ଚେନ୍ନାଇ: ଆମେରିକୀୟ ଅଟୋମୋବାଇଲ କମ୍ପାନି ଫୋର୍ଡ ଏହାର ତାମିଲନାଡ଼ୁର ଚେନ୍ନାଇ ନିକଟ କାରଖାନାକୁ ପୁନର୍ବାର ଚାଲୁ କରିବ। ରପ୍ତାନି ଉଦ୍ଦେଶ୍ୟରେ କମ୍ପାନି ଏଠାରୁ କାର୍‌ ଉତ୍ପାଦନ କରିବ। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ଆମେରିକାରେ କମ୍ପାନି କର୍ତ୍ତୃପକ୍ଷଙ୍କୁ ଭେଟିବାର ଦୁଇଦିନ ପରେ କମ୍ପାନି ଏ ନେଇ ଏକ ଆଗ୍ରହ ପତ୍ର(ଏଲଓଆଇ) ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛି।  କମ୍ପାନି ୨୦୨୨ରେ ଏହାର ଚେନ୍ନାଇ ପ୍ଲାଣ୍ଟକୁ ବନ୍ଦ କରିଥିଲା। ତେଣୁ ଦୁଇବର୍ଷ ପରେ କମ୍ପାନି ପୁଣି ଥରେ ଏଠାରୁ କାର୍‌ ଉତ୍ପାଦନ କରିବା ନେଇ ଆଶା ଉଜ୍ଜୀବିତ ହୋଇଛି।

Advertisment

କମ୍ପାନି ଅଧିକାରୀଙ୍କୁ ଭେଟିବା ପରେ ଷ୍ଟାଲିନ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଥିଲେ ଯେ ଫୋର୍ଡ କର୍ତ୍ତୃପକ୍ଷଙ୍କ ସହିତ ସକାରାତ୍ମକ ଆଲୋଚନା ହୋଇଛି। ମରାଇମଲାଇ କାରଖାନାରୁ କାର୍‌ ଉତ୍ପାଦନ କରିବା ସହିତ ଚେନ୍ନାଇର ଗ୍ଲୋବାଲ ଟେକ୍ନୋଲୋଜି ସେଣ୍ଟରର ସଂପ୍ରସାରଣ ପାଇଁ କମ୍ପାନିକୁ ଷ୍ଟାଲିନ ପ୍ରସ୍ତାବ ଦେଇଥିଲେ। ଏହି ବୈଠକରେ ଫୋର୍ଡ ଅନ୍ତର୍ଜାତୀୟ ସରକାରୀ ବ୍ୟାପାର ସଭାପତି କେ ହାର୍ଟ, ଉପସଭାପତି ଆଇଏମ୍‌ଜି ମାଥ୍ୟୁ କୋ‌ଟଲୋସ୍କି ଏବଂ ଫୋର୍ଡ ଇଣ୍ଡିଆର ନିର୍ଦ୍ଦେଶକ (ସରକାରୀ ବ୍ୟାପାର) ଶ୍ରୀପଦ ଭଟ୍ଟ ପ୍ରମୁଖ ଉପସ୍ଥିତ ଥିଲେ।