ମୁମ୍ବାଇ: ଭାରତୀୟ ଟଙ୍କା ତୁଳନାରେ ଆମେରିକୀୟ ଡଲାର ଶକ୍ତିଶାଳୀ ହୋଇପଡ଼ିବାରୁ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ଚାପ ସୃଷ୍ଟି ହୋଇଛି। ଟଙ୍କା ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ଲାଗି ରିଜର୍ଭ ବ୍ୟାଙ୍କ ଏହାର ଭଣ୍ଡାରରୁ ବିଦେଶୀ ମୁଦ୍ରା ବାହାର କରି ବିକ୍ରି କରୁଛି। ଚଳିତ ମାସ ୮ ତାରିଖରେ ଶେଷ ହୋଇଥିବା ସପ୍ତାହରେ ଭଣ୍ଡାରରୁ ପ୍ରାୟ ୫୪,୦୪୯ କୋଟି ଟଙ୍କା (୬.୫) ବିଲିଅନ୍ ଡଲାରର ବୈଦେଶିକ ମୁଦ୍ରା ବାହାର କରାଯାଇଛି। ତେଣୁ ବିଦେଶୀ ମୁଦ୍ରାଭଣ୍ଡାର ୫୭,୦୫,୫୨୫ (୬୭୫.୬୫ ବିଲିଅନ୍ ଡଲାର)କୁ ଖସିଆସିଛି। ଗତ ଦେଢ଼ ମାସ ମଧ୍ୟରେ ଭଣ୍ଡାରରୁ ୨,୪୬,୯୧୪ କୋଟି ଟଙ୍କା ( ୨୯.୨୪ ବିଲିଅନ ଡଲାର)ର ବିଦେଶୀ ମୁଦ୍ରା ବାହାର କରାଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି।
ଚଳିତ ବର୍ଷ ସେପ୍ଟେମ୍ବର ୨୭ ବେଳକୁ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ସର୍ବକାଳୀନ ରେକର୍ଡ ୭୦୪.୮୯ ବିଲିଅନ ଡଲାରରେ ପହଞ୍ଚିଥିଲା। ଏହା ପରଠାରୁ ବିଦେଶୀ ମୁଦ୍ରା ଭଣ୍ଡାର କମିବାରେ ଲାଗିଛି। ବିଦେଶୀ ମୁଦ୍ରା ଯେକୌଣସି ଦେଶ ଲାଗି ବେଶ୍ ଗୁରୁତ୍ବପୂର୍ଣ୍ଣ, କାରଣ ଆମଦାନି ବିଲ୍ ଭରଣାରେ ତାହା ପ୍ରମୁଖ ଭୂମିକା ନିର୍ବାହ କରିଥାଏ। ଯେଉଁ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଯେତେ ବଡ଼ ତାହାର ଅର୍ଥନୀତି ସେତେ ଦୃଢ଼ ବୋଲି ବିଚାର କରାଯାଏ। କୌଣସି ପରିସ୍ଥିତିରେ ଯଦି ଦେଶ ଉପରେ ଅର୍ଥନୈତିକ କଟକଣା ଲଗାଯାଏ ତେବେ ବିଦେଶୀ ମୁଦ୍ରା ଭଣ୍ଡାରରେ ଥିବା ମୁଦ୍ରାକୁ ବ୍ୟବହାର କରି ଆମଦାନି ବାବଦ ଅର୍ଥ ବିଭିନ୍ନ ଦେଶକୁ ପ୍ରଦାନ କରାଯାଇପାରିବ। ସମଗ୍ର ବିଶ୍ବରେ ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ହେଉଛି ଚତୁର୍ଥ ବୃହତ୍ତମ। ଏହା ଉପରେ ଚୀନ୍, ଜାପାନ ଓ ସ୍ବିଜରଲ୍ୟାଣ୍ଡ ରହିଛନ୍ତି। ଭଣ୍ଡାରରେ ଥିବା ମୁଦ୍ରାଗୁଡ଼ିକର ବିଭିନ୍ନ ସାମଗ୍ରୀ ଆମଦାନି, ବିଦେଶ ଭ୍ରମଣରେ ଯାଉଥିବା ଓ ବିଦେଶରେ ନିଜ ପିଲାଙ୍କୁ ପାଠ ପଢ଼ାଉଥିବା ଲୋକମାନଙ୍କ ଆବଶ୍ୟକତା ପୂରଣ କରିବାରେ ବ୍ୟବହାର କରାଯାଏ। ଟଙ୍କା ମୂଲ୍ୟରେ ସ୍ଥିରତା ପାଇଁ ରିଜର୍ଭ ବ୍ୟାଙ୍କର ହସ୍ତକ୍ଷେପ ଜାରି ରହିଲେ ମୁଦ୍ରା ଭଣ୍ଡାର ନିମ୍ନମୁଖୀ ରହିବ।