ଭାରତରେ ଇଭି ତିଆରି କରିବନି ଫୋର୍ଡ: ପିଏଲ୍ଆଇ ସ୍କିମ୍‌ରୁ ଓହରିଲା

ନୂଆଦିଲ୍ଲୀ: ଭାରତରେ ଇଲେକ୍ଟ୍ରିକ୍ ଯାନ (ଇଭି) ନିର୍ମାଣ କରିବା ଲାଗି ଆମେରିକୀୟ କାର୍ ନିର୍ମାତା ଫୋର୍ଡ ଯେଉଁ ଯୋଜନା ରଖିଥିଲା ତାହାକୁ ରଦ୍ଦ କରିଛି। ଏଥି ସହିତ ସରକାରଙ୍କ ପ୍ରଦର୍ଶନ ଭିତ୍ତିକ ପ୍ରୋତ୍ସାହନ (ପିଏଲ୍ଆଇ) ସ୍କିମ୍‌ରୁ ମଧ୍ୟ ଏହା ଓହରିଯାଇଛି। ଫୋର୍ଡ ପକ୍ଷରୁ କୁହାଯାଇଛି ଯେ ବହୁ ଯତ୍ନର ସହ ଅନୁଶୀଳନ କରିବା ‌ପରେ ରପ୍ତାନି ପାଇଁ ଭାରତରେ ଇଭି ନିର୍ମାଣ ନକରିବାକୁ ଆମେ ନିଷ୍ପତ୍ତି ନେଇଛୁ। ପିଏଲ୍‌ଆଇ ସ୍କିମ୍‌ରେ ଆମ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଥିବାରୁ ଆମେ ଭାରତ ସରକାରଙ୍କ ପ୍ରତି ସର୍ବଦା କୃତଜ୍ଞ ରହିବୁ। ପିଏଲ୍‌ଆଇ ସ୍କିମ୍‌ରେ ଫୋର୍ଡ ସମେତ ୨୦ଟି ସଂସ୍ଥାର ନାମ ଚୟନ କରାଯାଇଥିଲା।

ଅଟୋମୋବାଇଲ୍ କଂପାନିଗୁଡ଼ିକୁ ସରକାର ଏହି ସ୍କିମ୍‌ରେ ୪୫,୦୧୬ କୋଟି ଟଙ୍କାର ପ୍ରୋତ୍ସାହନ ଦେବେ। କିଛି ମାସ ପୂର୍ବେ ଫୋର୍ଡ କହିଥିଲା ଯେ ଭାରତରେ ଏହାର ଥିବା କାରଖାନାଗୁଡ଼ିକ ମଧ୍ୟରୁ ଗୋଟିଏରେ ଏହା ଇଭି ନିର୍ମାଣ କରି ରପ୍ତାନି କରିବ। ଗତବର୍ଷ କଂପାନି ଭାରତରେ ଏହାର ଉତ୍ପାଦନକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲା। କିନ୍ତୁ ଇଞ୍ଜିନ ତିଆରି ଓ ପ୍ରଯୁକ୍ତି ସେବା ବ୍ୟବସାୟକୁ ଜାରି ରଖିଥିଲା। ଏହା ଦ୍ବାରା ୪୦୦୦ କର୍ମଚାରୀ ପ୍ରଭାବିତ ହେବାର ଆଶଙ୍କା ରହିଛି। ବ୍ୟବସାୟ କ୍ଷତିରେ ଚାଲିବା ଓ ଭାରତୀୟ କାର୍ ବଜାରରେ ମାନ୍ଦାବସ୍ଥା ଯୋଗୁଁ କଂପାନି ଏଠାରେ କାର୍ ଉତ୍ପାଦନ ବନ୍ଦ କରିଛି। ୨୦୧୯ରେ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାକୁ କାରବାର ହସ୍ତାନ୍ତର କରିବା ଲାଗି ଫୋର୍ଡ ବିଚାର କରୁଥିଲା। ସବୁ ବିକଳ୍ପ ଶେଷ ହୋଇଯିବା ପରେ ଏହା ବାଧ୍ୟ ହୋଇ ଭାରତରେ କାରବାର ବନ୍ଦ କରିଥିଲା। ପାଞ୍ଚ ବର୍ଷ ଭିତରେ ଫୋର୍ଡକୁ ମିଶାଇ ଚାରିଟି ଆମେରିକୀୟ କଂପାନି ଭାରତରେ ନିଜର କାରବାର ବନ୍ଦ କରିଛନ୍ତି। ଅତ୍ୟ ତିନିଟି କଂପାନି ହେଉଛି ହାର୍ଲେ ଡେଭିଡ୍‌ସନ୍, ୟୁଏମ୍ ମୋଟରସାଇକଲ୍‌ ଓ ଜେନେରାଲ୍‌ ମୋଟର୍ସ।

ସମ୍ବନ୍ଧିତ ଖବର