ବକ୍ସାଇଟ୍‌ ଆମଦାନିରେ ୩୯୦ କୋଟିର ବୈଦେଶିକ ମୁଦ୍ରା କ୍ଷତି

ନୂଆଦିଲ୍ଲୀ : ୨୦୨୧ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ବକ୍ସାଇଟ୍‌ ଆମଦାନି ଯୋଗୁଁ ୩୯୦ କୋଟି ଟଙ୍କାର ବୈଦେଶିକ ମୁଦ୍ରା କ୍ଷତି ହୋଇଛି। ଇଣ୍ଡିଆନ ଇଣ୍ଡଷ୍ଟ୍ରିଆଲ୍ ଭାଲ୍ୟୁ ଚେନ୍ କଲେକ୍ଟିଭ୍ (ଆଇଆଇଭିସିସି)ର ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି। ଏହି ଟଙ୍କାକୁ ବ୍ୟୟ କରି ଦେଶରେ ଏକ ସୁଦୃଢ଼ ଯୋଗାଣ ଶୃଙ୍ଖଳ ବ୍ୟବସ୍ଥା ସୃଷ୍ଟି କରାଯାଇପାରିଥାନ୍ତା ବୋଲି ରିପୋର୍ଟରେ ଦାବି କରାଯାଇଛି।

ଆଇଆଇଭିସିସିର ସଦସ୍ୟ ଅଜୟ ରାଜ କହିଛନ୍ତି ଯେ ‌ପ୍ରାକୃତିକ ସମ୍ବଳର ବିନିଯୋଗ ଏକ ଅଞ୍ଚଳର ସାମାଜିକ ଆର୍ଥିକ ବିକାଶ କ୍ଷେତ୍ରରେ ହେବା ଆବଶ୍ୟକ। ଭାରତରେ ବିଶ୍ବର ପଞ୍ଚମ ସର୍ବଧିକ ବକ୍ସାଇଟ୍ ଗଚ୍ଛିତ ଥିବା ବେଳେ ତାହାର ୫୦% ଓଡ଼ିଶାରେ ରହିଛି। ଏହା ସତ୍ତ୍ବେ ଲଗାତାର ଭାବେ ବକ୍ସାଇଟ୍ ଆମଦାନି କରାଯାଉଥିବାରୁ ଗତ ୬ ବର୍ଷରେ ଏବାବଦରେ ୪୪୦୦ କୋଟି ଟଙ୍କାର ବିଦେଶୀ ମୁଦ୍ରା କ୍ଷତି ହୋଇଛି। କେନ୍ଦ୍ର ସରକାର ଜାରି କରିଥିବା ତଥ୍ୟ ଅନୁସାରେ ୬ ବର୍ଷରେ ବକ୍ସାଇଟ୍ ଆମଦାନିରେ ୩୦୦% ବୃଦ୍ଧି ହୋଇଛି। ଭାରତରେ ୩୮୦ କୋଟି ଟନ୍ ବକ୍ସାଇଟ୍‌ ଗଚ୍ଛିତ ଥିବା ବେଳେ ଶିଳ୍ପ ସଂସ୍ଥାଗୁଡ଼ିକୁ ଆମଦାନି ଉପରେ ନିର୍ଭର କରିବାକୁ ପଡ଼ୁଛି। ‌ଗୋଟିଏ ବକ୍ସାଇଟ୍‌ ଖଣି ନିଲାମ କଲେ ୫୦୦୦ କୋଟି ଟଙ୍କାର ରାଜସ୍ବ ସଂଗ୍ରହ ହେବ ଓ ୧୦ ହଜାର ଲୋକଙ୍କୁ ନିଯୁକ୍ତି ମିଳିପାରିବ।

ଗତ ଛଅ ବର୍ଷ ଭିତରେ ଦେଶରେ ଗୋଟିଏ ବି ମେଟାଲର୍ଜିକାଲ୍ ମାନର ବକ୍ସାଇଟ୍ ଖଣି ନିଲାମ ହୋଇନାହିଁ। ସେଥିପାଇଁ ୫୦,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ ଅଟକି ରହିଛି। ହାରାହାରି ବିକ୍ରି ମୂଲ୍ୟରେ ଅନିୟମିତତା ଯୋଗୁଁ ବକ୍ସାଇଟ୍‌ ପଥର ମୂଲ୍ୟରେ ୩୦୦-୪୦୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି।

ସମ୍ବନ୍ଧିତ ଖବର