ଭାରତରେ କାରଖାନା ପାଇଁ ବିଦେଶୀ କମ୍ପାନି ଆଗ୍ରହୀ

ଆକର୍ଷିତ କରୁଛି ପିଏଲ୍‌ଆଇ ସ୍କିମ୍, ଚୀନ, ଆମେରିକୀୟ ସୌର ପ୍ୟାନେଲ୍‌ କମ୍ପାନି ଦୌଡ଼ରେ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ନିକଟରେ ସୌର ପ୍ୟାନେଲ୍‌ ନିର୍ମାଣ ପାଇଁ ଉତ୍ପାଦନ ସଂଯୋଜିତ ପ୍ରୋତ୍ସାହନ (ପିଏଲ୍‌ଆଇ) ସ୍କିମ୍ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହି ଯୋଜନା ଚୀନ ଏବଂ ଆମେରିକାର ସୌର ପ୍ୟାନେଲ ନିର୍ମାତାମାନଙ୍କୁ ଆକର୍ଷିତ କରିଛି। ସେମାନେ ଭାରତରେ କାରଖାନା ସ୍ଥାପନ ପାଇଁ ଆଗ୍ରହୀ ଥିବା ଜଣାଯାଇଛି।

ସୌର ପ୍ୟାନେଲ, ୱେଫର୍ସ ଏବଂ ମଡ୍ୟୁଲ୍ସ ଆଦି ନିର୍ମାଣ କରୁଥିବା ଚୀନର ଲଙ୍ଗି ଷ୍ଟାର୍ ଏବଂ ଟିନା ଷ୍ଟାର୍ କମ୍ପାନି ଆମ ଦେଶରେ ପିଏଲ୍‌ଆଇ ସ୍କିମ୍‌ରେ କାରଖାନା ସ୍ଥାପନ ପାଇଁ କେତେକ ଭାରତୀୟ କମ୍ପାନିଙ୍କ ସହ କଥାବାର୍ତ୍ତା ଚଳାଇଥିବା ସୂଚନା ମିଳିଛି। ସେହିଭଳି ଆମେରିକାର ୧୩୬୬ ଟେକ୍ନୋଲୋଜିଜ୍‌ ଏବଂ ଫାଷ୍ଟ୍‌ ସୋଲାର୍‌ ମଧ୍ୟ ଏହି ଯୋଜନାରେ ଭାରତରେ କାରଖାନା ସ୍ଥାପନ ପାଇଁ ଆଗ୍ରହୀ ଅଛନ୍ତି। ଏଥିସହିତ ଅନେକ ଭାରତୀୟ କମ୍ପାନି ମଧ୍ୟ ଏହି ଯୋଜନାରେ କାରଖାନା ବସାଇବା ପାଇଁ ସେମାନଙ୍କ ଆଗ୍ରହ ସରକାରଙ୍କୁ ଜଣାଇଛନ୍ତି। ଯେଉଁ ଭାରତୀୟ କମ୍ପାନି ଏଥିପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ସେମାନଙ୍କ ମଧ୍ୟରେ ଆଦାନି ସୋଲାର, ବିକ୍ରମ ସୋଲାର ଏବଂ ଏକ୍‌ମି ସୋଲାର ରହିଛନ୍ତି ବୋଲି ଜଣାଯାଇଛି।

ପିଏଲ୍‌ଆଇ ସ୍କିମ୍‌ରେ ସୋଲାର ମଡ୍ୟୁଲ୍‌ ପାଇଁ ୪୫୦୦ କୋଟି ଟଙ୍କାର ପ୍ରୋତ୍ସାହନ ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁ‌ଷ୍ଠିତ କ୍ୟାବିନେଟ୍ ବୈଠକରେ ମଞ୍ଜୁରି ଦିଆଯାଇଛି। ବି‌ଶେଷକରି ଭାରତକୁ ଆତ୍ମନିର୍ଭର କରିବା ଏବଂ ଭାରତରୁ ବିଦେଶକୁ ସାମଗ୍ରୀ ରପ୍ତାନି କରିବା ଲାଗି ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି। ଏଥିପାଇଁ କମ୍ପାନି ଗୁଡ଼ିକୁ ପ୍ରୋତ୍ସାହନ ଦିଆଯାଉଛି। ଆସନ୍ତା କିଛିଦିନ ମଧ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏହି ଯୋଜନା କାର୍ଯ୍ୟକାରୀ ହେଲେ ଦେଶରେ ବିପୁଳ ପରିମାଣର ପୁଞ୍ଜିନିବେଶ ହେବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଯେଉଁ ସବୁ ଉତ୍ପାଦ ଭାରତରେ ଆବଶ୍ୟକ ସଂଖ୍ୟାରେ ନିର୍ମାଣ ହେଉନାହିଁ ସେସବୁ କମ୍ପାନିକୁ ଉକ୍ତ ଯୋଜନାରେ ପ୍ରଥମେ ଚୟନ କରାଯିବ। ବିଦେଶରୁ ସାମଗ୍ରୀ ଉତ୍ପାଦନ କରି ସେଗୁଡ଼ିକୁ କେବଳ ଯୋଡ଼ାଯୋଡ଼ି କରିବା ଲାଗି ଏହି ଯୋଜନାରେ ପ୍ରୋତ୍ସାହିତ କରାଯିବ ନାହିଁ। ଉଭୟ ନୂଆ କାରଖାନା ସ୍ଥାପନ କରୁଥିବା କିମ୍ବା ପୁରୁଣା କାରଖାନାକୁ ଅଧିଗ୍ରହଣ କରୁଥିବା ସଂସ୍ଥାକୁ ଏଥିରେ ଭାଗନେବା ସୁଯୋଗ ମିଳିବ। ଉକ୍ତ ଯୋଜନାକୁ ସର୍ବଭାରତୀୟ ସ୍ତରରେ ଲାଗୁ କରାଯିବ। ବିଦେଶୀ କମ୍ପାନି ସହିତ ଛୋଟ ବଡ଼ ଘରୋଇ କମ୍ପାନି ମଧ୍ୟରେ ଏହାଦ୍ବାରା ଉପକୃତ ହେବେ।

ସମ୍ବନ୍ଧିତ ଖବର