ଭାରତରେ ଥିବା କାରଖାନାକୁ ବନ୍ଦ କରିବ ଫୋର୍ଡ

ନୂଆଦିଲ୍ଲୀ : ଆମେରିକୀୟ ଅଟୋମୋବାଇଲ କମ୍ପାନି ଫୋର୍ଡ ଭାରତରେ ଥିବା ନିଜର କାରଖାନାରେ କାର ଉତ୍ପାଦନ ବନ୍ଦ କରିବାକୁ ଘୋଷଣା କରିଛି । ତେବେ ବର୍ତ୍ତମାନ ଥିବା ଷ୍ଟକ ଶେଷ ହେବା ପର୍ୟ୍ୟନ୍ତ କମ୍ପାନିର ବିକ୍ରି ଜାରି ରହିବ ।

କମ୍ପାନିର ଭାରତରେ ଦୁଇଟି ପ୍ଲାଣ୍ଟ ରହିଛି । ଗୋଟିଏ ଚେନ୍ନାଇଠାରେ ଥିବାବେଳେ ଅନ୍ୟଟି ଗୁଜୁରାଟର ସାନନ୍ଦଠାରେ ରହିଛି । ଆସନ୍ତା ଡିସେମ୍ବର ପୂର୍ବରୁ ସାନନ୍ଦଠାରେ ପ୍ଲାଣ୍ଟରୁ ରପ୍ତାନି ପାଇଁ ଗାଡ଼ି ଉତ୍ପାଦନ ବନନ୍ଦ ହେବ ଓ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଚେନ୍ନାଇରେ ଥିବା ଇଂଜିନ ଓ ଗାଡ଼ି ଆସେମ୍ବଲି ପ୍ଲାଣ୍ଟ ବନ୍ଦ ହେବ । ତେବେ ରପ୍ତାନି ପାଇଁ ଇଂଜିନି ତିଆରି ଜାରି ରହିବ ।

ଗତ ୨୦୧୯, ଅକ୍ଟୋବର ମାସରେ ମହିନ୍ଦ୍ରା ଓ ଫୋର୍ଡ ମିଶି ଏକ ଯୁଗ୍ମ ଉଦ୍ୟୋଗ ଗଠନ ପାଇଁ ବୁଝାମଣା କରିଥିଲେ । ଏହି ଯୁଗ୍ମ ଉଦ୍ୟୋଗରେ ମହିନ୍ଦ୍ରାର ୫୧ ପ୍ରତିଶତ ଓ ଫୋର୍ଡର ୪୯ ପ୍ରତିଶତ ଅଂଶଧନ ରହିବାକୁ ସହମତି ହୋଇଥିଲା । ସାନନ୍ଦ ଓ ଚେନ୍ନାଇ ପ୍ଲାଣ୍ଟକୁ ଏହି ନୂଆ କମ୍ପାନିକୁ ହସ୍ତାନ୍ତର କରିବାକୁ ଉଭୟପକ୍ଷ ରାଜି ହୋଇଥିଲେ । କିନ୍ତୁ ୨୦୨୧ ଜାନୁଆରିରେ ଉଭୟ କମ୍ପାନି ଏହି ଯୁଗ୍ମ ଉଦ୍ୟୋଗ ଗଠନ ନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହା ପରେ କଳ୍ପନା ଜଳ୍ପନା ଚାଲିଥିଲା ଯେ ଫୋର୍ଡ ଭାରତ ଛାଡ଼ିବ ।

 

ସମ୍ବନ୍ଧିତ ଖବର