୍କ ଅଫ୍ ବରୋଦା (୫୮୬) ରହିଛନ୍ତି। କୋଟିପତି ଗୌତମ ଆଦାନୀଙ୍କ ଗ୍ରୁପର ତିନୋଟି କମ୍ପାନୀ ଆଦାନୀ ଏଣ୍ଟରପ୍ରାଇଜେସ୍ (୧୦୬୨), ଆଦାନୀ ପାୱାର (୧୪୮୮) ଏବଂ ଆଦାନୀ ପୋର୍ଟସ୍ ଆଣ୍ଡ ସ୍ପେଶାଲ ଇକୋନୋମିକ୍ ଜୋନ୍ (୧୫୯୮) ଏହି ତାଲିକାରେ ସ୍ଥାନ ପାଇଛନ୍ତି ।