ବୈଦେଶିକ ମୁଦ୍ରା ଭଣ୍ଡାର ସାଜସଜ୍ଜା ପାଇଁ ରଖାଯାଇନି

ନୂଆଦିଲ୍ଲୀ: ଟଙ୍କା ଦାମ୍‌କୁ ନିୟନ୍ତ୍ରଣରେ ରଖିବା ଲାଗି ବୈଦେଶିକ ମୁଦ୍ରା ଭଣ୍ଡାରକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅତ୍ୟଧିକ ବ୍ୟବହାର କରୁଥିବା ଚର୍ଚ୍ଚା ହେଉଥିବା ବେଳେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ସଙ୍କଟ ସମୟ ଲାଗି ବୈଦେଶିକ ମୁଦ୍ରା ଭଣ୍ଡାର ସୃଷ୍ଟି କରାଯାଇଛି। ସାଜସଜ୍ଜା ପାଇଁ ରଖାଯାଇନାହିଁ। ଶକ୍ତିକାନ୍ତ ତାଙ୍କ ପୂର୍ବ ମନ୍ତବ୍ୟକୁ ଦୋହରାଇ କହିଛନ୍ତି ଯେ ଯେତେବେଳେ ବର୍ଷା ହୁଏ ଆମେ ଛତା ବାହାର କରିଥାଉ। ସେହିପରି ଯେତେବେଳେ ଦରକାର ହେଉଛି ଗଚ୍ଛିତ ଭଣ୍ଡାରରେ ଥିବା ବୈଦେଶିକ ମୁଦ୍ରା ବ୍ୟବହାର କରାଯାଉଛି। ଏହା ରିଜର୍ଭ ବ୍ୟାଙ୍କ ପାଇଁ କୌଣସି ସାଜସଜ୍ଜା ସାମଗ୍ରୀ ନୁହେଁ। ଦେଶର ବୈଦେଶିକ ମୁଦ୍ରା‌ ଭଣ୍ଡାର ଏବେବି ବହୁତ ଭଲ ସ୍ଥିତିରେ ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି।

ଭାରତର ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାରରେ ୫୨,୯୯୪ କୋଟି ଡଲାର ମୂଲ୍ୟର ବିଦେଶୀ ମୁଦ୍ରା ରହିଛି। ଗତବର୍ଷ ସେପ୍ଟେମ୍ବର-ଅକ୍ଟୋବର ବେଳକୁ ସେଥିରେ ୬୪,୫୦୦ କୋଟି ଡଲାରରୁ ଅଧିକ ବିଦେଶୀ ମୁଦ୍ରା ଥିଲା। ଚଳିତ ବର୍ଷ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ରୁଷ୍-ୟୁ‌କ୍ରେନ୍ ଯୁଦ୍ଧ ଏବଂ ସାରା ବିଶ୍ବରେ ଉଚ୍ଚ ମୁଦ୍ରାସ୍ଫୀତି ସମସ୍ୟା ଲାଗି ରହିବାରୁ ଆମେରିକୀୟ ଡଲାର ତୁଳନାରେ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିବା ଟଙ୍କା ମୂଲ୍ୟକୁ ଏକ ନିର୍ଦିଷ୍ଟ ସ୍ତରରେ ରଖିବା ଲାଗି ରିଜର୍ଭ ବ୍ୟାଙ୍କ ଭଣ୍ଡାରରୁ ବିଦେଶୀ ମୁଦ୍ରା ବାହାର କରି ତାହାକୁ କମ୍ ଦାମ୍‌ରେ ବିକ୍ରି କରୁଛି। ଏହିଭଳି ଭାବେ ଟଙ୍କା ମୂଲ୍ୟକୁ ନିୟନ୍ତ୍ରଣରେ ରଖିବାକୁ ରିଜର୍ଭ ବ୍ୟାଙ୍କ ଉଦ୍ୟମ କରୁଛି। ବର୍ତ୍ତମାନ ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୧-୮୨ ଟଙ୍କା ସ୍ତରରେ ରହିଛି। ଶ୍ରୀ ଦାସ ଏହା ମଧ୍ୟ କହିଛନ୍ତି ଯେ ଭାରତର ଅର୍ଥନୈତିକ ସ୍ଥିତି ଓ ଆର୍ଥିକ କ୍ଷେତ୍ର ବେଶ ଦୃଢ଼ ଓ ସ୍ଥିର ରହିଛି। ଚଳିତ ଆର୍ଥିକ ବର୍ଷରେ ଆମର ଅଭିବୃଦ୍ଧି ହାର ୭% ରହିବ। ଏଥି ସହିତ ବିଶ୍ବର ସବୁଠୁ ଦ୍ରୁତ ଅଭିବୃଦ୍ଧିଶୀଳ ଦେଶର ମାନ୍ୟତା ମଧ୍ୟ ଭାରତ ବଜାୟ ରଖିବ ବୋଲି ସେ କହିଛନ୍ତି। ବର୍ତ୍ତମାନ ସମୟରେ ମୁଦ୍ରାସ୍ଫୀତି ସବୁଠୁ ବଡ଼ ସମସ୍ୟା ବୋଲି ସେ ସ୍ବୀକାର କରିଛନ୍ତି। ଗତ ସେପ୍ଟେମ୍ବର ମାସର ଖୁଚୁରା ମୁଦ୍ରାସ୍ଫୀତି ହାର ୭ ପ୍ରତିଶତ ରହିଛି ଯାହା ରିଜର୍ଭ ବ୍ୟାଙ୍କ ପାଇଁ ସରକାର ଧାର୍ଯ୍ୟ କରିଥିବା ୬% ଲକ୍ଷ୍ୟଠାରୁ ଅଧିକ। ଦୀର୍ଘ ଦିନ ଧରି ଏହା ନିୟନ୍ତ୍ରଣ ମଧ୍ୟକୁ ଆସୁନଥିବାରୁ ରିଜର୍ଭ ବ୍ୟାଙ୍କ ବାରମ୍ବାର ସୁଧ ବଢ଼ାଇ ସ୍ଥିତି ଉପରେ ନିୟନ୍ତ୍ରଣ ହାସଲ କରିବାକୁ ଉଦ୍ୟମ କରୁଛି।

ସମ୍ବନ୍ଧିତ ଖବର