ଫୋର୍ଡର ନୂଆ ଷ୍ଟାଇଲିସ୍‌ ଇକୋସ୍ପୋର୍ଟ

ଭୁବନେଶ୍ୱର: ଫୋର୍ଡ ଇଣ୍ଡିଆ ପକ୍ଷରୁ ଆଜି ଓଡ଼ିଶା ବଜାରରେ ନୂଆ ଇକୋସ୍ପୋର୍ଟକୁ ଉନ୍ମୋଚନ କରାଯାଇଛି। କଂପାନିର ମହାପ୍ରବନ୍ଧକ-ଫିଲ୍‌ଡ ଅପରେସନ୍‌ ଏବଂ ବିକ୍ରି ବାଲାଜୀ କେ ନରସିଂହ, କ୍ୟାପିଟାଲ୍‌ ଫୋର୍ଡର ଅଧ୍ୟକ୍ଷ ସତୀଶ ଗର୍ଗ, ଓଡ଼ିଶା ଫୋର୍ଡର ମୁଖ୍ୟ ଦୁର୍ଗା ପ୍ରସାଦ ରଥ ଏବଂ ଓଡ଼ିଆ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ନୂଆ ଇକୋସ୍ପୋର୍ଟକୁ ଉନ୍ମୋଚନ କରିଛନ୍ତି।
ନୂଆ ଇକୋସ୍ପୋର୍ଟ ଉଭୟ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଇଞ୍ଜିନ ବିକଳ୍ପରେ ଉପଲବ୍ଧ ହେଉଛି। ଶ୍ରୀ ନରସିଂହ କହିଛନ୍ତି ଯେ ଏଥିରେ ରହିଛି ଶ୍ରେଷ୍ଠ ଶ୍ରେଣୀର ନିରାପତ୍ତା, ଶକ୍ତି ଏବଂ ଏହା ବେଶ ଆରାମଦାୟକ। ଏହି ଯାନ ବଜାରରେ କଂପାନିର ସ୍ଥିତିକୁ ଆହୁରି ସୁଦୃଢ଼ କରିବ ବୋଲି ସେ କହିଛନ୍ତି। ପେଟ୍ରୋଲ୍‌ ଇଞ୍ଜିନରେ ଏହା ଲିଟର ପିଛା ୧୭ କିମି ମାଇଲେଜ୍‌ ପ୍ରଦାନ କରୁଥିବା ବେଳେ ଡିଜେଲ୍‌ ଇଞ୍ଜିନରେ ଲିଟର ପିଛା ୨୩ କିମି ମାଇଲେଜ୍‌ ପ୍ରଦାନ କରୁଛି।

ଏଥିରେ ରହିଛି ୮ ଇଞ୍ଚର ଟଚ୍‌ସ୍କ୍ରିନ୍‌ ଇନ୍‌ଫୋଟେନ୍‌ମେଣ୍ଟ୍‌ ବ୍ୟବସ୍ଥା ଯାହା ମନୋରଞ୍ଜନଠାରୁ ଆରମ୍ଭ କରି ପାଣିପାଗ ସୂଚନା ଏବଂ ସ୍ମାର୍ଟଫୋନ୍‌ ସହିତ ସଂଯୋଗ ପ୍ରଦାନ କରୁଛି। ଭଏସ୍‌ କମାଣ୍ଡ୍‌ ଜରିଆରେ ଗାଡ଼ିଚାଳକ ସଡ଼କ ଉପରୁ ନିଜ ଦୃଷ୍ଟି ନହଟାଇ କଲ୍‌, ମେସେଜ୍‌ ଆଦି କରିପାରିବେ। ଏହି ଗାଡ଼ି ଭିତରେ କଫି କପ୍‌, ପାଣି ବୋତଲ, ସନ୍‌ଗ୍ଲାସ୍‌ ଏବଂ ଛତା ଆଦି ସୁରକ୍ଷିତ ଭାବେ ରଖିବାର ବ୍ୟବସ୍ଥା ରହିଛି। ଏହାର ପଛ ଧାଡ଼ିରେ ରହିଛି ଫୋଲ୍‌ଡ-ଫ୍ଲାଟ୍‌ ସିଟ୍‌।

ନିରାପତ୍ତା ଦୃଷ୍ଟିରୁ ଫୋର୍ଡ ଇକୋସ୍ପୋର୍ଟରେ ରହିଛି ୬ଟି ପର୍ଯ୍ୟନ୍ତ ଏୟାରବ୍ୟାଗ୍‌ ଏବଂ ଆଣ୍ଟି ଲକ୍‌ ବ୍ରେକିଙ୍ଗ ସିଷ୍ଟମ୍‌ (ଏବିଏସ୍‌) ଭଳି ସୁବିଧା। ଏଥିରେ ଜରୁରୀକାଳୀନ ସହାୟତା ବ୍ୟବସ୍ଥା ମଧ୍ୟ ରହିଛି ଯାହା ଗାଡ଼ି ସହିତ ସଂଯୋଗରେ ଥିବା ଫୋନ୍‌ ଜରିଆରେ ଜରୁରୀକାଳୀନ କଲ୍‌ କରିପାରିବ। ଏହା ବ୍ୟତୀତ ଏଥିରେ ରହିଛି ଜରୁରୀକାଳୀନ ବ୍ରେକ୍‌ ସହାୟତା ବ୍ୟବସ୍ଥା ଓ ଶକ୍ତ ଆଘାତ ସହ୍ୟ କରିପାରୁଥିବା ଡୋର୍‌ ପ୍ୟାନେଲ୍‌।

ନୂଆ ଫୋର୍ଡ ଇକୋସ୍ପୋର୍ଟ ପଞ୍ଚଟି ଟ୍ରିମ୍‌ ଏବଂ ସାତଟି ରଙ୍ଗରେ ଉପଲବ୍ଧ ହେଉଛି। ଏହି ଅବସରରେ ଫୋର୍ଡ ଇଣ୍ଡିଆର ଆର୍‌ଏସ୍‌ଏମ୍‌ କୌଶିକ ମହାପାତ୍ର ଏବଂ କ୍ୟାପିଟାଲ୍‌ ଫୋର୍ଡର ଭିପି ରଞ୍ଜନ ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର